ଧକ୍କା ଦେଇ କାର୍‌ ନଷ୍ଟ କଲେ ବାଇକ୍‌ ଆରୋହୀ; ରାଗିଯାଇ ଗ୍ରାମବାସୀଙ୍କୁ ପାଟି କଲେ ଦେବେ ଗୌଡ଼ାଙ୍କ ବୋହୂ

ବେଙ୍ଗାଲୁରୁ: ଜଣେ ବାଇକ୍‌ ଆରୋହୀଙ୍କ ଧକ୍କା ଯୋଗୁଁ କାର୍‌ ନଷ୍ଟ ହୋଇଯିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌. ଡି. ଦେବେଗୌଡ଼ାଙ୍କ ବୋହୂ ଭବାନୀ ରେବନ୍ନା ଗ୍ରାମବାସୀଙ୍କୁ ପାଟି କରୁଥିବାର ଦୃଶ୍ୟସମ୍ବଳିତ ଗୋଟାଏ ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଭବାନୀ ହେଉଛନ୍ତି କର୍ଣ୍ଣାଟକ ବିଧାୟକ ତଥା ‘ଜନତାଦଳ (ସିକ୍ୟୁଲାର୍‌)’ର ନେତା ଏଚ୍‌.ଡି. ରେବନ୍ନାଙ୍କ ସ୍ତ୍ରୀ। ଉତ୍ତୋଳନ ତାରିଖ ଜଣା ନ ଥିବା ଓ ଯାଞ୍ଚ କରାଯାଇ ନ ଥିବା ଉକ୍ତ ଭିଡିଓରେ ଦେଖାଯାଉଛି, ଭବାନୀଙ୍କ ଭଳି ଦିଶୁଥିବା ଜଣେ ମହିଳା  ଗୋଟାଏ ତୋୟୋଟା ଭେଲ୍‌ଫାୟାର୍‌ କାର୍‌ ପାଖରେ ଠିଆ ହୋଇ ଉକ୍ତ ବାଇକ୍‌ ଆରୋହୀଙ୍କୁ କହୁଛନ୍ତି କି, ବସ୍‌ ଚାପାରେ ତା’ର ମୃତ୍ୟୁ ହେଉ। ଦୁର୍ଘଟଣାସ୍ଥଳରେ ରୁଣ୍ଡ ହୋଇଥିବା ଗ୍ରାମବାସୀଙ୍କୁ ମଧ୍ୟ ସେ ପାଟି କରି କହୁଛନ୍ତି, ଦେଢ଼କୋଟି ଟଙ୍କାର କାର୍‌ ନଷ୍ଟ ହୋଇଯାଇଥିବା ବେଳେ ସେମାନେ କାହିଁକି ସେ ବାଇକ୍‌ ଆରୋହୀଙ୍କ ସୁରକ୍ଷା ପାଇଁ ଚିନ୍ତା କରୁଛନ୍ତି।

ସେ କହୁଛନ୍ତି, ବିପରୀତ ପାର୍ଶ୍ବରୁ ଆସୁଥିବା ଲୋକେ ବାମ ପାର୍ଶ୍ବରେ ଆସିବା ଉଚିତ। ଦେଖନ୍ତୁ, ସେ କେମିତି ମୋ ଦେଢ଼କୋଟି ଟଙ୍କା ମୂଲ୍ୟର କାର୍‌ ନଷ୍ଟ କରିଦେଲା। ଏ ଗାଡ଼ିରେ ଦାଗଟିଏ ପଡ଼ି ନ ଥିଲା। ଯଦି ତୋର ମରିବାକୁ ଇଚ୍ଛା, ଯାଇ ବସ୍‌ ଚାପାରେ ମର୍‌। ମୋ କାର୍‌ ନଷ୍ଟ କରିବାକୁ ତୁ କିଏ? ତା’ପରେ ସେ ଗ୍ରାମବାସୀଙ୍କ ଆଡ଼କୁ ମୁହଁ କରି ପଚାରୁଛନ୍ତି, ଆପଣମାନେ ଭାବୁଥିବେ ସେ ମରିଗଲେ କ’ଣ ହେବ? ଏଇ ଦେଢ଼କୋଟି ଟଙ୍କା ମୂଲ୍ୟର କାର୍‌ର ଯେଉଁ କ୍ଷତି ହେଲା, ତା’ର ଭରଣା କରିବ କିଏ?

Spread the love