ଟ୍ରେନ୍‌ରେ ସନ୍ତାନ ପ୍ରସବ କଲେ ମହିଳା

ପେଟ ପୋଷିବାକୁ ଛତିଶଗଡ଼ରୁ ଯାଇଥିଲେ ତେଲେଙ୍ଗାନା । କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ସେଠାରେ ଫସି ରହିଥିଲେ। ଶେଷରେ ଟ୍ରେନରେ ଘରକୁ ଫେରୁଥିବା ବେଳେ ସନ୍ତାନ ପ୍ରସବ କରିଛନ୍ତି ଜଣେ ମହିଳା।  ଏବେ ମା’ ଛୁଆଙ୍କୁ  ଟିଟିଲାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଉଭୟ ସୁସ୍ଥ ଥିବା ଜଣାଯାଇଛି।ସୂଚନା ଅନୁଯାୟୀ, ମହିଳାଜଣକ ନିଜ ପରିବାର ସହ ସ୍ୱତନ୍ତ୍ର ଟ୍ରେନରେ ତେଲେଙ୍ଗାନାରୁ ଆସୁଥିଲେ। ଟ୍ରେନଟି ଟିଟିଲାଗଡ ରେଳ ଷ୍ଟେସନ ଅଭିମୁଖେ ଆସୁଥିବା ବେଳେ ମହିଳାଙ୍କର ପ୍ରସବ ବେଦନା ଆରମ୍ଭ ହୋଇଯାଇଥିଲା। ଏହାପରେ ଟ୍ରେନଟି ଷ୍ଟେସନରେ ପହଞ୍ଚିବା ପୂର୍ବରୁ ହିଁ ମହିଳା ଜଣକ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ  ।ଟ୍ରେନରେ ମହିଳା ଜଣକ ପ୍ରସବ କରିଥିବାରୁ ଟ୍ରେନଟି କିଛି ସମୟ ଟିଟିଲାଗଡ ରେଳ ଷ୍ଟେସନରେ ଅଟକି ରହିଥିଲା । ଷ୍ଟେସନ ମ୍ୟାନେଜର ଖବର ଦେବା ପରେ ଟିଟିଲାଗଡ ହସ୍ପିଟାଲରୁ ଏକ ଆମ୍ବୁଲାନ୍ସ ଷ୍ଟେସନରେ ପହଞ୍ଚି ମହିଳା ଓ ନବ ଜନ୍ମିତ ଛୁଆକୁ ଟିଟିଲାଗଡ ହସ୍ପିଟାଲ ନେଇଥିଲା।  ବର୍ତ୍ତମାନ ମା’ ଓ ଛୁଆ ର ଅବସ୍ଥା ଠିକ ଥିବା ଏସ୍‌ଡିଏମ୍‌ଓ କହିଛନ୍ତି।ଶ୍ରମିକମାନେ ପ୍ରବାସୀ ହୋଇ ଥିବାରୁ ସେମାନଙ୍କୁ ହସ୍ପିଟାଲରେ ତିଆରି ହୋଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖା ଯାଇଛି। ପ୍ରାୟ ୨ ଦିନ ପରେ ସେମାନଙ୍କୁ ଛାଡ଼ି ଦିଆଯିବ ବୋଲି କହିଛନ୍ତି ଏସ୍‌ଡିଏମ୍‌ଓ ।

Spread the love