ସ୍କୁଲ ବ୍ୟାଗ ହାଲୁକା କରିବା ପାଇଁ ଦିଲ୍ଲୀ ସରକାର ଜାରି କଲେ ନିର୍ଦ୍ଦେଶନାମା

ଦିଲ୍ଲୀ ସରକାର ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ବ୍ୟାଗ ହାଲୁକା କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସରକାର ଏହି ନିର୍ଦ୍ଦେଶନାମା ସ୍କୁଲ ବ୍ୟାଗ ପଲିସି ୨୦୨୦ ଅନୁଯାୟୀ ଜାରି କରିଛନ୍ତି। ଯେଉଁଥିରେ ବ୍ୟାଗର ସର୍ବାଧିକ ଓଜନ ୩.୪ କିଲୋଗ୍ରାମରୁ ୫ କିଲୋଗ୍ରାମ ମଧ୍ୟରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ତେବେ ଭାରି ବ୍ୟାଗ ଦ୍ବାରା ଛାତ୍ରଛାତ୍ରୀଙ୍କ ଶରୀର ଉପରେ ପଡ଼ୁଥିବା ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଶିକ୍ଷା ନିର୍ଦ୍ଦେଶାଳୟ (ଡିଓଇ) ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ଏକ ଚିଠିରେ କହିଛନ୍ତି କି,  ଏହି ପରାମର୍ଶଗୁଡିକ ନୂତନ ଜାତୀୟ ଶିକ୍ଷା ନୀତି (ଏନଇପି) ସହିତ ମେଳ ଖାଉଛି। ଯେଉଁଥିରେ ଦର୍ଶାଯାଇଛି ଯେ ୧ରୁ୧୦ମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ ବ୍ୟାଗ ଓଜନ ସେମାନଙ୍କ ଶରୀରର ଓଜନର ୧୦ପ୍ରତିଶତରୁ ଅଧିକ ହେବା ଉଚିତ୍ ନୁହେଁ |

ଭାରି ସ୍କୁଲ ବ୍ୟାଗ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ଏକ ଗୁରୁତର ବିପଦ। ଶରୀର ବିକଶିତ ହେଉଥିବା ପିଲାମାନଙ୍କ ଉପରେ ଏହା ପ୍ରତିକୂଳ ଶାରୀରିକ ପ୍ରଭାବ ପକାଇଥାଏ। ଯାହା ସେମାନଙ୍କର ମେରୁଦଣ୍ଡ ଏବଂ ଆଣ୍ଠୁକୁ କ୍ଷତି ପହଞ୍ଚାଇଥାଏ। କେବଳ ଏତିକି ନୁହେଁ ଦୁଇ କିମ୍ବା ତା’ଠାରୁ ଉଚ୍ଚ ମହଲାରେ ଥିବା ଶ୍ରେଣୀଗୃହକୁ ଯିବାକୁ ହେଲେ ପିଲାଙ୍କୁ ଏଭଳି ଭାରି ବ୍ୟାଗ ବୋହିବୋହି ନେବାରେ ବହୁତ ଅସୁବିଧା ହୋଇଥାଏ।

Spread the love