ଜାନୁଆରୀ ୨୬ ପୂର୍ବରୁ ଦିଲ୍ଲୀର ଗାଜିପୁରରୁ ମିଳିଲା ୩ କିଲୋର IED ବୋମା

ଗାଜିପୁର ୧୪।୦୧: ଜାନୁଆରୀ ୨୬ ଅର୍ଥାତ ସାଧାରଣତନ୍ତ୍ର ଦିବସକୁ ଆଉ ମାତ୍ର କିଛି ଦିନ ବାକି  ରହିଛି। ତେବେ ଏହା ପୂର୍ବରୁ ପୂର୍ବରୁ ଦିଲ୍ଲୀର ଗାଜିପୁର ଫୁଲ ମଣ୍ଡିରେ ଶୁକ୍ରବାର ମିଳିଛି ଶକ୍ତିଶାଳୀ ଆଇଇଡି ବିସ୍ଫୋରକ।  ଏହି ଖବର ପ୍ରଘଟ ହେବା ପରେ ଚାରିଆଡେ ଚାଞ୍ଚଲ୍ୟ ଖେଳି ଯାଇଛି। ବିସ୍ଫୋରକକୁ ଏକ କଳା ରଙ୍ଗର ବ୍ୟାଗ୍ ଭିତରେ ରଖାଯାଇଥିଲା। ଯାହାକୁ ଠିକ୍ ସମୟରେ ନିଷ୍କ୍ରିୟ କରାଯାଇଛି। କଣ୍ଟ୍ରୋଲ ବ୍ଲାଷ୍ଟ ଜରିଆରେ ବୋମାକୁ ନିଷ୍କ୍ରିୟ କରିବା ସମୟରେ ଧମାକା ଏତେ ଜୋର ଥିଲା ଯେ, ଅନେକ ଦୂର ପର୍ଯ୍ୟନ୍ତ ଏହାର ବିକଟାଳ ଶବ୍ଦ ଶୁଣିବାକୁ ମିଳିଛି ଘଟଣାକୁ ନେଇ ଦିଲ୍ଲୀରେ ସୁରକ୍ଷା ଏଜେନ୍ସି ହାଇ ଆଲର୍ଟରେ ରହିଛନ୍ତି।

ନ୍ୟାସନାଲ ସିକ୍ୟୁରିଟି ଗାର୍ଡ(ଏନଏସଜି) କହିଛି, ଗାଜିପୁରରୁ ଜବତ ଆଇଆଇଡିର ଓଜନ ପ୍ରାୟ ତିନି କିଲୋ ଥିଲା। ଏନଏସଜିର ବୋମା ନିରୋଧକ ଟିମ୍‌କୁ ଦିଲ୍ଲୀ ପୋଲିସ ନିକଟରୁ ସକାଳ  ପ୍ରାୟ ୧୧ଟାରେ ସୂଚନା ମିଳିଥିଲା। ଏହା ପରେ ଅପରାହ୍ନ ପ୍ରାୟ ୧ଟା୩୦ରେ ଆଠ ଫୁଟ୍ ଗଭୀର ଗାତରେ ଆଇଆଇଡିକୁ ନିଷ୍କ୍ରିୟ କରାଯାଇଛି। ଏହି ସମୟରେ  ବିକଟାଳ ଶବ୍ଦ ସହ ଧୂଆଁ ଉଠିଥିଲା।

ଏନଏସଜିର ମହାନିର୍ଦ୍ଦେଶକ ଏମଏ ଗଣପତି କହିଛନ୍ତି, ଫରେନ୍ସିକ ଦଳ ଦ୍ଵାରା ଆଇଇଡିର ନମୂନା ସଂଗୃହୀତ କରାଯାଇଛି। ଏନଏସଜି ବିସ୍ଫୋରକରେ ବ୍ୟବହୃତ ରାସାୟନିକ ତତ୍ଵ ବିଷୟରେ ରିପୋର୍ଟ ପ୍ରସ୍ତୁତ ପାଇଁ ଦଳ ଗଠନ କରିଛି। ଦିଲ୍ଲୀ ପୋଲିସର କହିବା କଥା ଆଇଇଡି ମିଳିବା ସମ୍ବନ୍ଧରେ ସ୍ପେଶାଲ ସେଲ୍ ଦ୍ଵାରା ବିସ୍ଫୋରକ ଅଧିନିୟମର ପ୍ରାବଧାନ ଆଧାରରେ ମାମଲା ରୁଜୁ କରିଛି।

ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନା କହିଛନ୍ତି, ପୂର୍ବ ଦିଲ୍ଲୀ ସ୍ଥିତ ଗାଜିପୁର ଫିଲ ମଣ୍ଡିର ଏକ ନମ୍ବର ଗେଟ୍ ନିକଟରେ ପଡିଥିବା ଏକ କଳା ରଙ୍ଗର ଅପରିତ୍ୟକ୍ତ ବ୍ୟାଗରୁ ବିସ୍ଫୋରକ ଜବତ କରାଯାଇଥିଲା। ସୂଚନା ମିଳିବା ମାତ୍ରେ ପୋଲିସ ତତ୍କାଳ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳର ଆଖପାଖ ଘେରାବନ୍ଦୀ କରାଯାଇ ବିସ୍ଫୋରକକୁ କଣ୍ଟ୍ରୋଲ ବ୍ଲାଷ୍ଟ ଜରିଆରେ ନିଷ୍କ୍ରିୟ ବା ଡିଫ୍ୟୁଜ୍ କରାଯାଇଛି। ଗଣତନ୍ତ୍ର ଦିବସ ପୂର୍ବରୁ ମଣ୍ଡିରୁ ବିସ୍ଫୋରକ ଜବତ କରି ରାଜଧାନୀରେ ହିଂସା କରିବାକୁ ଉଦ୍ୟମ ଷଡଯନ୍ତ୍ରକୁ ପଣ୍ଡ କରାଯାଇଛି।

Spread the love