ବିଜେଡି ଶାସନରେ ଗଣତନ୍ତ୍ର ବିପଦରେ: ସମୀର ମହାନ୍ତି

ସମ୍ବଲପୁର / ଭୁବନେଶ୍ୱର : ବିଜେଡି ଶାସନରେ ମହିଳା ଓ ଶିଶୁ ବିପଦରେ। ବିଜେଡି ଶାସନରେ ଗଣତନ୍ତ୍ର ବିପଦରେ । ରାଜ୍ୟରେ ପ୍ରତିଦିନ ହାରାହାରି ୪ ଧର୍ଷଣ ଓ ୬ ଅପହରଣ ହେଉଛି । ଗତ ୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ ଅଛନ୍ତି । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାର ଆଜି ୧୨୦ଦିନ ପୂରିଗଲାଣି କିନ୍ତୁ ବର୍ତମାନ ସୁଦ୍ଧା ଚାର୍ଜସିଟ୍ ଦାଖଲ ହୋଇପାରିଲା ନାହିଁ। ଶାସକ ବିଜେଡିର ବହୁ ମନ୍ତ୍ରୀ ଓ ନେତାଗଣଙ୍କ ସଂପୃକ୍ତି ପଦାରେ ପଡିଯିବା ଭୟରେ ରାଜ୍ୟ ସରକାର ଷଡଯନ୍ତ୍ର ରଚି ତଦନ୍ତ ପ୍ରକ୍ରିୟାକୁ ବିଳମ୍ବ କରିବା ସହିତ ଚାର୍ଜସିଟ୍ ଦାଖଲ କରୁନାହାନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଅଭିଯୁକ୍ତଙ୍କ ସହ ଗୋଟିଏ ମଂଚରେ ବସି ରହି ଅପରାଧକୁ ପ୍ରୋତ୍ସାହିତ କରୁନାହାନ୍ତି କି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି ।
ପଂଚାୟତ ନିର୍ବାଚନ ପ୍ରଚାର ପରିପ୍ରେକ୍ଷୀରେ ପଶ୍ଚିମାଂଚଳ ଗସ୍ତରେ ଥିବା ରାଜ୍ୟ ସଭାପତି ଶ୍ରୀସମୀର ମହାନ୍ତି ଆଜି ସମ୍ବଲପୁରଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସରକାରୀ କଳ, ବଳ ଏବଂ ଅପର୍ଯ୍ୟାପ୍ତ ଅର୍ଥ ବଳ ଜରିଆରେ ଭୋଟରମାନଙ୍କୁ ପ୍ରଭାବିତ କରି ନିର୍ବାଚନ ହାତେଇବାକୁ ଶାସକ ବିଜେଡି ଅପପ୍ରୟାସ ଜାରୀ ରଖିଛ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ଓ ଗରୀବକଲ୍ୟାଣ ଯୋଜନାର ଲାଭରୁ ବଂଚିତ ହୋଇଥିବା ରାଜ୍ୟବାସୀ ବିଜେଡିର ଡ୍ରାମାବାଜିକୁ ଭଲ ଭାବେ ବୁଝିସାରିଲେଣି ଏବଂ ଚଳିତ ପଂଚାୟତ ନିର୍ବାଚନରେ ଏହାର ଉଚିତ୍ ଜବାବ୍ ନିଶ୍ଚିତ ଦେବେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରୀବ ବାସହୀନଙ୍କ ପାଇଁ ବାସଗୃହ ବଂଟନ, ଧାନ କିଣାରେ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ, ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ଧାନମଣ୍ଡି ବ୍ୟବସ୍ଥା, ଅସାଧୁ ମିଲର୍ସଙ୍କ ହାତରେ ଚାଷୀକୁଳର ଭାଗ୍ୟ ବନ୍ଧା ରଖିବା, ୧୪ଦଶ ଓ ୧୫ଦଶ ଅର୍ଥ କମିଶନ ସୁପାରିଶ ଆଧାରରେ ଗ୍ରାମାଂଚଳର ବିକାଶ ପାଇଁ ବ୍ୟାପକ ମାତ୍ରାରେ ଆସିଥିବା କେନ୍ଦ୍ରୀୟ ଅର୍ଥିକ ଅନୁଦାନର ବାଟମାରଣା ଆଦି ପ୍ରସଙ୍ଗରେ ଶାସକ ବିଜେଡିର ଅସଲ ମୁଖା ଖୋଲିଯାଇଛି ।

