ଦିଲ୍ଲୀ ଓ ଘାସିଦାସ ବିଶ୍ୱବିଦ୍ୟାଳୟରେ ସନ୍ଥକବି ଭୀମ ଭୋଇ ଚେୟାର ହେବ ପ୍ରତିଷ୍ଠା, ୟୁଜିସିର ଅନୁମତି ସ୍ୱାଗତଯୋଗ୍ୟ- ଧର୍ମେନ୍ଦ୍ର

ଭୁବନେଶ୍ୱର ୦୭।୦୪ : ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଛତିଶଗଡ଼ ବିଳାସପୁରସ୍ଥିତ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟଠାରେ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ ଚେୟାର ପ୍ରତିଷ୍ଠା ହେବ । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏନେଇ ଅନୁମତି ଦେଇଛି ବୋଲି ଟ୍ୱିଟ୍‌ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଶ୍ରୀ ପ୍ରଧାନ ଏହାକୁ ସ୍ୱାଗତଯୋଗ୍ୟ ପଦକ୍ଷେପ କହିଛନ୍ତି ।

ଏହି ଦୁଇଟି ବିଶ୍ୱବିଦ୍ୟାଳୟରେ ଭୀମ ଭୋଇ ଚେୟାର ପ୍ରତିଷ୍ଠା ଉଚ୍ଚ ଶିକ୍ଷା ଏବଂ ଏହି ମହାନ କବିଙ୍କ ମାନବ ଦର୍ଶନ ଉପରେ ଗବେଷଣାକୁ ପ୍ରୋତ୍ସାହନ ଦେବ । ଏହା ହିଁ ମହାନ କବି ଭୀମ ଭୋଇଙ୍କ ପ୍ରତି ସଠିକ୍‌ ଶ୍ରଦ୍ଧାଞ୍ଜଳି ହେବ । ସନ୍ଥ କବି ଭୀମ ଭୋଇ ଓଡ଼ିଆ ସାହିତ୍ୟ ଓ ଧାର୍ମିକ-ସାମାଜିକ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛନ୍ତି । ଦୂରଦୃଷ୍ଟିସମ୍ପନ୍ନ କବି ଭୀମ ଭୋଇ ନିଜ କାଳଜୟୀ କବିତା ମାଧ୍ୟମରେ ସମାଜର ଲୋକଙ୍କୁ ସଶକ୍ତ କରିପାରିଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଅବସରରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଗସ୍ତ ସମୟରେ ସନ୍ଥ କବି ଭୀମ ଭୋଇଙ୍କ ଜୀବନୀ ଓ ତାଙ୍କ ଦର୍ଶନ ଉପରେ ଅଧିକ ଅଧ୍ୟୟନ ପାଇଁ ୟୁଜିସିକୁ ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ ଯେ ଆଗାମୀ ଦିନରେ ସନ୍ଥ କବି ଭୀମ ଭୋଇଙ୍କୁ ଜଣେ ସର୍ବୋତ୍ତମ ବିଚାରକ ଭାବେ ପ୍ରମାଣିତ କରିବା ପାଇଁ ଉଦ୍ୟମ କରାଯିବ ।

ଭାରତ ସରକାରଙ୍କ ୟୁଜିସି ଏହି ମହାପୁରୁଷଙ୍କ “ମହିମା ଧର୍ମ’ର ବିଚାର ସମ୍ପର୍କରେ ଅଧ୍ୟୟନ କରିବ । ବିଭିନ୍ନ ରାଜ୍ୟର ବିଶ୍ୱବିଦ୍ୟାଳୟରେ ଭୀମ ଭୋଇଙ୍କ ନାଁରେ ଭୀମ ଭୋଇ ଚେୟାର ସ୍ଥାପନ ହେବ । ଜାତୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ଭୀମ ଭୋଇଙ୍କୁ ସମ୍ମାନ ଦେବା ପାଇଁ ସବୁପ୍ରକାର ଉଦ୍ୟମ କରାଯିବ । ଏହା ଦ୍ୱାରା ଶତାବ୍ଦୀ ଶତାବ୍ଦୀରୁ ପଛୁଆ ଅଞ୍ଚଳରୁ ଆରମ୍ଭ ହୋଇଥିବା ମହାନ୍‌ ବିଚାର ଅନ୍ତରାଷ୍ଟ୍ରୀୟ ସ୍ତରକୁ ଯିବ । ବିଶ୍ୱ ଏହି ଦର୍ଶନରେ ଅନୁପ୍ରାଣିତ ହେଲେ, ଏହା ହିଁ ସନ୍ଥ କବି ଭୀମ ଭୋଇଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ ।

Spread the love