ୟୁକ୍ରେନ୍‌ର ସାମରିକ ତାଲିମ କେନ୍ଦ୍ରକୁ ରୁଷ୍‌ ଧ୍ବଂସ

କିଭ୍‌ : ୟୁକ୍ରେନ୍‌ ଯୁଦ୍ଧ ଆଜକୁ ୧୯ ଦିନ।ୟୁକ୍ରେନ୍‌ ରୁଷ୍‌ ସତ୍ତ ନ ମାନିବାରୁ ଯୁଦ୍ଧ ଥମୁନି।ଏପଟେ  ରବିବାର ରୁଷ୍‌ ୩୦ରୁ ଅଧିକ କ୍ରୁଜ୍‌ କ୍ଷେପଣାସ୍ତ୍ର ମାଡ଼ କରିବା ଯୋଗୁଁ ୟୁକ୍ରେନ୍‌ର ବ୍ୟାପକ ଧନଜୀବନ କ୍ଷତି ଘଟିଛି। ୟୁକ୍ରେନ୍‌ର ପଶ୍ଚିମ ସୀମାନ୍ତ ଲିଭ୍‌ ଅଞ୍ଚଳରେ ଥିବା ସାମରିକ ତାଲିମ କେନ୍ଦ୍ରକୁ ରୁଷ୍‌ କ୍ଷେପଣାସ୍ତ୍ର ମାଡ଼କରି ସଂପୂର୍ଣ୍ଣ ଧ୍ବଂସ କରିଦେଇଛି। ଏହି ଆକ୍ରମଣରେ ୩୫ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୧୩୪ରୁ ଅଧିକ ଲୋକ ଆହତ ହୋଇଛନ୍ତି। ନାଟୋ ସୁରକ୍ଷାରେ ଥିବା ପୋଲାଣ୍ଡ ସୀମାଠାରୁ ଲିଭ୍‌ ମାତ୍ର ୨୫ କିମି ଦୂରରେ ରହିଥିବାବେଳେ ରୁଷ୍‌ର ଏଭଳି ଆକ୍ରମଣ ୟୁକ୍ରେନ୍‌ର ଚିନ୍ତା ବଢାଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଏହି ସାମରିକ ତାଲିମ କେନ୍ଦ୍ରରେ ୟୁକ୍ରେନ୍‌ ନାଟୋ ଯୋଗାଉଥିବା ଅସ୍ତ୍ରଶସ୍ତ୍ରକୁ ଗଚ୍ଛିତ ରଖିଥିଲା। ରୁଷ୍‌ ସେନା ପୂର୍ବରୁ କ୍ଷେପଣାସ୍ତ୍ର ମାଡ଼ କରି ୟୁକ୍ରେନ୍‌ର ଗୋଳାବାରୁଦ କେନ୍ଦ୍ର ଓ ପ୍ରତିରକ୍ଷା ସ୍ଥଳ ଗୁଡିକୁ ଧ୍ବଂସ କରିଦେଇଥିବାରୁ ପୋଲାଣ୍ଡ ସୀମାର ଏହି କେନ୍ଦ୍ର ୟୁକ୍ରେନ୍‌ ପାଇଁ ସୁରକ୍ଷିତ ସ୍ଥଳ ଥିଲା। ଏଥିରେ ୧୮୦ରୁ ଅଧିକ ବିଦେଶୀ ସୈନ୍ୟ ନିହତ ହୋଇଥିବା ରୁଷ୍‌ ଦାବି କରିଛି। ଇରପିନ୍‌ ସହରରେ ରୁଷ୍‌ ସୈନ୍ୟଙ୍କ ଗୁଳିମାଡ଼ରେ ନ୍ୟୁୟର୍କ ଟାଇମ୍ସର ଜଣେ ସାମ୍ବାଦିକଙ୍କର ମୃତ୍ୟୁ ହୋଇଥିବା ୟୁକ୍ରେନ୍‌ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

 

