ଧନତେରସ ଦିନ ଭୁଲରେ ବି କିଣନ୍ତୁନି ଏହିସବୁ ଜିନିଷ, ହୋଇଥାଏ ଅଶୁଭ

ଏଥର ଦୀପର ପର୍ବ ଦୀପାବଳି ନଭେମ୍ବର ୪ ତାରିଖରେ ପଡୁଛି। ହିନ୍ଦୁ ଧର୍ମରେ ଦୀପାବଳିର ବିଶେଷ ମହତ୍ତ୍ୱ ରହିଛି। ଦୀପାବଳି ଭଳି ଧନତେରସର ମଧ୍ୟ ଅନେକ ମହତ୍ତ୍ୱ ରହିଛି। ଏଥର ଧନତେରସ ୨ ତାରିଖରେ ପଡୁଛି। ଏହି ଦିନ ସୁନା, ରୁପା, ବାସନ, ଝାଡୁ ଭଳି ଅନେକ ଜିନିଷ କିଣାକିଣି କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ ଏହି ଦିନ କିଣାକିଣି କରିବା ବହୁତ ଶୁଭ ବୋଲି କୁହାଯାଏ। ଏହି ଦିନ କିଣାକିଣି କଲେ ଧନ ବୃଦ୍ଧି ହୋଇଥାଏ ବୋଲି କୁହାଯାଏ। ସେଥିପାଇଁ ଧନତେରସ ଦିନ ବଜାରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥାଏ। ତେବେ ଏହି ଦିନ କେଉଁ କେଉଁ ଜିନିଷ କିଣିବା ଉଚିତ ନୁହେଁ ଜାଣିଛନ୍ତି। କାରଣ ଏହା ଅଶୁଭ ହୋଇଥାଏ। ତେବେ ଧନତେରସ ଦିନ କେଉଁ କେଉଁ ଜିନିଷ କିଣିବା ଉଚିତ ନୁହେଁ ଆସନ୍ତୁ ଜାଣିବା।

ଧନତେରସ ଦିନ କାଚ କିମ୍ବା କାଚରେ ତିଆରି ଜିନିଷ କିଣିବା ଅଶୁଭ ହୋଇଥାଏ। କାଚର ସମ୍ପର୍କ ରାହୁ ଗ୍ରହ ସହ ରହିଛି। ସେଥପାଇଁ ଧନତେରସ ଭଳି ଶୁଭ ଦିନରେ କାଚ ଜିନିଷ କିଣିବାକୁ ବାରଣ କରାଯାଇଥାଏ।

ଧନତେରସ ଦିନ ଧାରୁଆ ଜିନିