ରଶ୍ମିକାଙ୍କ ପରେ ଡିପ୍‌ଫେକ୍‌ ଭିଡିଓର ଶିକାର ହେଲେ କାଜଲ

ମୁମ୍ବାଇ: କିଛିଦିନ ତଳେ ଜଣାଶୁଣା ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପ୍‌ଫେକ୍‌ ଭିଡିଓ ଭାଇରାଲ ହୋଇଥିଲା | ଆଉ ବର୍ତ୍ତମାନ ଡିପ୍‌ଫେକ୍‌ ଭିଡ଼ିଓର ଶିକାର ହୋଇଛନ୍ତି କାଜଲ | ଅଭିନେତ୍ରୀଙ୍କ ଡିପ୍‌ଫେକ୍‌ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ କାଜଲ ତାଙ୍କ ପୋଷାକ ବଦଳାଇଥିବାର ନଜର ଆସିଛନ୍ତି। ତେବେ ଫ୍ୟାକ୍ଟ ଚେକିଂ ପ୍ଲାଟଫର୍ମ ବୁମ ଅନୁଯାୟୀ ଏହି ଭିଡିଓ କାଜଲଙ୍କର ନୁହେଁ ବରଂ ଜଣେ ମଡେଲଙ୍କର | ଏହା ସୋସିଆଲ ମିଡିଆରେ ଜୁନ୍ ୨୦୨୩ରେ ଅପଲୋଡ କରାଯାଇଥିଲା | ଏହି ଭାଇରାଲ ଭିଡିଓ ‘ଗେଟ ରେଡି ଉଇଥ ମି’ ଟ୍ରେଣ୍ଡରେ ଅପଲୋଡ୍ ହୋଇଥିଲା |

ଏହି ଡିପ୍‌ଫେକ୍‌ ଭିଡିଓ ସାମ୍ନାକୁ ଆସିଥିବାବେଳେ ଏହାକୁ ନେଇ କାଜଲଙ୍କ ପ୍ରଶଂସକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାପୂର୍ବରୁ ସୋସିଆଲ ମିଡିଆରେ ରଶ୍ମିକାଙ୍କ ଏକ ଡିପ୍‌ଫେକ୍‌ ଭିଡିଓ ଭାଇରାଲ ହୋଇଥିଲା | ଜଣେ ବ୍ରିଟିଶ-ଭାରତୀୟ ଇନଫ୍ୟୁଏନ୍ସର ଜାରା ପଟେଲ, କଳା ପୋଷାକ ପିନ୍ଧି ଲିଫ୍‌ଟରେ ପ୍ରବେଶ କରୁଛନ୍ତି। ତେବେ, ତାଙ୍କ ଚେହେରାକୁ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଭଳି ଦେଖାଯିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ଏଡିଟ୍‌ କରାଯାଇଥିଲା । ଉଲ୍ଲେଖ ଥାଉ କି ‘ଡିପ୍‌ଫେକ୍‌’ ବିବାଦକୁ ନେଇ ସାରା ଦେଶରେ ଚହଳ ପଡ଼ିଥିବା ବେଳେ ଆଜି ଏନେଇ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ସେ କହିଥିଲେ ଯେ ଭାରତ ସାମ୍ନା କରୁଥିବା ବଡ ବଡ ବିପଦମାନଙ୍କ ମଧ୍ୟରୁ ଡିପ୍‌ଫେକ୍‌ ଅନ୍ୟତମ | ସେ କହିଥିଲେ ଯେ ଏହା ସମାଜରେ ଅରାଜକତା ସୃଷ୍ଟି କରିପାରେ।

Spread the love