ସେହିଭଳି ଦକ୍ଷିଣାଞ୍ଚଳର ମାଇକୋଲାଇଭ୍‌ରେ ରୁଷ୍‌ର କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୭ ଜଣ ଆହତ ହୋଇଥିବା ସ୍ଥାନୀୟ ମେୟର କହିଛନ୍ତି। କିଭ୍‌ଠାରୁ ୨୦ କିମି ଦୂର ପେରମୋହାର ଏକ ଗାଁରେ ଘନ ଘନ ବୋମାମାଡ଼ ହେବାରୁ ଲୋକେ ଜୀବନ ବିକଳରେ ଅଞ୍ଚଳ ଛାଡୁଥିବାବେଳେ ରୁଷ୍‌ ସୈନ୍ୟ ସାଧାରଣ ନାଗରିକଙ୍କ ଗାଡି ଉପରକୁ ଗୁଳିମାଡ଼ କରିଥିବା ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି।ରୁଷ୍‌ ସେନା କିଭ୍‌କୁ ଅବରୋଧ କରିଥିବାବେଳେ ସେଠାରେ ନାଗରିକଙ୍କ ପାଇଁ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀର ଅଭାବ ନାହିଁ। ଆଉ କିଛି ମାସ ପାଇଁ ଖାଦ୍ୟ ସାମଗ୍ରୀ ମହଜୁଦ ରହିଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମର ଜେଲେନସ୍କି ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି। ୟୁକ୍ରେନ୍‌ ରାଜଧାନୀ କିଭ୍‌କୁ ଚାରିପଟୁ ରୁଷୀୟ ସୈନ୍ୟ ଘେରି ରହି ଘନଘନ ବୋମା ଓ କ୍ଷେପଣାସ୍ତ୍ର ମାଡ଼ ଅବ୍ୟାହତ ରଖିଛନ୍ତି। କିଭ୍‌କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ବନ୍ଦ କରିବା ଲାଗି ରୁଷ୍‌ ପ୍ରୟାସ କରୁଥିବା ୟୁକ୍ରେନ୍‌ ଜରୁରୀକାଳୀନ ବିଭାଗ କହିଛି। ତେବେ କିଭ୍‌ ଦଖଲ ରୁଷ୍‌ ପାଇଁ ଏତେ ସହଜ ନୁହେଁ ଓ ଆମେ ଶେଷ ପର୍ଯ୍ୟନ୍ତ ଲଢେଇ କରିବୁ ବୋଲି ଜେଲେନେସ୍କି କହିଛନ୍ତି। ୟୁକ୍ରେନ୍‌ର ଇତିମଧ୍ୟରେ ୫୭୯ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ହଜାରେରୁ ଅଧିକ ଆହତ ହୋଇଥିବା ଏହାର ଗୃହ ବିଭାଗ ସୂଚନା ଦେଇଛି। ସେହିପରି ମାରିଓପଲରେ ଯୁଦ୍ଧ ଆରମ୍ଭଠାରୁ ଆଜି ପର୍ଯ୍ୟନ୍ତ ୨୧୦୦ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ୍‌ ଗୃହ ବିଭାଗ ସୂଚନା ଦେଇଛି।
ଅନ୍ୟପକ୍ଷରେ ରୁଷ୍‌ ହଜାର ହଜାର ସୈନିକଙ୍କର ମଧ୍ୟ ମୃତ୍ୟୁ ଘଟିଲାଣି। ବେଲାରୁଷ୍‌ର ଶବଗୃହ ରୁଷ୍‌ ସୈନିକଙ୍କ ଶବରେ ଭର୍ତ୍ତି ହୋଇପଡିଥିବାରୁ ଟ୍ରକ୍‌ ଜରିଆରେ ଏହାକୁ ମସ୍କୋ ପଠାଯାଉଥିବା ୟୁକ୍ରେନ୍‌ ପକ୍ଷରୁ କୁହାଯାଇଛି।
ରୁଷ୍‌ ସେନା ୟୁକ୍ରେନ୍‌କୁ ସବୁଆଡ଼ୁ ଘେରି ଆକ୍ରମଣ ତୀବ୍ର କରିଥିବାରୁ ପଶ୍ଚିମାଞ୍ଚଳ ୟୁକ୍ରେନ୍‌ରେ ରହିଥିବା ଭାରତୀୟ ଦୂତାବାସକୁ ସାମୟିକ ସମୟ ପାଇଁ ପୋଲାଣ୍ଡକୁ ସ୍ଥାନାନ୍ତର କରାଯାଇଛି। ପରିସ୍ଥିତି ଏବେ ଅଧିକ ବିଗିଡ଼ି ଯାଇଥିବାରୁ ଏବେ ସେଠାରେ ଦୂତାବାସ କାର୍ଯ୍ୟ କରିବା ସମ୍ଭବପର ନୁହେଁ; ତେଣୁ ସ୍ଥିତି ଉପରେ ପୁନଃସମୀକ୍ଷା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆଜି ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପରିସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ବିଦେଶମନ୍ତ୍ରୀ ଏସ.