ପାଇକ ବିଦ୍ରୋହ ସ୍ମାରକୀ ଓଡିଆ ଜାତିର ଅସ୍ମିତା ଓ ଗୌରବର ପ୍ରତୀକ, ଏହାର ନିର୍ମାଣ ପାଇଁ ସମସ୍ତଙ୍କ ସହଯୋଗ ଦରକାର – ଧର୍ମେନ୍ଦ୍ର ପ୍ରଧାନ

ଖୋର୍ଦ୍ଧା, ଜୁଲାଇ ୦୭ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲା ବରୁଣେଇ ଠାରେ ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ପରିଦର୍ଶନ କରିବା ସହ ପ୍ରକଳ୍ପ କାମର ଅଗ୍ରଗତି ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ପ୍ରକଳ୍ପର ପରିକଳ୍ପନା ୨୦୧୭ ମସିହାରେ ହୋଇଥିଲା । ଏହି ବର୍ଷ ଭାରତର ତତ୍କାଳୀନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ କେନ୍ଦ୍ର ବଜେଟରେ ଅର୍ଥ ବରାଦ କରିବା ସହ ଓଡ଼ିଆ ଜାତିର ବୀରତ୍ୱକୁ ରାଷ୍ଟ୍ରୀୟ-ଅନ୍ତରାଷ୍ଟ୍ରୀୟ ସ୍ୱୀକୃତି ପ୍ରଦାନ କରିଥିଲେ । ପରେ ୨୦୧୭ ଜୁଲାଇ ୨୦ରେ ତତ୍କାଳୀନ ରାଷ୍ଟ୍ରପତିଙ୍କ ଉପସ୍ଥତିରେ ନୂଆଦିଲ୍ଲୀ ଠାରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ସମାରୋହର ଆୟୋଜନ ହୋଇଥିଲା ।  ୨୦୧୮ ଡିସେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରୁଣେଇ ପାଦଦେଶରେ ପାଇକ ବିଦ୍ରୋହର ସ୍ମାରକୀ ମୁଦ୍ରା ଓ ଷ୍ଟାମ୍ପ ଉନ୍ମୋଚନ କରିଥିଲେ । ୨୦୧୯ ଡିସେମ୍ବର ୮ରେ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ସ୍ମାରକୀର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

୨୦୧୭ରୁ ପାଖାପାଖି ୬ ବର୍ଷ ମଧ୍ୟରେ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ସବୁ ବୁଝାମଣା ହୋଇ ସାରିଛି । ରାଜ୍ୟ ସରକାର ବରୁଣେଇର ପାଦଦେଶରେ ଜମି ମଧ୍ୟ ଉପଲବ୍ଧ କରାଇଛନ୍ତି । ଭାରତ ସରକାରଙ୍କ ସଂସ୍କୃତି ବିଭାଗ ସବୁ ନିୟମକୁ ମାନିବା ପାଇଁ ପ୍ରସ୍ତୁତ ଅଛନ୍ତି । ପ୍ରକଳ୍ପ ସ୍ଥାନରୁ ବିଦ୍ୟୁତ ଖୁଣ୍ଟ ଓ ଗଛ ହସ୍ତାନ୍ତରଣ ପାଇଁ ଅର୍ଥ ଦିଆଯାଇଛି । ଏହା ସ୍ମାରକୀ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟିଛି । ପାଇକ ବିଦ୍ରୋହ ହେଉଛି ଓଡିଆ ଜାତିର ସ୍ୱାଭିମାନ, ଅସ୍ମିତା ଓ ଗୌରବର ପ୍ରତୀକ । ତେଣୁ ଓଡ଼ିଆ ଅସ୍ମିତାର ପ୍ରତୀକ ଭାବେ ପାଇକ ସ୍ମାରକୀ ନିର୍ମାଣ ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ପ୍ରକଳ୍ପ ସ୍ଥାନ ପରିଦର୍ଶନ ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ସହ ସାଂସଦ ଭର୍ତ୍ତୃହରି ମହତାବ ସାଥୀରେ ଥିଲେ ।

Spread the love