ନବରଙ୍ଗପୁର ଜିଲ୍ଲାର ପ୍ରଗତି ପାଇଁ ଶିକ୍ଷା ସହ ଦକ୍ଷତା ବିକାଶ ହିଁ ବିକଳ୍ପ- ଧର୍ମେନ୍ଦ୍ର ପ୍ରଧାନ

ନବରଙ୍ଗପୁର – ନବରଙ୍ଗପୁର ଜିଲ୍ଲାର ପ୍ରଗତି ପାଇଁ ଶିକ୍ଷା ଓ ଦକ୍ଷତା ବିକାଶ ହିଁ ଅନ୍ୟ ଏକ ବିକଳ୍ପ ବୋଲି ରବିବାର ଏହି ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ନବରଙ୍ଗପୁର ଜିଲ୍ଲାର କୃଷି ଉତ୍ପାଦିତ ସାମଗ୍ରୀକୁ ବାହାର ବଜାରରେ ପହଞ୍ଚାଇବା ପାଇଁ ପଡିବ । ଆମ ସମସ୍ତଙ୍କର ଦାୟିତ୍ୱ ଏ ଜିଲ୍ଲାକୁ ଆଗକୁ ନେବା ପାଇଁ ପଡିବ । ଏକବିଂଶ ଶତାବ୍ଦୀରେ ଭାରତ କେନ୍ଦ୍ରବିନ୍ଦୁ ହେଲାଣି । ସେହି ସମୟରେ ଓଡ଼ିଶାର ପ୍ରଗତି ସେବେ ସମ୍ଭବ ହେବ ଯେବେ ନବରଙ୍ଗପୁର ପରି ଆକାଂକ୍ଷୀ ଜିଲ୍ଲା ଶିକ୍ଷା ମାଧ୍ୟମରେ ସ୍ୱାବଲମ୍ବୀ ଓ ସ୍ୱାଭିମାନ ହେବେ । ଜିଲ୍ଲାର ପ୍ରଗତିରେ ହିଁ ରାଜ୍ୟ ଓ ଦେଶର ପ୍ରଗତି ଲୁଚି ରହିଛି । ଜିଲ୍ଲାକୁ ଆଗକୁ ନେବାକୁ ହେଲେ ଶିକ୍ଷାର କୌଣସି ବିକଳ୍ପ ନାହିଁ । ଶିକ୍ଷା ହିଁ ମଣିଷକୁ ସ୍ୱାଭିମାନୀ ଓ ସ୍ୱାବଲମ୍ବୀ କରିବ । ଏହା ହିଁ ଶିକ୍ଷା ନୀତିର ଉଦ୍ଦେଶ୍ୟ । ନୂଆ ଜାତୀୟ ଶିକ୍ଷା ନୀତି ଚାକିରି ଅନ୍ୱେଷଣ ନୁହେଁ ଚାକିରିଦାତା ହେବାକୁ ଗୁରୁତ୍ୱ ଦେଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣିତ ନୂଆ ଜାତୀୟ ଶିକ୍ଷା ନୀତିକୁ ଦେଶର ଅନ୍ୟତମ ଶ୍ରେଷ୍ଠ ବୈଜ୍ଞାନିକ ଡା.କେ.କସ୍ତୁରିରଙ୍ଗନ ପ୍ରସ୍ତୁତ କରିଛନ୍ତି । ସ୍ଥାନୀୟ ଓ ମାତୃଭାଷାରେ ପାଠ ପଢିବା ପାଇଁ ଶିକ୍ଷା ନୀତିରେ ଗୁରୁତ୍ୱ ଦିଆଯାଇଛି । ମାତୃଭାଷାରେ ପାଠ ପଢିଲେ ହିଁ ଏ ଅଞ୍ଚଳର ଜନଜାତି ଛାତ୍ରଛାତ୍ରୀଙ୍କ ସୃଜନଶୀଳତାର ପରିପ୍ରକାଶ ଘଟିବ । ମାତୃଭାଷାରେ ଶିକ୍ଷା ମଣିଷକୁ ଉଚ୍ଚତର ସୋପାନକୁ ନେଇଥାଏ ।