ଜୟଶଙ୍କର, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ, କ୍ୟାବିନେଟ୍‌ ସଚିବ, ବିଦେଶ ସଚିବ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ପି.କେ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ୟୁକ୍ରେନ୍‌ ସ୍ଥିତି ସହିତ ଭାରତର ସୁରକ୍ଷା ସ୍ଥିତି ଉପରେ ବିସ୍ତୃତ ବିଚାର ବିମର୍ଶ କରାଯାଇଥିବା ଜଣାପଡିଛି।ଅନ୍ୟପକ୍ଷରେ ରୁଷ୍‌ ଆକ୍ରମଣ ଯୋଗୁଁ ଇତିମଧ୍ୟରେ ୨୫ ଲକ୍ଷ ଲୋକ ୟୁକ୍ରେନ୍‌ରୁ ପଳାୟନ କରିସାରିଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମର ଜେଲେନସ୍କି କହିଛନ୍ତି। ଇତିମଧ୍ୟରେ ଖେରସନ୍‌ ସହିତ ୟୁକ୍ରେନ୍‌ର ଏକାଧିକ ଅଞ୍ଚଳ ଏବେ ରୁଷ୍‌ କବ୍‌ଜାକୁ ଆସିଯାଇଛି। ଡୋନେସ୍କ ଓ ଲୁହାନ୍ସ ଭଳି ଖେରସାନ୍‌କୁ ଆଉ ଏକ ଗଣରାଜ୍ୟ (ସ୍ବାଧୀନ ରାଷ୍ଟ୍ର)ର ମାନ୍ୟତା ଦେବାକୁ ରୁଷ୍‌ ଉଦ୍ୟମ କରୁଥିବା ଜେଲେନସ୍କି କହିଛନ୍ତି। ୟୁକ୍ରେନ୍‌ର ମେୟରଙ୍କୁ ରୁଷ୍‌ ସେନା ଅପହରଣ କରିନେିଥିବା ୟୁକ୍ରେନ୍‌ ବିଦେଶ ମନ୍ତ୍ରୀ ସୂଚନା ଦେଇଛନ୍ତି। ରୁଷ୍‌ ଚଳାଇଥିବା ଆତଙ୍କରାଜରୁ ୟୁକ୍ରେନ୍‌କୁ ମୁକ୍ତି ଦେବା ପାଇଁ ସେ ପୁଣିଥରେ ନାଟୋ ଓ ବିଶ୍ବ ନେତୃତ୍ବଙ୍କ ସହଯୋଗ ଲୋଡିଛନ୍ତି।
ଅନ୍ୟପକ୍ଷରେ ଫ୍ରାନ୍ସ ରାଷ୍ଟ୍ରପତି ମ୍ୟାକ୍ରନ୍‌ ପୁଣିଥରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସହ ଟେଲିଫୋନ୍‌ରେ କଥାବାର୍ତ୍ତା କରିଛନ୍ତି। ୟୁକ୍ରେନ୍‌କୁ ଆମେରିକା ୨୦୦ ନିୟୁତ ଡଲାରର ସହାୟତା ମଞ୍ଜୁର କରିଥିବା ମାର୍କିନ୍‌ ବିଦେଶମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କେନ୍‌ କହିଛନ୍ତି। ଅନ୍ୟପକ୍ଷରେ ରୁଷ୍‌କୁ ଏହି ଯୁଦ୍ଧରେ ଚୀନ୍‌ ସହାୟତା କରୁଥିବା ଆମେରିକା ଅଭିଯୋଗ କରିଛି। କେବଳ ସେତିକି ନୁହେଁ; ଏଥିପାଇଁ ମାର୍କିନ୍‌ ରାଷ୍ଟ୍ରପତି ଜୋ ବାଇଡେନ୍‌ ଚୀନ୍‌କୁ କଡ଼ା ଚେତାବନୀ ଦେଇଛନ୍ତି। ଚୀନ୍‌ ଏଭଳି ସହାୟତା ଜାରି ରଖିଲେ ବେଜିଂ ଉପରେ କଠୋର କଟକଣା ଲାଗୁ କରାଯିବ ଓ ଆଗାମୀ ପରିଣାମ ଭୟଙ୍କର ହେବ ବୋଲି ବାଇଡେନ୍‌ ଚେତାବନୀ ଦେଇଛନ୍ତି। ସେହିଭଳି ନାଟୋ ମଧ୍ୟ ରୁଷ୍୍‌କୁ ସତର୍କ କରାଇଛି। ଯଦି ରୁଷ୍‌ ଆଣବିକ କିମ୍ବା ରାସାୟନିକ ଅସ୍ତ୍ରଶସ୍ତ୍ର ୟୁକ୍ରେନ୍‌ ଉପରେ ପ୍ରୟୋଗ କରେ ତେବେ ତୃତୀୟ ବିଶ୍ବଯୁଦ୍ଧକୁ ଆମନ୍ତ୍ରଣ କରିବ ଏବଂ ଏହା ଅତ୍ୟନ୍ତ ବିନାଶକ ହେବ ବୋଲି ନାଟୋ ସତର୍କ କରାଇଛି।

 

Spread the love