ଶାସକ ବିଜେଡି ଶାସନ କ୍ଷମତାବଳରେ ପୋଲିସ ଏବଂ ପ୍ରଶାସନର ଅପବ୍ୟବହାର କରି ବିରୋଧୀ ଦଳର କାର୍ଯ୍ୟକର୍ତାଙ୍କୁ ଭୟଭୀତ କରି ଦମନ କରିବାର ପ୍ରୟାସ ସଂପୂର୍ଣ୍ଣ ଭାବେ ଅଗଣତାନ୍ତୀକ । ଚାଷୀଙ୍କୁ ନ୍ୟାର୍ଯ୍ୟ ହକ୍ ପ୍ରଦାନ ଦାବୀରେ ବିଜେପି ଆନ୍ଦୋଳନ କରୁଥିବାବେଳେ ରାଜ୍ୟ ରାଜନୀତିରେ ପ୍ରଥମ ଥର ପାଇଁ ସମ୍ବଲପୁର ଟାଉନ ଥାନାରେ ପ୍ରମୁଖ ବିରୋଧୀ ଦଳର ରାଜ୍ୟ ସଭାପତି, ବିରୋଧୀ ଦଳ ନେତା, ସାଂସଦ, ବିଧାୟକଙ୍କ ସମେତ ବିଜେପିନେତୃବୃନ୍ଦଙ୍କୁ ଗିରଫ କରାଯାଇ ଅଟକ ରଖାଯିବା ଘଟଣା ସମସ୍ତଙ୍କୁ ଆଚମ୍ବିତ କରିଥିଲା । ତଥାପି ଚାଷୀମାରଣ ରାଜ୍ୟ ସରକାର କୈାଣସି ଶିକ୍ଷା ପାଇଲେ ନାହିଁ । ସେହିପରି ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ପଦାକୁ ଆସିବା ପରେ ପର୍ଦ୍ଧାଫାଶ କରିଥିବା ଲୋକମାନଙ୍କୁ ହତ୍ୟା ମଧ୍ୟ କରିଲେ । ବର୍ତମାନ ରାଜ୍ୟରେ ଗଣତନ୍ତ୍ର ବିପନ୍ନ ସ୍ଥିତିରେ ଅଛି ।
ବିଶ୍ୱ ମହାମାରୀ କରୋନା ସଂକଟ ସମୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ନେତୃତ୍ୱରେ ଭାରତବର୍ଷ ଆଜି ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। କରୋନା ସଂକଟ ସମୟରେ ୮୦ କୋଟି ଦେଶବାସୀଙ୍କୁ ମାଗଣା ରାସନ ପ୍ରଦାନ କରିବା, କୋଭିଡ୍ ଟୀକାକରଣରେ ଭାରତ ବର୍ଷକୁ ବିଶ୍ୱର ନେତୃତ୍ୱ ପ୍ରଦାନ କରିବା ଭଳି ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ କାରଣରୁ ଭାରତବର୍ଷ ଆଜି ବିଶ୍ୱର ନେତୃତ୍ୱ ନେବାକୁ ଯାଉଛି । ଏହା ଆମ ସମସ୍ତଙ୍କ ପାଇଁ ଗୈାରବର ବିଷୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ପୂର୍ବତନ ନଗରପାଳ ଗିରିଶ୍ ପଟେଲ, କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ ସଭାପତି ମହାନ୍ତି ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁଚିଣ୍ଡା ଜୋନ-୨ର ତେଲିତିଲେଇମାଲ, ବାମରା ବ୍ଲକ ଜୋନ-୨ର କେଶାଇବାହାଲ, ସୋଲବଗା ସମେତ ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ରବି ନାରାୟଣ ନାଏକ, ଜିଲ୍ଲା ସଭାପତି ଗିରିଶ ପଟେଲ, ପ୍ରାର୍ଥୀ ଦିବ୍ୟରାଜ କିଶାନଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Spread the love