ଓଡ଼ିଶାରେ ଗୋଟିଏ ପରିବାରର ୨୩ ବର୍ଷ ଏବଂ ପୂର୍ବ ୫ ବର୍ଷ, ମୋଟ ୨୮ ବର୍ଷ ଶାସନରେ ପଛୁଆ ଜାତି ସବୁଠୁ ଖରାପ ଅବସ୍ଥାରେ ଅଛି –ଧର୍ମେନ୍ଦ୍ର ପ୍ରଧାନ

ପାଇକମାଲ, ଜୁନ ୧୧ – ମୋଦି ସରକାରରେ ପଛୁଆ ଜାତିଙ୍କୁ ବିଭିନ୍ନ କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ସଂରକ୍ଷଣ ଦିଆଯାଇଥିବା ବେଳେ ଓବିସି କମିଶନକୁ ସମ୍ବିଧାନ ମାନ୍ୟତା ଦିଆଯାଇଛି । କିନ୍ତୁ ଓଡ଼ିଶା ସରକାର ଏ ଦିଗରେ କର୍ଣ୍ଣପାତ କରୁନାହାନ୍ତି । ଓଡ଼ିଶାରେ ଗୋଟିଏ ପରିବାରର ୨୩ ବର୍ଷ ଶାସନ ଏବଂ ପୂର୍ବ ୫ ବର୍ଷ ଏଭଳି ମୋଟ ୨୮ ବର୍ଷ ଶାସନରେ ପଛୁଆ ଜାତି ସବୁଠୁ ଖରାପ ଅବସ୍ଥାରେ ଅଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରବିବାର ବରଗଡ଼ ଜିଲ୍ଲା ପାଇକମାଲ ନୃସିଂହନାଥ ଠାରେ ‘ବାବା ବିଶାଶହେ କୁଳ କୁଲତା ସମାଜ ଯୁବ ସଂଗଠନ’ର ଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ଭୋଗ ମଣ୍ଡପର ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଏହି ଅବସରରେ ସେ କହିଛନ୍ତି ଯେ ମୋଦି ସରକାରରେ ପଛୁଆ ବର୍ଗଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସଂରକ୍ଷଣ ପ୍ରଦାନ କରାଯାଇଛି । ମାତ୍ର ଏଠାରେ କୁଲତା ସମାଜ ସମେତ ବହୁ଼ସଂଖ୍ୟକ ସମାଜକୁ ସମ୍ବିଧାନ ଅନୁମୋଦିତ ସଂରକ୍ଷଣ ମିଳୁନାହିଁ । ଓଡ଼ିଶା ସରକାର କୁଲତା ସମାଜ ପାଇଁ ପୁରୀରେ ଜାଗା ଦେଇଛନ୍ତି । କିନ୍ତୁ ଏହି ଜାଗା ନାଁରେ କୁଲତା ସମାଜ ପରି ୫୪ ପ୍ରତିଶତ ପଛୁଆ ଜାତିଙ୍କ କ୍ଷତି ହୋଇଛି । ଲାଞ୍ଚ ଦେଇ ମୂଳ ସ୍ୱାର୍ଥ ତଥା ପଛୁଆ ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ୨୭ ପ୍ରତିଶତ ସଂରକ୍ଷଣକୁ ଅଣଦେଖା କରାଯାଉଛି । କିନ୍ତୁ ଓଡ଼ିଶାରେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଭୟରେ ପଛୁଆ ବର୍ଗଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ ରଖାଯାଉଛି ।

ବିଭିନ୍ନ କ୍ଷେତ୍ରରେ ସଂରକ୍ଷଣ ମିଳିବା ଦ୍ୱାରା କୁଲତା ସମାଜ ଭଳି ପଛୁଆ ଜାତିର ଲୋକମାନେ ସୁଚାରୁରୂପେ ଦାୟିତ୍ୱ ନିର୍ବାହ କରିଥାନ୍ତି । ତେଣୁ ଏହି ବର୍ଗର ଲୋକଙ୍କୁ କିପରି ସେମାନଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ସଂରକ୍ଷଣ ଦିଆଯିବ, ସେ ଦିଗରେ ଚେଷ୍ଟା କରିବା ଦରକାର । କଷ୍ଟ ଅର୍ଜିତ ଓ ସମ୍ବିଧାନ ସୁରକ୍ଷା ହାସଲ କରିବା ମୂଳ ବିଷୟ । ବିଶେଷ ଭାବରେ ଯୁବ ସଂଗଠନ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଆଗରେ ରହିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଭାଷା, ଜାତି, ଧର୍ମ କେବେ ସଂକୀର୍ଣ୍ଣ ହୋଇନାହିଁ । ଏହା ଯୋଡିବାର ଏକ ମାଧ୍ୟମ । ଏହା ପଡୋଶୀ ରାଜ୍ୟ ସହ ବିଭିନ୍ନ ବର୍ଗ ଓ ଜିଲ୍ଲାକୁ ସବୁବେଳେ ଯୋଡିଆସିଛି । ଜାତି କେବେ ବିଭେଦ ତିଆରି କରେ ନାହିଁ । କିନ୍ତୁ ଜାତିକୁ ଆଧାର କରି ଯେଉଁମାନେ ନ୍ୟସ୍ତସ୍ୱାର୍ଥ ସାଧନ କରନ୍ତି, ସେମାନେ ହିଁ ଜାତିକୁ ବଦନାମ କରନ୍ତି ।

ପ୍ରଭୁ ନଂସିଂହ ନାଥ ଓଡ଼ିଶାର ଜନଜୀବନର ଆନ୍ଦୋଳନର ମୁକସାକ୍ଷୀ । ଇତିହାସ ଓ ପୁରାଣର ଅଂଶବିଶେଷ । ପ୍ରଭୁ ନୃସିଂହନାଥ ଓ ମା’ ରଣେଶ୍ୱର ରାମଚଣ୍ଡୀଙ୍କ ଏହି ପବିତ୍ର ଭୂମିରେ ଭକ୍ତି ଓ ଶ୍ରଦ୍ଧା ଯୁଗ ଯୁଗ ଧରି ଯୋଡି ହୋଇ ରହିଛି । ଆଜି ଏ ଚଷାଚାଷୀ ଅଞ୍ଚଳ ପ୍ରତି ଅନ୍ୟାୟ ହେଉଛି, ଏହା ବିରୋଧରେ ଆମେ ସମସ୍ତେ ଲଢେଇ କରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Spread the love