ନୂଆଦିଲ୍ଲୀରେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ, ବିଜେଡ଼ି ବିରୋଧରେ ଆଣିଲେ ଲମ୍ବା ଅଭିଯୋଗ
ଧାମନଗର ଉପନିର୍ବାଚନରେ ଶାସକ ଦଳ ଆଚରଣବିଧି ଉଲ୍ଲଂଘନ କରୁଛି। ଟଙ୍କା ବଣ୍ଟାଯାଉଛି। ଅଭିଯୋଗ ପରେ ମଧ୍ୟ ରାଜ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଦିଲ୍ଲୀରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ECIଙ୍କୁ ଭେଟିଲା ବିଜେପି ।
ଧାମନଗର ଉପନିର୍ବାଚନ ଜିତିବା ପାଇଁ ଭୋଟରଙ୍କୁ ଟଙ୍କା ଦେଇ ପ୍ରଲୋଭିତ କରୁଥିବା ଦୁଇଟି ସମ୍ବେଦନଶୀଳ ଭିଡ଼ିଓ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହି ଭିଡ଼ିଓ ଆଧାରରେ ବିଜେପି ସ୍ଥାନୀୟ ନିର୍ବାଚନ ଅଧିକାରୀ ଓ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଜନୈକ ମହିଳା ପଇସା ବାଣ୍ଟିବା ନେଇ ମଧ୍ୟ ବିଜେପି ପ୍ରମାଣ ଦେଇଥିଲା । ଏହାସହ ଆଉ ଏକ ସଭା ସମିତିରେ ଶାସକ ଦଳର ନେତାମାନେ ସବୁ ସୀମାର ଉଲ୍ଲଂଘନ କରି ପଞ୍ଚାୟତକୁ 1 କୋଟି ଟଙ୍କାର ପ୍ରଲୋଭନ ଦେଖାଇଥିଲେ । ଏହା ସତ୍ତ୍ୱେ ଅଭିଯୋଗର ସତ୍ୟାସତ୍ୟାକୁ ନେଇ ନିର୍ବାଚନ ଅଧିକାରୀମାନେ ପ୍ରଶ୍ନ କରିଥିଲେ ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆକ୍ରୋଶମୂଳକ ଭାବେ ଗଣମାଧ୍ୟମରେ ପ୍ରସାରିତ ଟଙ୍କା ବଣ୍ଟାଯିବା ଭିଡିଓ ପ୍ରମାଣର ସତ୍ୟତା ନଥିବା କଥା କହୁଛନ୍ତି । ଫୋରେନସିକ୍ ପ୍ରମାଣ ନାଁରେ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଯାଉଛି । ଏହାର ଅର୍ଥ ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନ କାମରେ ନିୟୋଜିତ କର୍ମଚାରୀ ମାନଙ୍କୁ ପରୋକ୍ଷରେ ଅଭୟ ବାଣୀ ଦେଉଛନ୍ତି । ତାଙ୍କର ମନ୍ତବ୍ୟ ଦୁର୍ନୀତି ଓ ପଇସା ବଣ୍ଟାରେ ଲିପ୍ତ ଶାସକ ଦଳର କର୍ମୀଙ୍କୁ ଆହୁରି ଦୁର୍ନୀତି ଓ ଟଙ୍କା ବାଣ୍ଟିବା ପାଇଁ ପ୍ରବର୍ତ୍ତାଉଛି । ଗଣତନ୍ତ୍ରରେ ରକ୍ଷକ ଆଜି ଭକ୍ଷକ ସାଜିଛି । ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ପଞ୍ଚାୟତ ବିଭାଗର ସଚିବ ଅଛନ୍ତି । ଏଠାରେ କନଫିଲଫକ୍ଟ୍ ଅଫ୍ ଇନଟ୍ରେଷ୍ଟ କଥା ଆସୁଛି । ତେଣୁ ସେ କିପରି ନିଜ ବିଭାଗର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ।
ସେପଟେ ବିଜେଡିର ଜବାବ, ଟଙ୍କା ବାଣ୍ଟିବା ଭିଡିଓ ବିଜେପି ପ୍ରାୟୋଜିତ । ସ୍ୱୟଂ ସହାୟକ ଗୋଷ୍ଠୀ ମାଆମାନଙ୍କୁ ବଦନାମ କରିବାକୁ ପ୍ରୟାସ । ବିଜେପି ହାରିଯିବା କଥା ଜାଣି ଡ୍ରାମା କରୁଛି ବୋଲି କହିଛି ବିଜେଡି । ଧାମନଗରବାସୀ ୩ ତାରିଖ ଦିନ ଯେଉଁ ନିଷ୍ପତ୍ତି ନେବେ ସେଥିରେ ଜବାବ ଦେବେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।