ସାଂପ୍ରତିକ ପ୍ରସଙ୍ଗକୁ ଏଡେଇବା ପାଇଁ ବିଜେଡି ଅଯଥା ବୟାନବାଜି କରୁଛି: ଦିଲୀପ ମଲ୍ଲିକ

ଭୁବନେଶ୍ୱର, ତା.୨୬/୦୪: ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠିଲାବେଳେ ଅଯଥାରେ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାସିସ୍ ଆଚାର୍ଯ୍ୟଙ୍କ ସମ୍ବର୍ଦ୍ଧନାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରୁଛି ବିଜେଡି । ବିଜେଡି ଜାଣି ରଖିବା ଦରକାର ଓଡ଼ିଶାର ଯୁବକମାନେ ତାଙ୍କ ଦଳର କିମ୍ବା ତାଙ୍କ ସରକାରର କ୍ରୀତଦାସ ନୁହନ୍ତି । ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍ ଆଚାର୍ଯ୍ୟ ଜଣେ ବିଦେଶରେ ଆଇନପାଠ ପଢ଼ିଥିବା ଉଚ୍ଚଶିକ୍ଷିତ ଯୁବକ । ସୁପ୍ରିମକୋର୍ଟରେ ଓକିଲାତି କରିବା ସହ ଅଧ୍ୟାପକ ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କ ନାଁରେ ବିଜେଡି ଯେଉଁ ଅଭିଯୋଗ ଉଠାଉଛି ସେହି ଘଟଣାର ଏଫଆଇଆରରେ ଇରାସିସ୍‌ଙ୍କ ନାଁ ନଥିଲା ପରେ ତାଙ୍କ ନାଁକୁ ରାଜନୈତିକ ଉଦ୍ଦେଶ୍ୟରେ ଯୋଡା ଯାଇ ଗିରଫ କରାଯାଇଥିଲା ।
ଦିନ ଦ୍ୱିପହରରେ ରାଜ୍ୟର ବରିଷ୍ଠ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ଯୁବମୋର୍ଚ୍ଚା ରାସ୍ତାକୁ ଓହ୍ଲାଇଥିଲା । ମୁଖ୍ୟ ବିରୋଧୀ ଦଳର ଯୁବଶାଖା ଭାବରେ ରାଜ୍ୟବାସୀଙ୍କ ସମସ୍ୟାକୁ ନେଇ ଲଢ଼ିବା ନିଜର ଦାୟିତ୍ୱ ମନେକରେ ବିଜେପି ଯୁବମୋର୍ଚ୍ଚା । ଆଗାମୀ ଦିନରେ ରାଜ୍ୟର ସ୍ୱାର୍ଥ ଓ ଯୁବକଙ୍କ ସ୍ୱାର୍ଥକୁ ନେଇ ବିଜେପି ଯୁବମୋର୍ଚ୍ଚା ଲଢ଼େଇ ଜାରି ରଖିବ । ବିଜେଡି ସରକାରଙ୍କ ଜେଲ୍ ଧମକ କିଛି କାମ ଦେବ ନାହିଁ । ମିଛ ବୟାନବାଜି ନକରି ରାଜ୍ୟବାସୀଙ୍କ ସୁରକ୍ଷା ଏବଂ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ସଜାଡିବାର ଦାୟିତ୍ୱ କାନ୍ଧକୁ ନିଅନ୍ତୁ ରାଜ୍ୟ ସରକାର ଏବଂ ରାଜ୍ୟବାସୀଙ୍କୁ ଶାନ୍ତିରେ ରହିବାକୁ ଦିଅନ୍ତୁ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ କହିଛନ୍ତି ।
