ଶ୍ରୀମନ୍ଦିର ଭିତରକୁ ଧସେଇ ପଶିଲେ ଭକ୍ତ
ଆଜି ସ୍କୁଲ, କଲେଜ ଓ ଅଫିସ୍ ଛୁଟି ଥିବା ହେତୁ ଅନେକ ଲୋକ ସପରିବାର ସକାଳୁ ସକାଳୁ କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ସିଂହଦ୍ବାରରେ ଭିଡ଼ ଲଗାଇଥିଲେ। ଜଗନ୍ନାଥଙ୍କ ରାଜରାଜେଶ୍ୱର ବେଶ ବା ସୁନାବେଶ ଦେଖିବାକୁ ଆଜି ପୁରୀରେ ଭକ୍ତମାନଙ୍କ ପ୍ରବଳ ଜନସମାଗମ ହୋଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମ ହେତୁ ସିଂହଦୁଆର ଆଗରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଉପରେ ମୁଣ୍ଡ ଫଟା ଖରା ଓ ପାଦତଳେ ବଡ଼ଦାଣ୍ଡର ତତଲା ରାସ୍ତା ଭକ୍ତଙ୍କୁ ଡହଳବିକଳ କରିଛି। ମୁଣ୍ଡ ଗୁଞ୍ଜିବାକୁ ଛାଇ ଟିକେ ମିଳିନି।
ସିଂହଦ୍ୱାର ଆଗରେ ଲମ୍ବା ଲାଇନ୍ ଲାଗିଥିବା ହେତୁ ଭକ୍ତମାନଙ୍କୁ ଦର୍ଶନ ଲାଗି ୪ରୁ ୫ ଘଣ୍ଟା ସମୟ ଲାଗୁଥିବା କୁହାଯାଉଛି। ବଡଦାଣ୍ଡରେ ପ୍ରାୟ ଦେଢ଼ କିଲୋମିଟର ବ୍ୟାପି ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବା ମାତ୍ରେ ଆରମ୍ଭ ହୋଇଥିଲା ଉପସ୍ଥିତ ଜନତାଙ୍କ ଭିତରେ ଠେଲାପେଲା ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା। କେମିିତି ମନ୍ଦିର ଭିତରେ ଆଗେ ପ୍ରବେଶ କରିବେ ତାକୁ ନେଇ ଭକ୍ତଙ୍କ ମଧ୍ୟରେ ଚାଲିଥିଲା ପ୍ରତିଯୋଗିତା।ଶ୍ରୀଜିଉଙ୍କ ନୀତିକାନ୍ତି ଲାଗି ପ୍ରାୟ ୧ ଘଣ୍ଟା ଯାଏ ଦର୍ଶନ ବନ୍ଦ ରହିଥିବା କାରଣରୁ ଏଭଳି ସ୍ଥିତି ଉପୁଜିଥିବା ଜଣାଯାଇଛି। ଏଥିରେ ଅତିଷ୍ଠ ହୋଇ ବ୍ୟାରିକେଡ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ଭକ୍ତ ଧସେଇ ପଶିଥିବା ଭଳି ଘଟଣା ଘଟିଛି। ଏହାଫଳରେ ସିଂହଦ୍ୱାର ଆଗରେ ଦଳାଚକଟା ସ୍ଥିତି ଉପୁଜିଛି।