ଡେଲ୍ଟା ଉପସ୍ଥିତିରେ ଓମିକ୍ରନର ସଂକ୍ରମଣକୁ ନେଇ ଚିନ୍ତାରେ ବୈଜ୍ଞାନିକ, ମିଶିକ ସୃଷ୍ଟିକରିପାରନ୍ତି ସୁପର ଭାରିଏଣ୍ଟ !

ଲଣ୍ଡନ ୧୮।୧୨:  କୋଭିଡ-୧୯ ସଂକ୍ରମଣ ପରଠାରୁ ଆମେରିକା ପରେ ସବୁଠୁ ଅଧିକ ସଂକ୍ରମିତ ଦେଶ ରହିଛି ବ୍ରିଟେନ। ଏଥିରେ ବ୍ରିଟେନରେ ଏବେବି ଡେଲ୍ଟାର ପ୍ରକୋପ ଜାରିଥିବା ବେଳେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂଆ ଭାରିଏଣ୍ଟ କେବଳ ବ୍ରିଟେନ ଆସିନି ଏବେ କାୟା ବିସ୍ତାର ମଧ୍ୟ କଲାଣି। ଏଣୁ ଡେଲ୍ଟା ଉପସ୍ଥିତିରେ ଓମିକ୍ରନର ଏପରି ସଂକ୍ରମଣ ନୂଆ ସୁପରଭାରିଏଣ୍ଟର କାରଣ ହେବନି ତ ବୋଲି ବୈଜ୍ଞାନିକ ଏବେ ଚିନ୍ତା ବ୍ୟକ୍ତ କରିଛନ୍ତି।

ଚିନ୍ତା ହେବା ମଧ୍ୟ ସ୍ୱଭାବିକ। କାରଣ ଯଦି ଡେଲ୍ଟା ଭୋଗୁଥିବା ଆକ୍ରାନ୍ତ ଓମିକ୍ରନରେ ସଂକ୍ରମିତ ହୁଅନ୍ତି ତେବେ ପରିସ୍ଥିତି ଆହୁରି ବିପଦଜନକ ହୋଇପାରେ ବୋଲି ଆକଳନ କରାଯାଉଛି। କାରଣ ଅଧିକାଂଶ ଭାଇରାଲ ବିକାଶ ପ୍ରତିକୃତି ତ୍ରୁଟି ଯୋଗୁ ହିଁ ହୋଇଥାଏ। ଏହା ଛଡା ପୁନର୍ବିନ୍ୟାସ ପ୍ରକ୍ରିୟାରେ ସେମାନଙ୍କ ଆନୁବଂଶିକ ସାମଗ୍ରୀକୁ ଅନ୍ୟ ଭୂତାଣୁ ସହ ମିଶ୍ରଣ କରିବାର କ୍ଷମତା ସେମାନଙ୍କ ଠାରେ ରହିଛି। ଏପରି ସ୍ଥଳେ ସେମାନେ ବିପଦଜନକ ପରିସ୍ଥିତି ମଧ୍ୟ ସୃଷ୍ଟି କରିପାରନ୍ତି।

ଏଥିରେ ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀରେ ଲୋକେ ଉଭୟ ଭୂତାଣୁରେ ସଂକ୍ରମିତ ହେବାର ଅନେକ ସମ୍ଭାବନା ଥିବାବେଳେ ସେମାନଙ୍କଠାରୁ ନୂଆ ସୁପରଭାରିଏଣ୍ଟ ସୃଷ୍ଟି ନେଇ ଆଶଙ୍କାକୁ ମଡର୍ଣ୍ଣାର ମୁଖ୍ୟ ମେଡିକାଲ ଅଫିସର ଡା. ପଲ ବର୍ଟନ ମଧ୍ୟ ସ୍ୱୀକୃତି ଦେଇଛନ୍ତି। ସେ କହିଛନ୍ତି ଯେ ବ୍ରିଟେନରେ ଏବେ ଉଭୟ ଡେଲ୍ଟା ଏବଂ ଓମିକ୍ରନ  ସଂକ୍ରମଣ କରୁଛନ୍ତି। ଏଥିରୁ ସୁପରଭାରିଏଣ୍ଟର ଉତ୍ପତି ନ ହେବ ତାହା କୁହାଯାଇ ନପାରେ ବୋଲି କହିଛନ୍ତି।

ତେବେ ଏପରି ଆଶଙ୍କା ବହୁତ କମ୍। ହେଲେ ପରିସ୍ଥିତି ଯଦି ଅନୁକୂଳ ହୁଏ ତ ଏପରି ହୋଇପାରେ। ଏଥିରେ ଯଦି ସୁପରଭାରିଏଣ୍ଟର ଉତ୍ପତି ହୁଏ ତେବେ ପରିସ୍ଥିତିକୁ ସମ୍ଭାଳିବା ପ୍ରାୟ ଅସମ୍ଭବ ହୋଇପଡିବ ବୋଲି ଡା. ବର୍ଟନ କହିଛନ୍ତି। ତେବେ ଏହା ପୂର୍ବରୁ ସାଉଥୱେଲସ୍‌ ୟୁନିଭର୍ସିଟିର ଭାଇରୋଲଜିଷ୍ଟ ପିଟର ହ୍ୱାଇଟ୍‌ ଏ ନେଇ  ସତର୍କ କରିଥିଲେ। ଏକ ସାକ୍ଷାତକାରରେ ସେ ସୁପରଷ୍ଟ୍ରେନର ଆଶଙ୍କା ପ୍ରକାଶ କରିଥିବା ବେଳେ ଏବେ ବିଶ୍ୱରେ ହୁଏତ ସେହି ପରିସ୍ଥିତି ଉପୁଜିବାକୁ ଯାଉଛି ବୋଲି ଆଶଙ୍କା କରାଗଲାଣି। କରୋନା ଭାଇରସ ପ୍ରାରମ୍ଭରୁ ହିଁ ସେଥିରୁ ପୃଥକ ଭାଇରସ ସୃଷ୍ଟି ହେଉଥିବାର ଘଟଣା ସାମ୍ନାକୁ ଆସି ସାରିଲାଣି। ଏହିପରି ଏକ ଘଟଣାରେ ଚଳିତବର୍ଷ ପ୍ରାରମ୍ଭରେ ଆଲଫା ଭାରିଏଣ୍ଟ ସ୍ପେନରେ ମିଳିଥିବା ବି.୧.୧୭୭ ଷ୍ଟ୍ରେନ୍ ସହ ମିଶି ଯାଇଥିଲା। ସେହିପରି କେଣ୍ଟ ଷ୍ଟ୍ରେନକୁ ବି.୧.୪୨୯ ସହ ମିଶିଯାଇଥିବା ଦେଖାଯିବା ନେଇ ବ୍ରିଟିଶ ବୈଜ୍ଞାନିକମାନେ କହିଥିଲେ।

Spread the love