ଓଡ଼ିଆ ଜାତି ଓ ଅସ୍ମିତାକୁ ଆଗକୁ ନେବା ସାମୂହିକ ଦାୟିତ୍ୱ- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର – ଯେଉଁ ସଭ୍ୟତାରେ ସମ୍ରାଟ ଖାରବେଳ ଶାସନ କରିଛନ୍ତି, ଡକ୍ଟର ପ୍ରତିଭା ରାୟ ‘ଯାଜ୍ଞସେନୀ’ ପରି ମହିଳାଙ୍କ ଭାବାବେଗକୁ ବୁଝିବା ଭଳି କାଳଜୟୀ ପୁସ୍ତକ ଲେଖିଛନ୍ତି ଏବଂ ଅନେକ ସାହିତ୍ୟିକଙ୍କୁ ତିଆରି କରିଥିବା ‘ଝଙ୍କାର’ ପରି ପତ୍ରିକା ରଚନା ହୋଇଛି, ସେହି ଜାତିର ଅସ୍ମିତା ଆଜି ପ୍ରଶ୍ନବାଚୀରେ । ତେଣୁ ଏ ଦିଗରେ ବିତର୍କ ହେବା ଜରୁରୀ । ଓଡ଼ିଆ ଜାତି ଓ ଅସ୍ମିତାକୁ ଆଗକୁ ନେବା ଆମର ସାମୂହିକ ଦାୟିତ୍ୱ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମଙ୍ଗଳବାର ନୂଆଦିଲ୍ଲୀ ଠାରେ ବିଶିଷ୍ଟ ଲେଖକ ବିଜୟ ନାୟକଙ୍କ ଦ୍ୱାରା ରଚିତ ପ୍ରବନ୍ଧ ସଂକଳନ “କଳ୍ପନାର ବାସ୍ତବତା”ର ଲୋକାର୍ପଣ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ବାଲିଯାତ୍ରା ସମେତ ଓଡ଼ିଶାର ଅନେକ ଐତିହ୍ୟ ଓ ପରମ୍ପରା କାହାଣୀ ବା କଳ୍ପନା ନୁହେଁ ବାସ୍ତବତା । ଆଉ ପାଖାପାଖି ୧୩ ବର୍ଷ ପରେ ୨୦୩୬ କୁ ଆମ ରାଜ୍ୟ ଓଡ଼ିଶା ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ । ଏହି ସମୟରେ ଆମର ଭାଷା, ଅସ୍ମିତା ଓ ଐତିହ୍ୟକୁ ଆଗେଇ ନେବା ଜରୁରୀ ।

ଲୋକାର୍ପିତ ପୁସ୍ତକର ଲେଖକ ଶ୍ରୀ ନାୟକ ଓ ପ୍ରକାଶନୀ ସଂସ୍ଥା ଗ୍ରନ୍ଥ ମନ୍ଦିରକୁ ଧନ୍ୟବାଦ ଜଣାଇବା ସହ ଏ ବାବଦରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରବନ୍ଧ ସଂକଳନରେ ଭାରତବର୍ଷର ସ୍ୱାଧୀନତା ସଂଗ୍ରାମୀଙ୍କ ସମେତ ଓଡ଼ିଶାର ବରପୁତ୍ର ବର୍ଣ୍ଣନା କରାଯାଇଛି । ଓଡ଼ିଆ ସମାଜର ଯାତ୍ରା ସହ ଭାରତୀୟ ମହାଜାତୀୟତା ଏବଂ ଓଡ଼ିଆ ଅସ୍ମିତା ସମେତ ସାରା ପୃଥିବୀକୁ ଭାରତବର୍ଷର ଅବଦାନ ଓ ଅନେକ ମୌଳିକ ପ୍ରବନ୍ଧ ସହ ଚର୍ଚ୍ଚା ଆଲୋଚନା ରହିଛି । ଏହି ପୁସ୍ତକ ନିଶ୍ଚୟ ଓଡ଼ିଆ ଜନମାନସ ବିଶେଷ ଭାବରେ ଯୁବପିଢିଙ୍କ ଦ୍ୱାରା ଆଦୃତ ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣୀତ ଜାତୀୟ ଶିକ୍ଷା ନୀତିରେ ଶିଶୁଙ୍କୁ ଖେଳ ଆଧାରିତ ଶିକ୍ଷାର ଅଂଶସ୍ୱରୂପ ଭାବରେ ପୁସ୍ତକରେ ଲୁଡୁ ତଥା ସାପ-ସିଡ଼ି ଖେଳ ଓ ମାତୃଭାଷା ଉପରେ ଉଲ୍ଲେଖ କରାଯିବା ପ୍ରଶଂସନୀୟ । ଖୁସିର ବିଷୟ, ଗତବର୍ଷ ନଭେମ୍ବର ମାସରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଉନ୍ମୋଚିତ ଇ-କୁମ୍ଭ ପୋର୍ଟାଲରେ ଏଆଇସିଟିଇ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଇଞ୍ଜିନିୟରିଂ ପୁସ୍ତକ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗ୍ରହଣୀୟ ହୋଇଛି ଏବଂ ସର୍ବାଧିକ ପରିମାଣରେ ଡାଉନଲୋଡ୍ ହୋଇଛି । ଏଥିରୁ ମାତୃଭାଷାରେ ପୁସ୍ତକ ରଚୟିତା ପ୍ରତି ଥିବା ଛାତ୍ରଛାତ୍ରୀ ମାନଙ୍କର ଆନ୍ତରିକତା ପରିପ୍ରକାଶ କରୁଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Spread the love