ଦୁର୍ନୀତି ଅଭିଯୋଗ ଆସିବା ପରେ ଡିଜିସିଏ ଏରୋସ୍ପେସ୍ ନିର୍ଦ୍ଦେଶକ କ୍ୟାପଟେନ୍ ଅନୀଲ ଗିଲ୍ ନିଲମ୍ବିତ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ର ଏରୋସ୍ପେସ୍ ନିର୍ଦ୍ଦେଶକ କ୍ୟାପଟେନ୍ ଅନୀଲ ଗିଲଙ୍କୁ ନିଲମ୍ବିତ କରାଯାଇଛି। ବୁଧବାର ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅନୀଲ ଗିଲ୍ ଏକ ଦୁର୍ନୀତି ମାମଲାର ଅଭିଯୁକ୍ତ ଅଛନ୍ତି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ଦୁର୍ନୀତି ବିରୋଧରେ ଆମ ସରକାର ଶୂନ୍ୟ ସହନଶୀଳତା ନୀତି ରଖିଛନ୍ତି।

ନିକଟରେ ଡିଜିସିଏ ଲାଞ୍ଚ ମାମଲାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ହସ୍ତାନ୍ତର କରିବାକୁ ଦାବି କରିଥିବା ବେଳେ ଏଭଳି କୌଣସି ମାମଲାରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୂତ୍ରରୁ ପ୍ରକାଶ ଯେ କିଛି ଦିନ ତଳେ ମନ୍ତ୍ରଣାଳୟ ଏବଂ ଡିଜିସିଏକୁ ଏହି ମାମଲାରେ ଏକ ବେନାମୀ ଇମେଲ୍ ମିଳିଥିଲା ଯେଉଁଥିରେ ନିକଟରେ ଏରୋସ୍ପେସ୍ ବିଭାଗରେ ପୁନଃ ନିଯୁକ୍ତି ପାଇଥିବା ଗିଲଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା।

ସୂତ୍ରରୁ ପ୍ରକାଶ ଯେ ଇମେଲରେ ଅନୀଲଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା ।  ଏହାକୁ ନେଇ ବିଭାଗରେ ହଇଚଇ ସୃଷ୍ଟି ହୋଇଥିଲା। ନିର୍ଦ୍ଦେଶକ ଅନୀଲ ଗିଲ୍ ତାଙ୍କ କ୍ଷମତାର ଅପବ୍ୟବହାର କରୁଛନ୍ତି ଏବଂ ଯାହା ତାଙ୍କ ଅଧୀନରେ ନାହିଁ ସେଥିରେ ବି ସେ ହସ୍ତକ୍ଷେପ କରୁଛନ୍ତି । ଇମେଲରେ ଅନୀଲଙ୍କ କାର୍ଯ୍ୟକଳାପର ବିବରଣୀ ଦିଆଯାଇଥିଲା । ଏପରିକି ସେ କିପରି ଲାଞ୍ଚ ନେଉଛନ୍ତି ଓ ବିଭିନ୍ନ ସଂସ୍ଥାଙ୍କୁ ଧମକାଉଛନ୍ତି ତାହାର ଉଲ୍ଲେଖ ଥିଲା ।

Spread the love