ଟ୍ରକ୍‌ ସହ ପିଟି ହେଲା ଉପ ବାଚସ୍ପତିଙ୍କ ଗାଡ଼ି

ଦୁର୍ଘଟଣାଗ୍ରସ୍ତ ହୋଇଛି ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ରଜନୀକାନ୍ତ ସିଂଙ୍କ ଗାଡ଼ି। ଗୋଟିଏ ଟ୍ରକ୍‌ ସହ ଉପ ବାଚସ୍ପତିଙ୍କ କାର୍‌ ଧକ୍କା ହୋଇଛି। ଅନୁଗୋଳର ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚମହଲା ନିକଟରେ ଏହି ଘଟଣା ଘଟିଛି। ଆଜି ଅପରାହ୍ନରେ ଉପବାଚସ୍ପତି ରଜନୀକାନ୍ତ ସିଂ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହାପରେ ସେ ନିଜ ଗାଡ଼ି (OD02AR6006)ରେ ଅନୁଗୋଳରୁ ବଲଙ୍ଗ ଅଭିମୁଖେ ଯାଉଥିଲେ। ଏହି ସମୟରେ ସମ୍ବଲପୁରରୁ ଅନୁଗୋଳ ଅଭିମୁଖେ ଆସୁଥିବା ଏକ ଟ୍ରକ ସହ ଏହାର ଧକ୍କା ହୋଇଛି।

ଦୁର୍ଘଟଣାରେ ଗାଡ଼ିର ଡାହାଣ ପାଖ ଅଂଶ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ତେବେ ସୌଭାଗ୍ୟବଶତଃ ଗାଡ଼ି ଚାଳକ ଓ ଉପବାଚସ୍ପତି ଶ୍ରୀ ସିଂ ସୁରକ୍ଷିତ ରହିଛନ୍ତି। ଦୁର୍ଘଟଣା ପରେ ଶ୍ରୀ ସିଂ ତୁରନ୍ତ ଆଉ ଏକ କାର୍‌ରେ ନିଜର ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରି ଯାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଯାକ ଗାଡ଼ିକୁ ଥାନାକୁ ନେଇଛି। ଏଥିସହ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ତା’ର ତଦନ୍ତ ଜାରି ରଖିଛି। ସାମ୍ନାକୁ ଆସିଥିବା ଦୃଶ୍ୟ ଅନୁଯାୟୀ, ସମ୍ଭବତଃ ଉପ ବାଚସ୍ପତିଙ୍କ କାର୍‌ଟି ଓଭରଟେକ କରୁଥିବା ବେଳେ ଟ୍ରକ୍‌ ଦେହରେ ମାଡ଼ ହୋଇଯାଇଛି।

Spread the love