ସ୍ତ୍ରୀ ରୋଜଗାର କରୁଥିଲେ ବି ଭରଣପୋଷଣ ପାଇଁ ଟଙ୍କା ଦେବେ ସ୍ୱାମୀ : ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ, ୨୫/୧୨: ମହିଳାଙ୍କୁ ନେଇ ଦିଲ୍ଲୀ ହାଇକୋର୍ଚ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଯଦି ପତ୍ନୀ ରୋଜଗାରକ୍ଷମ ତାହେଲେ ମଧ୍ୟ ପତି ଭରଣପୋଷଣ ଦେବାକୁ ମନା କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । କାରଣ ଅଧିକାଂଶ ମାମଲାରେ ପତ୍ନୀ ନିଜ ପରିବାର ପାଇଁ ଚାକିରୀ ଛାଡି ଦେଇଥାନ୍ତି ।

ସୂଚନାନୁସାରେ, ତଳକାର୍ଟରେ ଜଣେ ସୈନ୍ୟ ଅଧିକାରୀଙ୍କୁ ତାଙ୍କ ପତ୍ନୀଙ୍କୁ ମାସିକ ୩୩୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ଅଧିକାରୀଜଣଙ୍କ ହାଇକୋର୍ଟରେ ଆବେଦନ କରିଥିଲେ । ଯେହେତୁ ପତ୍ନୀ ରୋଜଗାରକ୍ଷମ ତେଣୁ ସେ ଟଙ୍କା ଦେବେ ନାହିଁ ବୋଲି ଆବେଦନରେ ଦର୍ଶାଇଥିଲେ ।

ହାଇକୋର୍ଟ ଆବେଦନକୁ ଖାରଜ କରି କହିଥିଲେ ଯେ, ପତ୍ନୀ ରୋଜଗାରକ୍ଷମ ହେଲେ ମଧ୍ୟ ପତି ଭରଣପୋଷଣ ପାଇଁ ଟଙ୍କା ଦେବାକୁ ବାଧ୍ୟ । କାରଣ ପତ୍ନୀ ଅନେକ ସମୟରେ ପରିବାର ପାଇଁ ଚାକିରା ଛାଡିବାକୁ ବାଧ୍ୟ ହୋଇଥାଏ । ଏହାସହ କୋର୍ଟ ମାମଲାକୁ ଟ୍ରିବ୍ୟୁନାଲକୁ ପଠାଇବା ଆବେଦନକୁ ଖାରଜ କରିଦେଇଛନ୍ତି । ଯବାନ କେବଳ ସେନା ଅଧିନରେ ନୁହେଁ ଭାରତୀୟ ସମ୍ବିଧାନ ପରିସରରେ ମଧ୍ୟ ଆସିଥାନ୍ତି ବୋଲି କୋର୍ଟ କହିଛନ୍ତି ।

ତେବେ ହାଇକୋର୍ଟ ଶୁଣାଣି ବେଳେ ଭରଣପୋଷଣ ଖର୍ଚ୍ଚକୁ କମ୍ କରିଥିଲେ । ତଳକୋର୍ଟ ୩୩୦୦୦ ଟଙ୍କା କହିଥିବା ବେଳେ ହାଇକୋର୍ଟ ଏହାକୁ ୧୪୬୧୫ ଟଙ୍କା କରିଥିଲେ । ଏହି ନିର୍ଦ୍ଦେଶ ଏପ୍ରିଲ ୧,୨୦୧୭ରୁ ଲାଗୁ ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାସହ ୨୦୧୫ରୁ ସନ୍ତାନମାନେ ପତିଙ୍କ ସହ ରହୁଛନ୍ତି, ପତ୍ନୀଙ୍କୁ ମଧ୍ୟ ସନ୍ତାନ ଉପରେ ହକ୍ ମିଳିବା ଦରକାର ବୋଲି କୋର୍ଟ ଆଦେଶ ଦେଇଥିଲେ ।

Spread the love