ନବରଙ୍ଗପୁର କଲେଜରେ ସମାଜର ଅଧିକାଂଶ ବଞ୍ଚିତ ବର୍ଗର ପିଲାମାନେ ପାଠ ପଢୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ନବରଙ୍ଗପୁର କଲେଜକୁ ବିଧିବଦ୍ଧ ଭାବେ ସରକାରୀ କଲେଜ କରିବା ପାଇଁ ରାଜ୍ୟ ସରକାର ଦାୟିତ୍ୱ ନିଅନ୍ତୁ ।କଲେଜକୁ ସରକାରୀ ମାନ୍ୟତା ମିଳିବା ଦ୍ୱାରା ଜନଜାତି ଛାତ୍ରଛାତ୍ରୀମାନେ ଅଧିକ ଲାଭ ପାଇପାରିବେ । ଶିକ୍ଷାନୁଷ୍ଠାନର ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ଭାରତ ସରକାର ମଧ୍ୟ ଯଥାସମ୍ଭବ ସହଯୋଗୀ ହେବେ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କିଛି ବର୍ଷ ପୂର୍ବେ ଏହି ଜିଲ୍ଲାର ଝରିଗାଁର ଗରିବ ପରିବାରରୁ ଆସି ସର୍ବଭାରତୀୟ ଦକ୍ଷତା ପ୍ରତିଯୋଗିତାରେ ଟପ୍ପର ହୋଇଥିବା ଶ୍ରୀକାନ୍ତ ସାହୁଙ୍କୁ ସେ ଭେଟିଥିଲେ । ଶ୍ରୀକାନ୍ତ ଏବେ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଟୋ ମୋବାଇଲ ସେକ୍ସନରେ କାମ କରୁଛନ୍ତି । ଏକ ଗରିବ ପରିବାରରୁ ଆସିଥିବା କାରଣରୁ ଶ୍ରୀକାନ୍ତ ଆଇଟିଆଇ ପଢିଥିଲେ । ନବରଙ୍ଗପୁର ମାଟିରେ ସେହି ପ୍ରତିଭା ଅଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶ ଯେତେବେଳେ ସ୍ୱାଧୀନତାର ୭୫ ବର୍ଷ ଯାତ୍ରା ଅବସରରେ ‘ଅମୃତ ମହୋତ୍ସବ’ ପାଳନ କରୁଛି, ସେହି ସମୟରେ ଏହି କଲେଜ ୫୦ ବର୍ଷ ପୂରଣ କରିବା ଆମ ପାଇଁ ଗୌରବର ବିଷୟ । ଇଂରେଜ ବିରୋଧୀ ପ୍ରଜା ଆନ୍ଦୋଳନରେ ଅବିଭକ୍ତ କୋରାପୁଟର ମାତୃଶକ୍ତି ମାନଙ୍କର ଅବଦାନ ଅବିସ୍ମରଣୀୟ । କୋୟା ରାଜଜେମା ବାଙ୍ଗରା ଦେବୀ, ବଣ୍ଡା ରାଣୀ ଖରା ପାର୍ବତୀ, ଲକ୍ଷ୍ମୀ ସଉରୁଣିଙ୍କ ସମେତ ଉମରକୋଟର ଅନେକ ଛୋଟ ଝିଅମାନେ ଇଂରେଜ ସାଙ୍ଗରେ ଲଢି ନିଜର ସାହସ ଦେଖାଇଥିଲେ ।

ନବରଙ୍ଗପୁର ଜିଲ୍ଲା ଆକାଂକ୍ଷୀ ଜିଲ୍ଲା । ନବରଙ୍ଗପୁର ଜିଲ୍ଲାର ଜୀବନ, ଆକାଂକ୍ଷା ଓ ସ୍ପନ୍ଦନ ଏହି କଲେଜ ସହ ଯୋଡି ହୋଇ ରହିଛି । ଅନେକ ବ୍ୟକ୍ତିବିଶେଷଙ୍କର ଆଦିଭୂମି ଏହି ଶିକ୍ଷାନୁଷ୍ଠାନ ଦୀର୍ଘ ୫୦ ବର୍ଷ ଧରି ଅନେକ ଛାତ୍ରଛାତ୍ରୀ ବିଶେଷତଃ ଜନଜାତି ବିଦ୍ୟାର୍ଥୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସଫଳ ହୋଇଛି । ଏହି ସଫଳତା ପାଇଁ ଶ୍ରୀ ପ୍ରଧାନ ନବରଙ୍ଗପୁର କଲେଜର ପୁରାତନ ଛାତ୍ର ସଂଘ ଓ କଲେଜ ସହ ଜଡିତ ସମସ୍ତଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇବା ସହ କଲେଜର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।

ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କଲେଜର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ମନୀଷା ପଣ୍ଡା ସୁନ୍ଦର ପାରମ୍ପରିକ ଚିତ୍ର ପ୍ରଦାନ କରିଥିଲେ । ମନୀକ୍ଷାଙ୍କ ଚିତ୍ର କରିବାର ପ୍ରତିଭା ଯୁବ ସମାଜକୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Spread the love