ଅବିଶ୍ୱାସ ପ୍ରସ୍ତାବ ମଧ୍ୟରେ ୧୧ଟି ବିଲ ପାରିତ କଲେ କେନ୍ଦ୍ର ସରକାର । ନିୟମ ଉଲଙ୍ଘନ ବୋଲି ଅଭିଯୋଗ କଲେ ବିରୋଧୀ

ସଂସଦର ମୌସୁମୀ ଅଧିବେଶନରେ ସବୁଠାରୁ ରୋଚକ କଥା ହେଉଛି ବିରୋଧୀଦଳଙ୍କ ଦୁଇଟି ପ୍ରସଙ୍ଗ । ପ୍ରଥମ ପ୍ରସଙ୍ଗ ହେଉଛି ମଣିପୁର ଭାଇରାଲ ଭିଡିଓ ମାମଲାରେ ପ୍ରଧାନମନ୍ତ୍ରୀ ଗୃହରେ ନିଜର ବୟାନ ରଖନ୍ତୁ । ଦ୍ୱିତୀୟରେ କେନ୍ଦ୍ର ସରକାରଙ୍କ ବିରୋଧରେ ମିଳିତ ବିରୋଧୀମେଣ୍ଟ ଅବିଶ୍ୱାସ ପ୍ରସ୍ତାବ ଆଣିଛନ୍ତି । ଏହି ଦୁଇଟି ପ୍ରସଙ୍ଗରେ ବିରୋଧୀ ଓ ସରକାରୀ ଦଳର ସାଂସଦମାନଙ୍କ ମଧ୍ୟରେ ହଟ୍ଟଗୋଳ ଯୋଗୁଁ ଗୋଟିଏ ଦିନ ମଧ୍ୟ ସଂସଦ ଠିକରେ ଚାଲିପାରି ନାହିଁ । ହେଲେ ଏହି ହଟ୍ଟଗୋଳ ମଧ୍ୟରେ କେନ୍ଦ୍ର ସରକାର ୧୧ଟି ବିଲ୍ ପାରିତ କରିଛନ୍ତି ।ବନ ସଂରକ୍ଷଣ ସଂଶୋଧନ ବିଲ ଲୋକସଭାରେ ଜୁଲାଇ ୨୭ ତାରିଖରେ ପାରିତ ହୋଇଥିବା ବେଳେ ରାଜ୍ୟସଭାରେ ଅଗଷ୍ଟ ୨ ତାରିଖରେ ପାରିତ ହୋଇଥିଲା । ସେହିଭଳି ରାଷ୍ଟ୍ରୀୟ ଦନ୍ତ ଚିକିତ୍ସା ବିଧେୟକ ଲୋକସଭାରେ ଜୁଲାଇ ୨୮ ତାରିଖରେ ପାରିତ ହୋଇଥିବା ବେଳେ ଏନେଇ ରାଜ୍ୟସଭାରେ ଏପର୍ଯ୍ୟନ୍ତ ଭୋଟିଂ ହୋଇନାହିଁ । ରାଷ୍ଟ୍ରୀୟ ନର୍ସିଂ ଓ ମିଡୱାଇଫରୀ ବିଲ ଲୋକସଭାରେ ଜୁଲାଇ ୨୮ ତାରିଖରେ ପାରିତ ହୋଇଥିଲେ ବି ଏପର୍ଯ୍ୟନ୍ତ ଏହି ବିଲ୍ ଉପରେ ରାଜ୍ୟସଭାରେ ଭୋଟିଂ ହୋଇନାହିଁ । ସେହିଭଳି ଖଣି ଓ ଖଣିଜ ବିକାଶ ସଂଶୋଧନ ବିଲ ଜୁଲାଇ ୨୮ ତାରିଖରେ ଲୋକସଭା ଓ ଅଗଷ୍ଟ ୨ ତାରିଖରେ ରାଜ୍ୟସଭାରେ ପାରିତ ହୋଇଛି ।

ସିନେମାଟୋଗ୍ରାଫ ସଂଶୋଧନ ବିଲ ଜୁଲାଇ ୩୧ ତାରିଖରେ ଲୋକସଭାରେ ଓ ଜୁଲାଇ ୨୭ ତାରିଖରେ ରାଜ୍ୟସଭାରେ ପାରିତ ହୋଇଛି । ଅଫିସର ଏରିୟା ମିନରାଲ ସଂଶୋଧନ ବିଲ ଅଗଷ୍ଟ ୧ ତାରିଖରେ ଲୋକସଭାରେ ଓ ଅଗଷ୍ଟ ୩ ତାରିଖରେ ରାଜ୍ୟସଭାରେ ପାରିତ ହୋଇଛି । ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ସଂଶୋଧନ ବିଲ ଅଗଷ୍ଟ ୧ ତାରିଖରେ ଲୋକସଭାରେ ପାରିତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଏହି ବିଲ ଉପରେ ରାଜ୍ୟସଭାରେ ଭୋଟିଂ ହୋଇନାହିଁ । ସମ୍ବିଧାନ ଆଦେଶ ସଂଶୋଧନ ବିଲ ଜୁଲାଇ ୧ ତାରିଖରେ ଲୋକସଭାରେ ପାରିତ ହୋଇଥିଲା । ହେଲେ ରାଜ୍ୟସଭାରେ ଏହି ବିଲ ଉପରେ ଭୋଟିଂ ହୋଇନାହିଁ । ଅଧିବକ୍ତା ସଂଶୋଧନ ବିଲ ଉପରେ ଲୋକସଭାରେ ଭୋଟିଂ ହୋଇନଥିବା ବେଳେ ଅଗଷ୍ଟ ୩ ତାରିଖରେ ରାଜ୍ୟସଭାରେ ପାରିତ ହୋଇଛି । ପ୍ରେସ ଓ ସାମ୍ବାଦିକତା ବିଲ୍ ଉପରେ ଲୋକସଭାରେ ଭୋଟିଂ ହୋଇନଥିବା ବେଳେ ଅଗଷ୍ଟ ୩ ତାରିଖରେ ଏହା ରାଜ୍ୟସଭାରେ ପାରିତ ହୋଇଛି । ଜନବିଶ୍ୱାସ ସଂଶୋଧନ ବିଲ-୨୦୨୨ ଜୁଲାଇ ୨୭ ତାରିଖରେ ଲୋକସଭାରେ ଓ ଅଗଷ୍ଟ ୨ ତାରିଖରେ ରାଜ୍ୟସଭାରେ ପାରିତ ହୋଇଛି । ରିପିଲିଙ୍ଗ ଆଣ୍ଡ ଆମେଡିଙ୍ଗ ବିଲ ଲୋକସଭାରେ ଜୁଲାଇ ୨୭ ତାରିଖରେ ପାରିତ ହୋଇଥିବା ବେଳେ ରାଜ୍ୟସଭାରେ ଏନେଇ ଭୋଟିଂ ହୋଇନାହିଁ । ସେହିଭଳି ଦିଲ୍ଲୀ ସେବା ବିଧେୟକ ଲୋକସଭାରେ ଅଗଷ୍ଟ ୩ ତାରିଖରେ ପାରିତ ହୋଇଥିବା ବେଳେ ରାଜ୍ୟସଭାରେ ଏହି ବିଲ ଉପରେ ଏପର୍ଯ୍ୟନ୍ତ ଭୋଟି ହୋଇନାହିଁ ।

Spread the love