ଏଆଇସିଟିଇ ପୋର୍ଟାଲରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଇଂଟର୍ଣ୍ଣସିପ୍‌ସୁଯୋଗର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀ ଠାରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ପୋର୍ଟାଲରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଇଂଟର୍ଣ୍ଣସିପ୍ ସୁଯୋଗର ଶୁଭାରମ୍ଭ କରିଛନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ୧ ଲକ୍ଷରୁ ଉର୍ଦ୍ଧ୍ୱ ଇଂଟର୍ଣ୍ଣସିପ୍ ସୁଯୋଗ ଦେବା ପାଇଁ ଏଆଇସିଟିଇ, ସିସ୍କୋ,ସେଲ୍ସଫୋର୍ସ, ମହାତ୍ମା ଗାନ୍ଧି କାଉନସିଲ ଫର୍ ରୁରାଲ ଏଜୁକେସନ(ଏମଜିଏନସିଆରଇ) ଏବଂ ଆରସବି ଟ୍ରାନ୍ସମିସନ ଇଣ୍ଡିଆ ଲିମିଟେଡ ମିଳିତ ଭାବରେ ଆଗେଇ ଆସିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଦେଶର ଯୁବପିଢିଙ୍କୁ ଭବିଷ୍ୟତର ଚ୍ୟାଲେଞ୍ଜକୁ ପ୍ରସ୍ତୁତ କରିବା ଦିଗରେ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ରେ ଶିଳ୍ପ ସଂସ୍ଥା ସହ ଶିକ୍ଷାନୁଷ୍ଠାନକୁ ଯୋଡିବା ପାଇଁ ପ୍ରଧାନ୍ୟ ଦିଆଯାଇଛି । ୧ ଲକ୍ଷରୁ ଉର୍ଦ୍ଧ୍ୱ ଇଂଟର୍ଣ୍ଣସିପର ସୁଯୋଗ ଦେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ଦେଶର ଶିକ୍ଷାନୁଷ୍ଠାନ ଓ ଶିଳ୍ପସଂସ୍ଥା ଇଂଟର୍ଣ୍ଣସିପର ସୁଯୋଗ ସମସ୍ତଙ୍କୁ ଦିଆଯାଉ, ଏପରି ଲକ୍ଷ୍ୟ ରଖିବା ଉଚିତ୍ ।୨୦୪୭କୁ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ । ଏଥିପାଇଁ ଭାରତ ରୋଡମ୍ୟାପ ପ୍ରସ୍ତୁତ କରୁଛି । ଏହି ସମୟ ଅବଧି ମଧ୍ୟରେ ଆମକୁ ମିଳିତ ଭାବରେ କାମ କରିବାର ଆବଶ୍ୟକତା ରହିଛି ।

ଆଗାମୀ ୨ ରୁ ୩ ବର୍ଷରେ ୧୦ କୋଟି ଇଂଟର୍ଣ୍ଣସିପ ପ୍ରଦାନ କରିବା ଆମର ଲକ୍ଷ୍ୟ ହେବା ଦରକାର । ଏହା ଦ୍ୱାରା ନିଯୁକ୍ତି କ୍ଷେତ୍ର ଗତିଶୀଳ ହେବ ଏବଂ ଅର୍ଥନୀତି ମଧ୍ୟ ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତିା ବର୍ତମାନ ଶିଳ୍ପସଂସ୍ଥା ପ୍ରଶିକ୍ଷଣ, ସ୍କିଲିଂ ଏବଂ ରି ସ୍କିଲିଂର ଗୁରୁତ୍ୱକୁ ବୁଝିପାରୁଛନ୍ତି । ଏହା ସହ କମ୍ପାନୀ ତଥା ଶିଳ୍ପ ସଂସ୍ଥା ହ୍ୟୁମାନିଟିଜ୍ ଏବଂ ଟେକ୍ନୋଲୋଜିରେ ଇଂଟର୍ଣ୍ଣସିପ୍ ଦେବା ପାଇଁ ଆଗେଇ ଆସିବା ଦରକାର । ଏହାସହ ଏଆଇସିଟିଇକୁ ମଧ୍ୟ ଇଂଟର୍ଣ୍ଣସିପ ଇକୋସିଷ୍ଟମକୁ ଏକାଡେମିକ ବ୍ୟାଙ୍କ୍ ଅଫ୍କ୍ରେଡିଟ୍ ସହ ଯୋଡି ସମସ୍ତ ବୟସର ବର୍ଗଙ୍କୁ ଇଂଟର୍ଣ୍ଣସିପ୍ ଏବଂ ଟ୍ରେନିଂ ଦେବା ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରୋତ୍ସାହିତ କରିଛନ୍ତି ।

Spread the love