ଗିରଫ ହେଲା ରଶ୍ମିକା ମନ୍ଧାନାଙ୍କ ଡିପ୍ ଫେକ୍ ଭିଡିଓ ପ୍ରସ୍ତୁତ କରିଥିବା ଯୁବକ

ନୂଆଦିଲ୍ଲୀ: ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କ ଡିପ୍ ଫେକ୍ ଭିଡିଓ ପ୍ରସ୍ତୁତ କରିଥିବା ଯୁବକଙ୍କୁ ଦିଲ୍ଲୀ ପୁଲିସ ସ୍ପେଶାଲ ସେଲର ଆଇଏଫଏସଓ (ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଆଣ୍ଡ ଷ୍ଟ୍ରାଟେଜିକ୍ ଅପରେସନ୍) ଗିରଫ କରାଯାଇଛି। ସ୍ପେଶାଲ୍ ସେଲର ଡିସିପି ହେମନ୍ତ ତିୱାରୀ ଏହି ସୂଚନା ଦେଇଛନ୍ତି।

ଜଣେ ଅଧିକାରୀ କହିଛନ୍ତି, ଅଭିଯୁକ୍ତ ଯୁବକକୁ ଦକ୍ଷିଣ ଭାରତରୁ ଗିରଫ କରାଯାଇଛି । ତାକୁ ପଚରାଉଚରା ପାଇଁ ଦିଲ୍ଲୀ ଅଣାଯାଉଛି । ରଶ୍ମିକା ମନ୍ଧାନାଙ୍କ ଏକ ଡିପ୍ ଫେକ୍ ଭିଡିଓ ନଭେମ୍ବର ୬ରେ ଇଣ୍ଟରନେଟ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଏହାକୁ ନେଇ ସୋସିଆଲ ମିଡ଼ିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଦିଲ୍ଲୀ ପୁଲିସ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଆଇଟି ଆଇନର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଥିଲା । ଏହା ପରେ ପୁଲିସ ବିଭିନ୍ନ ସୋସିଆଲ ମିଡ଼ିଆ କମ୍ପାନୀକୁ ଚିଠି ଲେଖି ରଶ୍ମିକାଙ୍କ ଡିପ୍ ଫେକ୍ ଭିଡ଼ିଓର ଉତ୍ସ ସମ୍ପର୍କରେ ତଥ୍ୟ ମାଗିଥିଲା।

ଉଲ୍ଲେଖଯୋଗ୍ୟ, ରଶ୍ମିକା ମନ୍ଧାନାଙ୍କ ଡିପ୍‌ଫେକ୍‌ ଭିଡିଓରେ ଦେଖିବାକୁ ମିଳିଥିଲା ଯେ, କଳା ପୋଷାକ ପିନ୍ଧି ଲିଫ୍‌ଟରେ ପ୍ରବେଶ କରୁଛନ୍ତି । ଏହି ଭିଡିଓରେ ସେ ଯେଉଁଭଳି ପୋଷାକ ପିନ୍ଧିଥିଲେ, ସେଭଳି ପୋଷାକ କେବେ ବି ରଶ୍ମିକା ପିନ୍ଧି ନଥିବାରୁ ଏହାକୁ ନେଇ ସନ୍ଦେହ ବଢ଼ିଥିଲା। ପରେ ଭିଡିଓଟି ଫେକ୍ ବୋଲି ଜଣାପଡ଼ିଥିଲା। ପ୍ରକୃତରେ ଭିଡିଓରେ ବ୍ରିଟିଶ-ଭାରତୀୟ ଇନଫ୍ୟୁଏନ୍ସର ଜାରା ପଟେଲ ଥିବା ବେଳେ ଡିପ୍‌ଫେକ୍‌ ଟେକ୍ନୋଲୋଜି ବ୍ୟବହାର କରି ତାଙ୍କ ମୁହଁକୁ ଏଡିଟ୍ କରିବା ସହ ରଶ୍ମିକାଙ୍କ ମୁହଁ ଲଗାଯାଇଥିଲା। ପରେ ଏହାକୁ ସୋସିଆଲ ମିଡିଆରେ ସେୟାର କରାଯିବାରୁ ଏହା ଭାଇରାଲ ହୋଇଥିଲା।

Spread the love