ତାଳଚେର ମେଡିକାଲ କଲେଜ ପରିଚାଳନା ଦାୟିତ୍ୱ ନେଲେ ରାଜ୍ୟ ସରକାର, ନିଷ୍ପତ୍ତିକୁ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:  ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ବ ନେଲେ ରାଜ୍ୟ ସରକାର । ରାଷ୍ଟ୍ରାୟତ କମ୍ପାନୀ MCL ଦ୍ବାରା ପ୍ରତିଷ୍ଠା କରାଯାଇଥିବା ମହାନଦୀ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ନାମରେ  ନାମିତ ଏହି ମେଡିକାଲ କଲେଜ ପାଇଁ ୨୦୧୫ ମସିହାରେ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫୦୦କୋଟି ଟଙ୍କା ଖର୍ଚ୍ଚରେ ୧୦୦ ଏମବିବିଏସ୍‌ ସିଟ୍‌ ଏବଂ ୫୦୦ଶଯ୍ୟା ବିଶିଷ୍ଟ ଏହି ମେଡିକାଲ କଲେଜ ଏବଂ ହସ୍ପିଟାଲ କାର୍ଯ୍ୟକ୍ଷମ ହେଲେ ଅନୁଗୋଳ ସମେତ ୬ଟି ଜିଲ୍ଲାର ପ୍ରାୟ ୭୦ଲକ୍ଷ ଲୋକେ ସ୍ବାସ୍ଥ୍ୟ ସୁବିଧା ପାଇପାରିବେ । ଏହି ମେଡିକାଲ କଲେଜ ପାଇଁ ୨୦ ଏକର ଜାଗା ଦେବା ସହ ସବୁ ପ୍ରକାର ସହଯୋଗ କରିଥିଲେ ରାଜ୍ୟ ସରକାର । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ମେଡିକାଲ କଲେଜକୁ ଚଳାଇବ । ଆଉ ଏଥି ପାଇଁ ଆବଶ୍ୟକ ପାଣ୍ଠି ଯୋଗାଇଦେବ ମହାନଦୀ କୋଲ ଫିଲଡ୍‌ ବା MCL ।  ଅନୁଗୋଳ ଜିଲ୍ଲା ଓ ଏହାର ଆଖପାଖ ଅଂଚଳର ଲୋକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇଦେବାରେ ଏହି ପଦକ୍ଷେପ ପ୍ରମୁଖ ଭୂମିକା ଗ୍ରହଣ କରିବ । ରାଜ୍ୟ ସରକାରଙ୍କ ସହାୟତାରେ ଏହି ମେଡିକାଲ କଲେଜକୁ ଆଗାମୀ ଦିନରେ ଆହୁରି ସମୃଦ୍ଧ କରାଯିବ ।

ସେପଟେ ତାଳଚେର ମେଡିକାଲ କଲେଜ ଚଳାଇବା ଦାୟିତ୍ବ ରାଜ୍ୟସରକାର ନେଇଥିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥି ସହ ରାଜ୍ୟ ସରକାର MCL ସହ ସମନ୍ବୟ ରକ୍ଷା କରି ଯଥା ଶୀଘ୍ର ଏହି ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ଧର୍ମେନ୍ଦ୍ର । ସେ ଆହୁରି ବି କହିଛନ୍ତି ଯେ, ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ଲାଗି ଦେଶର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ସ୍ଥାପନା ନେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନା ରହିଛି ।

ତାଳଚେର ହସ୍ପିଟାଲକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ୟକ୍ତିଗତ ଭାବେ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ । ଓଡ଼ିଶା ସରକାର ଏହି ହସ୍ପିଟାଲର ପରିଚାଳନା, ରକ୍ଷଣାବେକ୍ଷଣ, ପ୍ରଶାସନିକ ଦାୟିତ୍ବ ନେବାକୁ ଚିଠି ଲେଖିବା ପାଇଁ ପରାମର୍ଶ ଦେଇଥିଲେ । ଏହା ପରେ ଗତ ଏପ୍ରିଲ ୨୧ ତାରିଖରେ ପତ୍ର ଲେଖି ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଥିଲା ଏମସିଏଲ୍‌ । ଶେଷରେ ରାଜ୍ୟ ସରକାର ଏହି ମେଡିକାଲ କଲେଜର ପରିଚାଳନା ଦାୟିତ୍ବ ନେଇଥିବାରୁ ଏହା ଅନୁଗୋଳ ସମେତ ୬ଟି ଜିଲ୍ଲାର ଲୋକଙ୍କ ଉତ୍ତମ ସ୍ବାସ୍ଥ୍ୟସୁବିଧା ଯୋଗାଇଦେବାର ଆଶା ପୂରଣ ହୋଇଛି । ଏଥି ସହ ରାଜ୍ୟର ଛାତ୍ରଛାତ୍ରୀମାନେ ମଧ୍ୟ ମହାନଦୀ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ବା MIMSARରେ  ମେଡିକାଲ ପଢ଼ିବାର ସୁଯୋଗ ପାଇବେ ।

Spread the love