ଶ୍ରୀ ମଲ୍ଲିକ କହିଛନ୍ତି ଯେ, ଯେଉଁ ଦଳର ମନ୍ତ୍ରୀଙ୍କ ନାଁରେ ନିଜର ଦଳର ମହିଳା ଦୁଷ୍କର୍ମ ଅଭିଯୋଗ ଆଣୁଛନ୍ତି, ଯେଉଁ ଦଳର ବିଧାୟକଙ୍କ ନାଁରେ ସେକ୍ସ କ୍ୟାଣ୍ଡାଲ ମାମଲା ଥାନାରେ ଗଡୁଛି ସେହି ଦଳ ଅନ୍ୟକୁ ଅଙ୍ଗୁଳି ଦେଖାଇବା ହାସ୍ୟାସ୍ପଦ । ବିଜୁ ଜନତା ଦଳର ୪୬ ଜଣ ବିଧାୟକଙ୍କ ନାଁରେ ୧୮୦ ସଙ୍ଗିନ ଅପରାଧୀକ ମାମଲା ଗଡୁଛି । ୬ ବିଜେଡି ବିଧାୟକଙ୍କ ନାଁରେ ଦଫା ୩୦୭ ହତ୍ୟା ଉଦ୍ୟମ, ୨ ବିଜେଡି ବିଧାୟକଙ୍କ ନାଁରେ ଦଫା ୩୭୬ ଦୁଷ୍କର୍ମ ଓ ୫ ବିଜେଡି ବିଧାୟକଙ୍କ ନାଁରେ ଦଫା ୩୫୪ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଥାନାରେ ଗଡୁଛି ।
ସମ୍ବଲପୁର ଘଟଣା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ସହିତ ଶାସକ ବିଜୁ ଜନତା ଦଳର ନେତାଙ୍କ ଭିନ୍ନ ଭିନ୍ନ ସମୟରେ ରୋଚକ ମନ୍ତବ୍ୟ ହିନ୍ଦୁ ବିରୋଧୀ ମାନସିକତାକୁ ପ୍ରକାଶ କରୁଛି । ସମ୍ବଲପୁର ଘଟଣାରେ ଭାରତୀୟ ଜନତା ପାର୍ଟି ଏନଆଇଏ ତଦନ୍ତ ଦାବି କରିବା କାରଣରୁ ବିଜେଡି ଡରିଯାଇଛି । ଗତ ଅପ୍ରେଲ ୨ ରୁ ୧୩ ପର୍ଯ୍ୟନ୍ତ ବରଗଡରେ ଅତିକ୍‌ର ସହଯୋଗୀ କୁଖ୍ୟାତ ଅପରାଧୀ ଗୁଡୁ ମୁସଲିମ୍ ଆଶ୍ରୟ ନେଇଥିବା ବିଷୟ ପଦାକୁ ଆସିବା ପରେ ନିଜ ମୁଣ୍ଡ ଉପରୁ ଦୋଷ ଖସାଇବା ପାଇଁ ବିଜେଡି ବାଉଳା ଚାଉଳା ହେଉଛି । ଗୁଡୁ ମୁସଲିମ୍‌କୁ ଆଶ୍ରୟ ଦେଇଥିବା ଅପରାଧୀ ରାଜା ଖାନ୍ ସହ କେଉଁ ବିଜେଡି ନେତାଙ୍କ ପୃଷ୍ଠପୋଷକତା ରହିଛି ତାହା କହିବାକୁ ଭୁଲି ଯାଉଛନ୍ତି ବିଜେଡି ନେତା । ଗୁଡୁ ମୁସ୍‌ଲିମ୍ କେଉଁଠି ଥିଲା, କଣ କରୁଥିଲା, ତାହାର କାର୍ଯ୍ୟକଳାପ କଣ ଥିଲା ଏବଂ ସମ୍ବଲପୁର ଘଟଣାରେ ତାର ସମ୍ପୃକ୍ତି ଥିଲା କି ନାହିଁ ଏବଂ ରାଜ୍ୟର ଗୁଇନ୍ଦା ବିଭାଗ ଚେଇଁଛି ନା ଶୋଇଛି ଏ ସବୁର ତଦନ୍ତ କରାଯିବା ଆବଶ୍ୟକ । ତଦନ୍ତ କଲେ ନିଜ ଦଳର ସମ୍ପୃକ୍ତି ଧରାପଡିଯିବାର ଭୟ କାରଣରୁ ଅଯଥା ବୟାନବାଜି କରୁଛି ବିଜେଡି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

Spread the love