ସୁନ୍ଦରଗଡ଼ ବିଜେପି ହାତରେ ଥିବାରୁ ବିକାଶ ରୋକିଛି ବିଜେଡି: ମନମୋହନ ସାମଲ

ସୁନ୍ଦରଗଡ଼: ‘ସୁନ୍ଦରଗଡ଼ ଜିଲ୍ଲାର ୩ଟି ବିଧାନସଭା ସୁନ୍ଦରଗଡ଼, ତଳସରା, ବୀରମିତ୍ରପୁର ଓ ଲୋକସଭା ବିଜେପି ହାତରେ। ତେଣୁ ସେମାନଙ୍କ ପ୍ରତି ଅସୂୟା ମନୋଭାବ ପୋଷଣ କରି ନବୀନ ସରକାର ଜିଲ୍ଲାର ବିକାଶକୁ ରୋକିଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନରେ ୪ ହଜାର କୋଟି ପଡ଼ି ରହିଥିବାବେଳେ ବିଧାୟିକା ତଥା ଟ୍ରଷ୍ଟି ସଦସ୍ୟା କୁସୁମ ଟେଟେ ୨୦୧୯ରୁ ରଖିଥିବା ଶହେ କୋଟିର ବିକାଶମୂଳକ ପ୍ରସ୍ତାବକୁ ତୃତୀୟ ମହଲାର ଇଙ୍ଗିତରେ ଜିଲ୍ଲାପାଳ ପକାଇ ରଖିଛନ୍ତି। ଲୋକେ ବିଜେଡିକୁ ଭୋଟ ଦେଲେନି ବୋଲି ଏଭଳି ଲୋକଙ୍କ ବିକାଶକୁ ବନ୍ଦ କରିଦେବା ଦୁର୍ଭାଗ୍ୟଜନକ।’ ସୋମବାର ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନର ସୁନ୍ଦରଗଡ଼ ପ୍ରତି ବୈମାତୃକ ମନୋଭାବପୋଷଣ କରୁଥିବା ଅଭିଯୋଗ କରି ପ୍ରତିବାଦରେ ସ୍ଥାନୀୟ ଶଙ୍କରାସ୍ଥ ପୌରପାଳିକା କଲ୍ୟାଣ ମଣ୍ଡପରେ ଆୟୋଜିତ ବିଜେପିର ବିଶାଳ ସମାବେଶରେ ମୁଖ୍ୟଅତିଥି ଭାବେ ରାଜ୍ୟ ସଭାପତି ମନମୋହନ ସାମଲ ଯୋଗ ଦେଇ ଏହା କହିବା ସହ ରାଜ୍ୟ ସରକାର ଉପରେ ବର୍ଷିଥିଲେ।

