ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୧୯/୦୬:   ଭିଜିଲାନ୍ସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶୋକବାର୍ତ୍ତାରେ ସେ ଟ୍ୱିଟ୍ କରି କହିଛନ୍ତି ଯେ, ସ୍ୱର୍ଗତ ପାଣିଗ୍ରାହୀ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଫଳତାର ସହ କାର୍ଯ୍ୟ କରିଥିଲେ । ରାଜ୍ୟ ଜଣେ ଦକ୍ଷ ଆଇପିଏସ ଅଧିକାରୀଙ୍କୁ ହରାଇଲା । ତାଙ୍କ ସ୍ଥାନ ଅପୂରଣୀୟ ସ୍ୱର୍ଗତ ପାଣିଗ୍ରାହୀଙ୍କ ଶୋକସନ୍ତପ୍ତ ପରିବାରକୁ ସେ ସମବେଦନା ଜଣାଇଛନ୍ତି ।

ସେହିପରି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ଡିଜିପି ଶୋକ ପ୍ରକାଶ କରିଛନ୍ତି। ଡିଜିପି ଟ୍ଵିଟ୍ କରି କହିଛନ୍ତି ଯେ, ଆମେ ପ୍ରିୟ ଦେବାଶିଷ ପାଣିଗ୍ରାହୀଙ୍କୁ ହରାଇଛୁ। “ସେ ଜଣେ ଉଲ୍ଲେଖନୀୟ ପୋଲିସ ଅଧିକାରୀ। ଏହାସହ ଜଣେ ସଫଳ ଲେଖକ, ଜଣେ ଦୟାଳୁ ମଣିଷ ଓ ପ୍ରିୟ ବନ୍ଧୁ। ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ, ସମୟାନୁବର୍ତ୍ତିତା ଓ ନେତୃତ୍ଵ ପାଇଁ ସବୁବେଳେ ମନେ ରହିବେ।

ସୂଚନାଯୋଗ୍ୟ, ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ, ବରିଷ୍ଠ ଆଇପିଏସ୍‌ ତଥା ବିଶିଷ୍ଟ ଗାଳ୍ପିକ ଡ. ଦେବାଶିଷ ପାଣିଗ୍ରାହୀ ଆଉ ନାହାନ୍ତି । କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅସୁସ୍ଥ ଅବସ୍ଥାରେ କୋଲକାତାସ୍ଥିତ ମେଡିକା ସୁପର୍‌ ସ୍ପେସାଲ୍‌ ହସ୍ପିଟାଲ୍‌ରେ ସେ ଚିକିତ୍ସିତ ହେଉଥିଲେ । ତାଙ୍କୁ ଏକ୍‌ମୋ ସପୋର୍ଟରେ ରଖାଯାଇଥିଲା। ଶୁକ୍ରବାର ରାତି ପ୍ରାୟ ୧୦ଟା ୧୫ରେ ଡ. ପାଣିଗ୍ରାହୀ ଶେଷନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ପୁଲିସ ପ୍ରଶାସନର ବରିଷ୍ଠ ପଦାଧିକାରୀ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଗାଳ୍ପିକ ଡ. ପାଣିଗ୍ରାହୀଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ସମଗ୍ର ରାଜ୍ୟରେ ଶୋକ ଖେଳିଯାଇଛି । ପ୍ରଶାସନିକ ଅଧିକାରୀ, ପୁଲିସ ଅଧିକାରୀ ଓ ସାହିତ୍ୟିକ ମହଲରେ ଏକରକମ ସ୍ତବ୍‌ଧତା ଛାଇଯାଇଛି ।

Spread the love