ଧାମନଗର ଉପନିର୍ବାଚନରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଶାସକ ଦଳର ଏଜେଂଟ ନହେଉ: ସମୀର ମହାନ୍ତି

 ଧାମନଗର ଉପନିର୍ବାଚନ ଚାଲିଥିବା ବେଳେ ଏଠାରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଶାସକ ଦଳର ଚାମଚା ଭଳି ବ୍ୟବହାର କରୁଛନ୍ତି । ଗତକାଲି ଆଲିଗାଁରେ ଧାମନଗର ଥାନାର ପୋଲିସ ସହାୟତାରେ ବିଜୁ ଜନତା ଦଳର ଜଣେ ସରପଂଚଙ୍କ ସ୍ୱାମୀ, ଦିଅର ଓ ଆଉ ଜଣେ ଜିଲ୍ଲା ବାହାରର ବିଜେଡି କର୍ମୀ ଟଙ୍କା ବାଂଟୁଥିଲେ । ଘଟଣାରେ ଏପର୍ଯର୍୍ୟନ୍ତ ସମ୍ପୃକ୍ତ ମହିଳା ପୋଲିସ ଅଧିକାରୀଣି ମୋନାଲିସା ପ୍ରଧାନଙ୍କ ବିରୋଧରେ ଏବେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ସାଧାରଣ ଲୋକେ ଯେଉଁ ଲୋକକୁ ଶାସକ ଦଳ ପାଇଁ ଟଙ୍କା ବାଂଟିବା ବେଳେ ଧରିଥିଲେ ତାକୁ ମଧ୍ୟ ପୋଲିସ ଗିରଫ କରିନାହିଁ । ସେହିଭଳି ଧୁସୁରି, ତିହିଡି ଭଳି ଅଂଚଳରେ ମଧ୍ୟ ପୋଲିସ ଗାଡିରେ ବିଜୁ ଜନତା ଦଳ ଅର୍ଥ କାରବାର କରୁଛି ବୋଲି ଅଭିଯୋଗ ଆସୁଛି । ଏଭଳି ସ୍ଥିତିରେ ଭଦ୍ରକ ଜିଲ୍ଲା ପୋଲିସର ଭୂମିକା ଶାସକ ଦଳକୁ ସୁହାଇଲା ଭଳି । ସେମାନଙ୍କର କାର୍ଯ୍ୟକଳାପ ଦେଖିଲେ ଲାଗୁଛି ଯେମିତି ସେମାନେ ଶାସକ ଦଳକୁ ଜିତାଇବା ପାଇଁ ସମସ୍ତ ସରକାରୀ ନୀତିନିୟମ ଭୁଲିଯାଉଛନ୍ତି । ନିର୍ବାଚନ ପରିଚାଳନାରେ ନିରପକ୍ଷତା ଅବଲମ୍ବନ କରିବା ବଦଳରେ ସେମାନେ ଶାସକ ଦଳର କର୍ମୀ ଭଳି ବ୍ୟବହାର କରୁଛନ୍ତି । ଏହି ପ୍ରସଙ୍ଗରେ ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ସତ୍ୟାଗ୍ରହ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳ୍ୟ ଆଗରେ ହୋଇଥିଲା ।
ଏହି ପ୍ରସଙ୍ଗରେ ସମୀର ମହାନ୍ତି କହିଛନ୍ତି ଯେ କିଛି ଦିନ ତଳେ ଭଦ୍ରକ ଜିଲ୍ଲା ଏସପି ବିଜେପିର ୧୦୮୬ ଜଣ କାର୍ଯ୍ୟକର୍ତା ଓ ସମର୍ଥକମାନଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ଏକ ଆକ୍ରୋଶ ରଖି ସିଆରପିସି ଧାରା ୧୦୭ ଓ ୧୧୦ ଆଧାରରେ ନୋଟିସ ପଠାଇ ସେମାନଙ୍କୁ ସବ କଲକ୍ଟେରଙ୍କ ସାମନାରେ ଜାମିନ ନେବା ପାଇଁ ବାଧ୍ୟ କରିଛନ୍ତି । ବିଜେପିର ଅନେକ ଭଲ କାର୍ଯ୍ୟକର୍ତା ଯାହାଙ୍କ ନାଁରେ କେବେ କୌଣସି ଅପରାଧୀକ ମାମଲା ହୋଇନାହିଁ ସେମାନଙ୍କୁ ମଧ୍ୟ ପୋଲିସ ନୋଟିସ ପଠାଇ ହଇରାଣ କରୁଛି । ଅନେକ ପରିବାରର ମହିଳାମାନଙ୍କୁ ମଧ୍ୟ ନୋଟିସ ଦେଇଥିଲା ପୋଲିସ । ଏହା ସମ୍ପୃର୍ଣ୍ଣ ଭାବରେ ଶାସକ ଦଳର ଇଙ୍ଗିତରେ ବିଜେପିର କାର୍ଯ୍ୟକର୍ତାଙ୍କୁ ହଇରାଣ କରିବା ପାଇଁ ଉଦ୍ଦିଷ୍ଟ ଥିଲା । ବାସ୍ତବରେ ଶାସକ ଦଳର କର୍ମୀମାନେ ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ଭଙ୍ଗ କରି ଅଶାନ୍ତିର ବାତାବରଣ କରିଥାଆନ୍ତି ।


ନିର୍ବାଚନ ଯେତିକି ପାଖେଇ ଆସୁଛି ଶାସକ ଦଳ ପକ୍ଷ୍ୟରୁ ଟଙ୍କା ବଂଟା ଯିବା, ଲୋକମାନଙ୍କୁ ଧମକ ଦିଆଯିବାର ଘଟଣା ସେତେ ଅଧିକ ଦେଖାଯାଉଛି । ହେଲେ ପୋଲିସ ଯଦି ନିରପକ୍ଷ ନରହିବ ତାହେଲେ ଧାମନଗରରେ ଲୋକମାନେ ନିର୍ଭୟ ଭାବରେ ଭୋଟ ଦେଇ ପାରିବେ ନାହିଁ । ତେଣି ଜିଲ୍ଲା ଏସପି ନିଜର ସାମ୍ବିଧାନିକ ଦାୟୀତ୍ୱକୁ ନିର୍ବାହ କରି ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି ଜଣାଇଛନ୍ତି ।
ଏହି ସତ୍ୟାଗ୍ରହରେ ପୁର୍ବତନ ମନ୍ତ୍ରୀ ସୁରମା ପାଢୀ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକାନ୍ତ ନାୟକ, ସନାତନ ବିଜୁଳି, ନବ ମାଝି, ପ୍ରକାଶ ସୋରେନ, ଭାସ୍କର ମଢେଇ, ସମ୍ପାଦକ କାଳନ୍ଦୀ ସାମଲ, ଅଭିମନ୍ୟୁ ସେଠି, ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଠାକୁର ରଣଜିତ ଦାସ, ମନୋଜ ମହାପାତ୍ର, ଅନିଲ ବିଶ୍ୱାଳ, ଗଣମାଧ୍ୟମ ସହ ମୁଖ୍ୟ ସୁଜିତ ଦାସ, ପ୍ରଦିପ୍ତ ନାୟକ, ବଦ୍ରି ଧଳ, ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love