ସେ କହିଥିଲେ, ‘ଏହାକୁ ଜିଲ୍ଲାବାସୀ ବରଦାସ୍ତ କରିବେ ନାହିଁ। ୨୦୨୪ ନିର୍ବାଚନରେ ତା’ର ଜବାବ ନିଶ୍ଚୟ ଦେବେ, ଆଉ ବିଜେପିକୁ କ୍ଷମତାକୁ ଆଣିବେ’। ଏହି ଅବସରରେ ସଭାପତି ଶ୍ରୀ ସାମଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକାରୀ କରିଥିବା ସାରା ଦେଶରେ ୫ ବର୍ଷ ଗରିବଙ୍କ ପାଇଁ ମାଗଣା ରାସନ ଯୋଜନା ଯୁଗାନ୍ତକାରୀ ବୋଲି କହିଥିଲେ। ବିଧାୟିକା କୁସୁମ ଟେଟେଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ପୂର୍ବତନ ବିଧାୟିକା ସୁଷମା ପଟେଲ ପ୍ରମୁଖ ବକ୍ତବ୍ୟ ରଖି ସରକାର ଓ ସ୍ଥାନୀୟ ପ୍ରଶାସନର ଜନବିରୋଧୀ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଥିଲେ। ଅପରାହ୍ନ ୧ଟାରେ ରାଜ୍ୟ ସଭାପତି ଶ୍ରୀ ସାମଲ ହସ୍ପିଟାଲ ଛକଠାରୁ ଏକ ଶୋଭାଯାତ୍ରାରେ ସଭାସ୍ଥଳକୁ ଆସିଥିଲେ। ସମାବେଶରେ ବିଜେଡି ଯୁବ ନେତା କୁଲଦୀପ ସିଂ, ବିଜେପି ଛାଡ଼ି ବିଜେଡିକୁ ଯାଇଥିବା ସୁରେନ୍ଦ୍ର କୁମାର ଭିତିରିଆଙ୍କ ସହ ଦେଢ଼ଶହରୁ ଉର୍ଦ୍ଧ୍ବ ବିଜେଡି ଯୁବ କାର୍ଯ୍ୟକର୍ତ୍ତା ଓ ଭୂୟାଁ ସମାଜ ରାଷ୍ଟ୍ରୀୟ ଉପଦେଷ୍ଟା ଭୀଷ୍ମଦେବ କାଲୋ ବିଜେପିରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଜୟ ପଟେଲ, ପୌରାଧ୍ୟକ୍ଷା ତନୟା ମିଶ୍ର, କର୍ମକର୍ତ୍ତା ସୁରେନ୍ଦ୍ର ସ୍ବର୍ଣ୍ଣକାର, ଟଙ୍କଧର ତ୍ରିପାଠୀ, ଅଶୋକ ସାଏ, ଯଶୋବନ୍ତ ନାଏକ, ସୁଖଲାଲ ମୁଣ୍ଡା, ଲତିକା ପଟ୍ଟନାୟକ, ସଂଯୁକ୍ତା ନାଏକ, ସଞ୍ଜୁଲତା ନାୟକ, ଅସୀମ ପଟେଲ, ସୁରେଶଚନ୍ଦ୍ର ପଟେଲ ପ୍ରମୁଖ ମଞ୍ଚାସୀନ ଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଟକିଶୋର ମିଶ୍ର ମଞ୍ଚ ସଞ୍ଚାଳନ କରିଥିଲେ।

ଲୋକେ ଖାଉଥିଲେ, ଶୁଣୁଥିଲେ
ସଭାପତି ମନମୋହନ ସାମଲଙ୍କ ଭାଷଣ ଆରମ୍ଭ ହେଲା ବେଳକୁ ଲୋକେ ଖାଇବାକୁ ଚାଲି ଯାଇଥିଲେ। ଖାଇ ଖାଇ ରାଜ୍ୟ ସଭପତିଙ୍କ ଭାଷଣ ଶୁଣିଥିଲେ। ସଭାସ୍ଥଳରେ ଶହ ଶହ ଚୌକି ଖାଲି ପଡ଼ିଥିଲା। ସଭା ବିଳମ୍ବରେ ଆରମ୍ଭ ହୋଇଥିବାରୁ ମନମୋହନ ଭାଇଙ୍କ ଉଦାର ଅନୁମତିକ୍ରମେ ଲୋକଙ୍କୁ ଖାଇବାକୁ କୁହାଯାଇଥିଲା ବୋଲି ମଞ୍ଚ ସଞ୍ଚାଳନ କରୁଥିବା ବଟକିଶୋର ମିଶ୍ର ସୂଚନା ଦେଇଥିଲେ।

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଗିରଫ ଦାବି  
ବରଗଡ଼ ଜିଲ୍ଲା ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ସମ୍ପୃକ୍ତି ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ତାଙ୍କ ଇଙ୍ଗିତରେ ହିଁ ଉଦଭ୍ରାନ୍ତ ଓ ନିଶାସକ୍ତ ଯୁବକମାନେ ଥାନା ଭିତରେ ପଶି ୧୫ ମିନିଟ ଧରି ଆତଙ୍କରାଜ ଚଲାଇଥିଲେ। ହେଲେ ସେତେବେଳେ ପୁଲିସ ସେମାନଙ୍କୁ ରୋକି ନଥିଲା, ଆଉ ଏଯାଏ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ତେଣୁ ବିଧାୟକ ଶ୍ରୀ ସିଂଙ୍କ ନାମରେ ମାମଲା ରୁଜୁ କରି ତୁରନ୍ତ ଗିରଫ କରିବାକୁ ସୁନ୍ଦରଗଡ଼ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ଶ୍ରୀ ସାମଲ।

Spread the love