ତିନିଦିନିଆ ମଙ୍ଗୋଲିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଚଳିତ ମାସ ୭ରୁ ୯ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ମଙ୍ଗୋଲିଆ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଗସ୍ତକାଳରେ ମଙ୍ଗୋଲିଆର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କର ସାକ୍ଷାତ୍ ଆଲୋଚନାର କାର୍ଯ୍ୟକ୍ରମ ରହିଛି । ମଙ୍ଗୋଲିଆର ରାଷ୍ଟ୍ରପତିଙ୍କ ସେପ୍ଟେମ୍ବର ମାସରେ ଭାରତ ଗସ୍ତ ପରେ ଭାରତର ଉଚ୍ଚ ସରକାରୀ ଅଧିକାରୀ ତଥା ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଙ୍ଗୋଲିଆ ଗସ୍ତରେ ଯାଉଛନ୍ତି । ଭାରତର ପୁଞ୍ଜି ନିବେଶରେ ମଙ୍ଗୋଲିଆର ନିର୍ମିତ ମଙ୍ଗୋଲ ତୈଳ ବିଶୋଧନ ପ୍ରକଳ୍ପକୁ ୮ ଅକ୍ଟୋବରରେ କେନ୍ଦ୍ରମନ୍ତ୍ରୀ ବୁଲି ଦେଖିବା ସହ ଶେଷ ହୋଇଥିବା କାମର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବେ । କେନ୍ଦ୍ରମନ୍ତ୍ରୀ ତୀଙ୍କ ଗସ୍ତକାଳରେ ଭାରତ-ମଙ୍ଗୋଲିଆ ମିଳିତ ଉଦ୍ୟମରେ ଏହି ଦେଶରେ ତୈଳ ବିଶୋଧନାଗାର ନିର୍ମାଣ ତଥା ରେଳ ଅନ୍ୟାନ୍ୟ କ୍ଷେତ୍ର ଯଥା ଖଣି, କୁକିଂ କୋଲ୍ ତଥା ରେଳ ଭିତିଭୂମି ବିକାଶ ପ୍ରସଙ୍ଗରେ ମଙ୍ଗୋଲିଆର ଖଣି ଓ ଭାରୀ ଶିଳ୍ପ ମନ୍ତ୍ରୀଙ୍କ ସହ ସାକ୍ଷାତ୍ ଆଲୋଚନା କରିବେ ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୧୫ ମସିହାର ମଙ୍ଗୋଲିଆ ଗସ୍ତକାଳରେ ୧.୨୩୬ ମିଲିୟନ ଆମେରିକୀୟ ଡଲାର୍ ଭାରତୀୟ ପୁଞ୍ଜି ନିବେଶରେ ମଙ୍ଗୋଲିଆ ତୈଳ ବିଶୋଧନା କାର୍ଯ୍ୟ ଆରମ୍ଭ ହୋଇଥିଲା । ପରେ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କର ସେପ୍ଟେମ୍ବର ୨୦୧୬ ଗସ୍ତ କାଳରେ ଏହି ପୁଞ୍ଜି ନିବେଶ ପରିମାଣକୁ ବୃଦ୍ଧି କରାଯାଇଥିଲା । ଭାରତ ସରକାରଙ୍କ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ରାଷ୍ଟ୍ରାୟତ ଉଦ୍ୟୋଗ ଇଞ୍ଜିନିୟର୍ସ ଇଣ୍ଡିଆ ଏହି ପ୍ରକଳ୍ପ ନିର୍ମାଣର ବୈଷୟିକ ସହାୟତା ଯୋଗାଇ ଦେଉଛି ।

Spread the love