ମନୋଜ ଦାସ ଖାଲି କ’ଣ କବି? ସ୍ମୃତିପୀଠ ଫଳକରେ ତ୍ରୁଟିକୁ ନେଇ ଘେରିଲେ ସାରସ୍ୱତ ପ୍ରେମୀ

ଜଳେଶ୍ବର : ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ କଥାକାର, ବିଶିଷ୍ଟ ଔପନ୍ୟାସିକ, ପ୍ରାବନ୍ଧିକ ତଥା ଶ୍ରୀମା-ଶ୍ରୀଅରବିନ୍ଦ ଦର୍ଶନର ପ୍ରମୁଖ ବ୍ୟାଖାକାର ପଦ୍ମ ବିଭୂଷଣ ମନୋଜ ଦାସଙ୍କୁ କିଏ ବା ନ ଜାଣେ। ସାରସ୍ୱତ ଆକାଶର ଏହି ତେଜଦୀପ୍ତ ବୌଦ୍ଧିକ ସାଧକଙ୍କ ସ୍ମୃତିରକ୍ଷା ପାଇଁ ରାଜ୍ୟ ସରକାର ତାଙ୍କ ଜନ୍ମମାଟି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଶଙ୍ଖାରୀ ଗାଁରେ ନିର୍ମାଣ କରୁଛନ୍ତି ମନୋଜ-ମନ୍ମଥ ସ୍ମାରକୀ ସ୍ମୃତିପୀଠ। ୬ କୋଟି ୯୦ ଲକ୍ଷ ଟଙ୍କାର ଏହି ପ୍ରକଳ୍ପରେ ସ୍ବର୍ଗୀୟ ମନୋଜ ଦାସ ଓ ତାଙ୍କ ବଡ଼ଭାଇ ବିଶିଷ୍ଟ ଐତିହାସିକ ସ୍ବର୍ଗତ ମନ୍ମଥନାଥ ଦାସଙ୍କ ପୈତୃକ ବାସଭବନର ଉନ୍ନତୀକରଣ କାମ ଗତ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଛି।

ଅଗଷ୍ଟ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ଭୋଗରାଇ ଗସ୍ତ ଥିବାରୁ ତା ପୂର୍ବରୁ ପ୍ରକଳ୍ପ କାମ ଶେଷ ପାଇଁ ଜିଲ୍ଲା ପ୍ରଶାସନ ବଳ ଲଗାଇ ଦେଇଛି। ତେବେ ଧାର୍ଯ୍ୟ ସମୟ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ମାତ୍ର ୫୦ ପ୍ରତିଶତ କାମ ହୋଇଛି। ମାସକ ତଳେ ପ୍ରକଳ୍ପ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଏକ ହୋଡିଂ ଲଗାଯାଇଛି। କିନ୍ତୁ ଏହି ହୋଡିଂରେ ଥିବା ଲେଖାକୁ ନେଇ ରାଜ୍ୟର ବହୁ ସାରସ୍ୱତ ସାଧକ ଓ ମନୋଜ ପ୍ରେମୀ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମନୋଜ ଦାସ ଜଣେ ବହୁମୁଖୀ ପ୍ରତିଭା ସଂପନ୍ନ ବ୍ୟକ୍ତିତ୍ବ ଥିଲେ। ଏକାଧାରରେ ଜଣେ କଥାକାର, ଗାଳ୍ପିକ, ଔପନ୍ୟାସିକ, ଆଧ୍ୟାତ୍ମିକବାଦୀ ସାଧକ, ଦାର୍ଶନିକ ଓ କବି ହୋଇଥିବା ବେଳେ ଶଙ୍ଖାରୀ ସ୍ମୃତିପୀଠରେ ଲାଗିଥିବା ହୋଡିଂରେ ମନୋଜ ଦାସଙ୍କ ନାମ ପୂର୍ବରୁ କେବଳ କବି ବୋଲି ଲେଖାଯାଇଛି। ସାରସ୍ୱତ ଜଗତକୁ ରୁଦ୍ଧିମନ୍ତ କରିଥିବା ମନୋଜଙ୍କ ସ୍ମୃତିପୀଠ ଫଳକରେ ଏଭଳି ତ୍ରୁଟି ରାଜ୍ୟ ସରକାରଙ୍କ ଅଜ୍ଞତା ଓ ଅବହେଳାକୁ ଦର୍ଶାଉଛି ବୋଲି ବହୁ ସାହିତ୍ୟିକ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ନିଜ ମନର କଥା ଉଲ୍ଲେଖ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ହୋଡିଂକୁ ଟ୍ୟାଗ୍‌ ମଧ୍ୟ କରିଛନ୍ତି।

Spread the love