ଭାଷା ସଂଗମ’ ମୋବାଇଲ୍‌ ଆପ୍‌ ଲୋକାର୍ପିତ: ୨୨ଟି ଆଞ୍ଚଳିକ ଭାଷାରେ ଦୈନିକ ବ୍ୟବହାରିକ କଥା ଶିଖିବେ ଛାତ୍ରଛାତ୍ରୀ- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୦୧/୧୧: ଦେଶରେ ଦୈନନ୍ଦିନ ବ୍ୟବହୃତ ହେଉଥିବା ସାଧାରଣ କଥା ଗୁଡିକୁ ଏଣିକି ସମ୍ବିଧାନ ସ୍ୱୀକୃତ ୨୨ଟି ଆଂଚଳିକ ଭାଷାରେ ସ୍କୁଲ ଛାତ୍ରଛାତ୍ରୀମାନେ ଶିଖିପାରିବେ । ଏଥିପାଇଁ ଆଜି ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏକ ଭାରତ ଶ୍ରେଷ୍ଠ ଭାରତ ଅନ୍ତର୍ଗତ ଭାଷା ସଂଗମ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ଭାଷା ସଂଗ୍ରାମ ମୋବାଇଲ ଆପ୍ ଏବଂ ‘ଏକ ଭାରତ ଶ୍ରେଷ୍ଠ ଭାରତ ମୋବାଇଲ କୁଇଜ୍ ଗେମ୍ ଆପ’ର ମଧ୍ୟ ଶୁଭାରମ୍ଭ କରିଛନ୍ତି ।

ସୋମବାର ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆୟୋଜିତ ଏହି ସ୍ୱତନ୍ତ୍ର ଲୋକାର୍ପଣ ସମାରୋହରେ ଯୋଗଦେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଶୁଭାରମ୍ଭ ହୋଇଥିବା ଭାଷା ସଂଗମ ; ଭାଷାର ଏକତା ମାଧ୍ୟମରେ ବିବିଧ ଭାଷାକୁ ପ୍ରୋତ୍ସାହନ ପ୍ରଦାନ କରିବ । ଭାଷା ସଂଗ୍ରାମ ମୋବାଇଲ ଆପରେ ଦେଶରେ ପ୍ରତିଦିନ ବ୍ୟବହୃତ ୧୦୦ଟି ସାଧାରଣ ବାକ୍ୟ ଗୁଡିକୁ ୨୨ଟି ଆଂଚଳିକ ଭାଷାରେ ଉପଲବ୍ଧ କରାଯାଇଛି । ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ଆପ୍ ମାଧ୍ୟମରେ ସାଧାରଣ କଥା ଗୁଡିକର ପ୍ରୟୋଗ ବିଭିନ୍ନ ଭାଷାରେ କ’ଣ କୁହାଯାଏ ଜାଣିପାରିବେ । ଏତଦବ୍ୟତିତ ଏକ ଭାରତ ଶ୍ରେଷ୍ଠ ଭାରତ ମୋବାଇଲ କୁଇଜ ଗେମ୍ ଆପର ବ୍ୟବହାର କରି ଛାତ୍ରଛାତ୍ରୀମାନେ ବିଭିନ୍ନ ରାଜ୍ୟର ସମୃଦ୍ଧ ସଂସ୍କୃତି, ଦେଶର ବୀର ସଂଗ୍ରାମୀ, ଐତିହ୍ୟ, ପରମ୍ପରା, ପର୍ଯ୍ୟଟନ ସ୍ଥଳି, ଭାଷା, ଭୁଗୋଳ, ଇତିହାସକୁ ଅଧିକ ଜାଣିପାରିବେ ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଭାରତୀୟ ଭାଷାକୁ ପ୍ରୋତ୍ସାହନ ଦେବା ଜାତୀୟ ଶିକ୍ଷା ନୀତି ୨୦୨୦ର ମୂଳ ଉଦ୍ଦେଶ୍ୟ । ଆଗାମୀ ଦିନରେ ଭାଷାକୁ କ୍ରେଡ଼ିଟ୍ ଅର୍ନିଂ ବ୍ୟବସ୍ଥାରେ ଏକତ୍ରିତ କରାଯିବ । ଦେଶ ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଅଛି । ଆଜି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିଆଯାଇଥିବା ଅଭିନବ ପଦକ୍ଷେପ ଭାରତୀୟ ଭାଷାରେ ଛାତ୍ରଛାତ୍ରୀ ଏବଂ ନାଗରିକଙ୍କୁ ମଧ୍ୟରେ ଶିକ୍ଷା ପ୍ରତି ପ୍ରୋତ୍ସାହନ ପ୍ରଦାନ କରିବ । ବହୁ ଭାଷାରେ ଶିକ୍ଷା ପ୍ରଦାନକୁ ପ୍ରୋତ୍ସାହନ ଦେବାରେ ଅଧିକ ସହାୟକ ହେବ ଏବଂ ଛାତ୍ରଛାତ୍ରୀଙ୍କୁ ଭାରତ ବିଷୟରେ ଅଧିକ ଜାଣିବା ପାଇଁ ଆଗ୍ରହ ସୃଷ୍ଟି କରିବ ।

ଆଜିର କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନକୁ ପ୍ରୋତ୍ସାହନ ଦେବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ଆର.ଆର ସିଂହ, ସ୍କୁଲ ଶିକ୍ଷା ଏବଂ ସ୍ୱାକ୍ଷରତା ବିଭାଗର ସଚିବ ଅନିତା କରୱାଲ, ଉଚ୍ଚ ଶିକ୍ଷା ସଚିବବ ସଞ୍ଜୟ ମୂର୍ତି, ମାଇଗଭର୍ନାନ୍ସର ସିଇଓ ଅଭିଷେକ ସିଂହ ଏବଂ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଉପସ୍ଥିତ ଥିଲେ ।

Spread the love