ଦିଲ୍ଲୀ-NCRର ପ୍ରବାସୀ ଶ୍ରମିକଙ୍କ ସପକ୍ଷରେ ଆସିଲେ ସୁପ୍ରିମକୋର୍ଟ, କମ୍ୟୁନିଟି କିଚେନ୍ ସ୍ଥାପନା ଲାଗି ନିର୍ଦ୍ଦେଶ

ପ୍ରଥମ ଲହର ଭଳି କରୋନା ଭାଇରସ ମହାମାରୀର ଦ୍ୱିତୀୟ ଲହର ମଧ୍ୟ ପ୍ରବାସୀ ଶ୍ରମିକଙ୍କ ଲାଗି ପୁଣି ଘାତକ ସାବ୍ୟସ୍ତ ହୋଇଛି। ଲକଡାଉନ୍‌ ଯୋଗୁ କାମଧନ୍ଦା ବନ୍ଦ ଥିବା ବେଳେ ପ୍ରବାସୀ ଶ୍ରମିକ ଅନ୍ନ ମୁଠାଏ ପାଇଁ ଡହଳ ବିକଳ ହେଉଛନ୍ତି। ଏଥିରେ ସୁପ୍ରିମକୋର୍ଟ ଏପରି ଲୋକଙ୍କ ସମସ୍ୟାକୁ ଅନୁଭବ କରି ଦିଲ୍ଲୀ, ୟୁପି ଓ ହରିୟାଣା ଏନସିଆର ଅନ୍ତର୍ଗତ ଅଞ୍ଚଳରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ତୁରନ୍ତ  ମାଗଣାରେ ସୁଖିଲା ଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ ଏପରି ଲୋକଙ୍କ ଲାଗି କମ୍ୟୁନିଟି କିଚନ୍ ଚଲାଇବାକୁ ନିର୍ଦ୍ଦେଶରେ ଦେଇଥିବା ବେଳେ ଯେଉଁମାନେ ନିଜନିଜ ଘରକୁ ଫେରିଯିବାକୁ ଚାହୁଁଛନ୍ତି ସେମାନଙ୍କ ଲାଗି ଟ୍ରେନ ଓ ବସ୍‌ ପରିବହନ ସେବା ଯୋଗାଇ ଦେବାକୁ ମଧ୍ୟ କହିଛନ୍ତି। କୋର୍ଟ ଗୁରୁବାର ପ୍ରବାସୀ ଶ୍ରମିକଙ୍କ ମାମଲାର ଶୁଣାଣି କରିବା ବେଳେ ଦିଲ୍ଲୀ, ୟୁପି ଓ ହରିୟାଣାର ଶ୍ରମିକଙ୍କ ସମ୍ପର୍କରେ ସୂଚନା ତଲବ କରିଛନ୍ତି। ଏଥିରେ ଏପରି ଲୋକଙ୍କ ନିମନ୍ତେ ତୁରନ୍ତ ବସଷ୍ଟାଣ୍ଡ, ରେଳ ଷ୍ଟେସନ ଓ ସେମାନେ ରହୁଥିବା ଉଦ୍ୟୋଗାଞ୍ଚଳରେ କମ୍ୟୁନିଟି କିଚନ ସ୍ଥାପନା କରି ଅନ୍ତତଃ ଦିନକୁ ଦୁଇ ଓଳା ପେଟ ପୁରା ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସେହିପରି ଯେଉଁ ଶ୍ରମିକଘରକୁ ଫେରିଯିବାକୁ ଚାହୁଁଛନ୍ତି ସେମାନଙ୍କ ଫେରିବା ଲାଗି ଯାନବାହନ ବ୍ୟବସ୍ଥା କରିବାକୁ କୋର୍ଟ କହିଛନ୍ତି। ଘରୋଇ ବସ୍ ମାଲିକ ଏପରି ଲୋକଙ୍କ ଠାରୁ ଅଧିକ ଭଡ଼ା ଆଦାୟ କରୁଛନ୍ତି। ଏଣୁ ପରିସ୍ଥିତିରେ ରେଳବାଇଙ୍କ ସହାୟତା ନେବାକୁ ମଧ୍ୟ କୋର୍ଟ ପରାମର୍ଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍‌ ଅଶୋକ ଭୂଷଣ ଓ ଜଷ୍ଟିସ ଏମ.ଆର ଶାହଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରବାସୀ ଶ୍ରମିକଙ୍କଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Spread the love