ନ୍ୟାୟ ମାଗିଲେ ଡେପୁଟି ଜିଲ୍ଲାପାଳ

ବାରିପଦା, ବଦଳି ହୋଇ ଆସିଥିବା ଜଣେ ଡେପୁଟି ଜିଲ୍ଲାପାଳ(ଓଏଏସ୍‌) କାର୍ଯ୍ୟରେ ଯୋଗଦାନରୁ ବଞ୍ଚିତ ହୋଇଥିବା ନେଇ ପୁଅ ଓ ପୁତୁରାକୁ ଧରି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାରଣ୍ଡାରେ ଧାରଣାରେ ବସିଛନ୍ତି । ତାଙ୍କ ବଦଳି ଆଦେଶକୁ ପ୍ରତ୍ୟାଖ୍ୟାନ କରାଯାଇଥିବାରୁ ସେ ନିରୁପାୟ ହୋଇ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ସମ୍ପୃକ୍ତ ଅଧିକାରିଣୀ ଜଣକ ହେଲେ ମମତାଜ ମହାରଣା । ସେ ଏହି ଜିଲ୍ଲାର ବଡ଼ସାହି ତହସିଲ୍‌ଦାର ଥିବା ସମୟରେ ତାଙ୍କ ବିପକ୍ଷରେ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣରେ ସମ୍ପୃକ୍ତିକୁ ନେଇ ଏନ୍‌ଜିଟିରେ ମାମଲା ବିଚାରାଧୀନ ରହିଛି । କାର୍ଯ୍ୟରେ ଯୋଗଦେଲେ ମାମଲାକୁ ପ୍ରଭାବିତ ଆଶଙ୍କାକୁ ନେଇ ତାଙ୍କ ବଦଳି ଆଦେଶକୁ ଜିଲ୍ଲାପାଳ ଗ୍ରହଣ ନ କରି ପରିବର୍ତ୍ତନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖିଛନ୍ତି । ତତ୍‌ସହିତ ଧାରଣାରେ ବସିଥିବା ଅଧିକାରିଣୀଙ୍କୁ ୨ଦିନ ପୂର୍ବେ ଚିଠି ମାଧ୍ୟମରେ ଜଣାଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ କହିଛନ୍ତି ।
ସୂଚନାଯୋଗ୍ୟ, ୨୦୨୦-୨୨ ମସିହା ପର୍ଯ୍ୟନ୍ତ ବଡ଼ସାହି ତହସିଲ୍‌ରେ ତହସିଲ୍‌ଦାର ଭାବେ କାର୍ଯ୍ୟ କରୁଥିଲେ । ତହସିଲ୍ ଅଧୀନରେ ଥିବା ଡିଙ୍ଗିରା ଓ ମହୁପରା ଲିଝ ସଇରାତକୁ ବହୁଗୁଣା ବେଆଇନ ବାଲି ଉତ୍ତୋଳନ ଓ ପରିବହନ ଘଟଣାରେ ବିବାଦୀୟ ହୋଇପଡ଼ିଥିଲେ । ଯାହାକୁ ନେଇ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲରେ ମାମଲା ରୁଜୁ ହେବା ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତାଙ୍କୁ ଚାକିରିରୁ ନିଲମ୍ବିତ କରିବା ସହ କାରଣଦର୍ଶାଅ ନୋଟିସ ଜାରି କରିଥିଲା । ପରବର୍ତ୍ତୀ ସମୟରେ ସେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ବଳରେ ପୁନଃ ଅବସ୍ଥାପିତ ହେବା ସହ ୨୦୨୩ରେ ଦେବଗଡ଼ ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିଲେ । ତେବେ ତାଙ୍କ ପୁଅ ଓ ପୁତୁରା ବାରିପଦା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଥିବାରୁ ସେ ସରକାରୀ କ୍ୱାର୍ଟର ଛାଡ଼ି ନ ଥିଲେ । ଗତ ୧୫ ତାରିଖରେ ସେ ମୟୂରଭଞ୍ଜ ଜିଲ୍ଲା ରାଜସ୍ୱ ବିଭାଗରେ ଡେପୁଟି କଲେକ୍ଟର ଭାବେ ବଦଳି ହୋଇ ଆସିଛନ୍ତି । ତେବେ ରାଜସ୍ୱ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମହାରଣାଙ୍କ ପୂର୍ବ ମାମଲା ତଦନ୍ତ କରୁଥିବାରୁ ତାହା ପ୍ରଭାବିତ ଆଶଙ୍କା କରି ଜିଲ୍ଲାପାଳ ହେମକାନ୍ତ ସୟ ତାଙ୍କ ଯୋଗଦାନକୁ ଗ୍ରହଣ କରି ନ ଥିଲେ । ଅପରପକ୍ଷରେ ଜିଲ୍ଲାପାଳ ଏ ସମ୍ପର୍କରେ ଅତିରିକ୍ତ ଶାସନ ସଚିବଙ୍କୁ ଶ୍ରୀମତୀ ମହାରଣାଙ୍କୁ ଅନ୍ୟତ୍ର ଅବସ୍ଥାପିତ ପାଇଁ ପତ୍ର ଲେଖିଛନ୍ତି । ଏ ନେଇୠତ ୨୨ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ମେମୋ ନଂ୫୧୩୪/ଏଷ୍ଟରେ ଶ୍ରୀମତୀ ମହାରଣାଙ୍କୁ ମଧ୍ୟ ଅବଗତ କରାଯାଇଛି । କିନ୍ତୁ ସେ ନିଜ ଜିଦ୍‌ରେ ଅଟଳ ରହି କାର୍ଯ୍ୟରେ ଯୋଗ ନ ଦେବା ଯାଏଁ ଉକ୍ତ ଆନ୍ଦୋଳନକୁ ଆପଣାଇଛନ୍ତି । ତାଙ୍କ ସହିତ ପୁଅ ଓ ପୁତୁରା ମଧ୍ୟ ଧାରଣାରେ ବସିଥିଲେ । ରିପୋର୍ଟ ଲେଖାହେବା ବେଳକୁ ସେ ଧାରଣାରୁ ନିବୃତ ରହିଛନ୍ତି । ଗୁରୁବାର ଛୁଟି ଥିବାରୁ ଶୁକ୍ରବାର ପୁଣି ଅନୁରୂପ ଧାରଣାରେ ବସିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।

Spread the love