ନୂଆପିଢ଼ିଙ୍କ ଠାରେ ଭାରତୀୟ ଇତିହାସର ସଠିକ୍‌ଏବଂ ସମ୍ପୂର୍ଣ୍ଣ ଜ୍ଞାନ ରହିବା ଉଚିତ୍ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର – ଭାରତର ଇତିହାସ ପୃଷ୍ଠାରେ ଉଲ୍ଲେଖ ହୋଇ ରହିଯାଇଥିବା ଅନେକ ଅନାଲୋଚିତ ସଂଗ୍ରାମୀଙ୍କ ବିଷୟକୁ ଜନସାଧାରଣଙ୍କ ସାମ୍ନାକୁ ଆଣିବାର ଆବଶ୍ୟକତା ରହିଛି ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ(ଆଇସିଏଚଆର)ର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ମହାମହିମ ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କିୟା ନାଇଡ଼ୁ କହିଛନ୍ତି ।
ସେ କହିଛନ୍ତି ଯେ ମାତୃଭୂମି ପାଇଁ ସ୍ୱାଧୀନତା ସଂଗ୍ରାମୀଙ୍କର ତ୍ୟାଗ, କଷ୍ଟ ଏବଂ ବଳିଦାନକୁ ଗୌରବର ସହ ଇତିହାସରେ ଲିପିବଦ୍ଧ କରିବାର ଆବଶ୍ୟକତା ରହିଛି । ତଥ୍ୟ ଆଧାରିତ ଗବେଷଣା ବଳରେ ହିଁ ଭାରତର ଇତିହାସକୁ ପୁନଃ ମୂଲ୍ୟାଙ୍କନ କରିବାକୁ ହେବ । ଏହି ଅବସରରେ ଉପରାଷ୍ଟ୍ରପତି ସ୍ୱାଧୀନତା ସଂଗ୍ରାମ ସମ୍ବନ୍ଧିତ ବିଷୟର ଏକ ପ୍ରଦର୍ଶନୀର ଉଦଘାଟନ କରିଥିଲେ । ସେହିପରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ଭାରତର ଗୌରବଶାଳୀ ଇତିହାସ ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ । ଏକବିଂଶ ଶତାବ୍ଦୀରେ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଗାମୀ ପିଢ଼ିଙ୍କ ଠାରେ ଭାରତୀୟ ଇତିହାସର ସଠିକ୍ ଏବଂ ସମ୍ପୂର୍ଣ୍ଣ ଜ୍ଞାନ ରହିବା ଉଚିତ୍ । ବିଗତ ୫୦ ବର୍ଷରେ ଭାରତର ଇତିହାସକୁ ପୁଣି ଥରେ ରଚନା କରିବା ଏବଂ ନୂଆପିଢ଼ିକୁ ପହଁଚାଇବାରେ ଆଇସିଏଚଆରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ଅନ୍ୱେଷଣ ସଂସ୍ଥା ଇତିହାସ ଗବେଷଣାକୁ ସଠିକ୍ ଦିଶା ଦେବା ଏବଂ ଇତିହାସର ବସ୍ତୁନିଷ୍ଠ ଏବଂ ବୈଜ୍ଞାନିକ ଆଧାରରେ ଲେଖା ହୋଇଥିବା ଇତିହାସକୁ ପ୍ରୋତ୍ସାହନ ଦେଉଛି । ଆଇସିଏଚଆର ଭାରତୀୟ ମୂଲ୍ୟବୋଧକୁ ପୁନଃ ପ୍ରତିଷ୍ଠିତ କରିବ ତଥା ସରଳ ଉପାୟରେ ସମସ୍ତଙ୍କ ପାଖରେ ପହଁଚାଇବାର ଲକ୍ଷ୍ୟରେ ବ୍ରତୀ ହେବ । ଦେଶର ଖ୍ରୀଷ୍ଟପୂର୍ବ ୫୦୦ ବର୍ଷ ପୂର୍ବରୁ ଦେଶର ଇତିହାସରେ ଅନାଲୋଚିତ ସ୍ୱାଧୀନତା ସଂଗ୍ରାମୀଙ୍କ ବୀରଗାଥାକୁ ସର୍ଟ ଟର୍ମ, ମିଡ୍ ଟର୍ମ ଏବଂ ଲଙ୍ଗ୍ ଟର୍ମ ରୋଡମ୍ୟାପ୍ ଦ୍ୱାରା ଆଇସିଏଚଆର ଡିଜିଟାଲାଇଜେସନ ଏବଂ ଟେକ୍ନୋଲୋଜି ମାଧ୍ୟମରେ ନୂଆପିଢ଼ିଙ୍କ ସାମ୍ନାକୁ ଆଣିବାରେ କାର୍ଯ୍ୟ କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ ।

Spread the love