କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି, ଓଡିଶାରେ ଅତିରିକ୍ତ ୧୯ଟି ପିଏସଏ ମେଡିକାଲ ଅକ୍ସିଜେନ୍ ପ୍ଲାଣ୍ଟ ପାଇଁ ଅନୁରୋଧ

ଭୁବନେଶ୍ବର ୧୫।୫: କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ୧୫ଟି ଜିଲ୍ଲାରେ ଅତିରିକ୍ତ ୧୯ଟି ପିଏସଏ ମେଡ଼ିକାଲ ଅକ୍ସିଜେନ୍ ପ୍ଲାଣ୍ଟ ବ୍ୟବସ୍ଥା କରିବାକୁ ଏହି ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବାଲେଶ୍ବର, ବଲାଙ୍ଗିର, ଗଞ୍ଜାମ, ମୟୂରଭଞ୍ଜ ଜିଲ୍ଲାରେ ୨ଟି ଲେଖାଁଏ ଏବଂ କଟକ, ଦେବଗଡ଼, ଢ଼େଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୋନପୁରରେ ଗୋଟିଏ ଲେଖାଁଏ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଗତ ମାସରେ ଜନସ୍ଵାସ୍ଥ୍ୟ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ସମଗ୍ର ଭାରତ ବର୍ଷରେ ପିଏମ କେୟାର୍ସ ଫଣ୍ଡରୁ ୫୫୧ଟି ସମର୍ପିତ ପିଏସଏ ମେଡିକାଲ ଅକ୍ସିଜେନ ପ୍ରତିଷ୍ଠା ପାଇଁ ଜରୁରୀକାଳୀନ ମଞ୍ଜୁରୀ ଦେଇଥିଲେ । ପୂର୍ବରୁ ମଧ୍ୟ ଅତିରିକ୍ତ ୧୬୨ ପିଏସଏ ପ୍ଲାଣ୍ଟ ସ୍ଥାପନା ପାଇଁ ଆବଣ୍ଟନ କରିଥିଲେ । ତନ୍ମଧ୍ୟରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟ ୨୧ଟି ପିଏସଏ ପ୍ଲାଣ୍ଟ ସ୍ଥାପନା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏଥିରୁ DRDO ଦ୍ବାରା ୭ଟି, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଦ୍ବାରା ୭ଟି ଏବଂ ପିଏମ କେୟାର୍ସ ଫଣ୍ଡରୁ ୭ଟି ପିଏସଏ ପ୍ଲାଣ୍ଟ ପ୍ରତିଷ୍ଠା ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ଓଡ଼ିଶାରେ କୋଭିଡ୍-୧୯ର ଦ୍ବିତୀୟ ଲହରର ବ୍ୟାପକତା କାରଣରୁ ରାଜ୍ୟର ଆହୁରି ଅଧିକ ଜିଲ୍ଲାକୁ ସହଯୋଗର ଆବଶ୍ୟକତା ରହିଛି ।

Spread the love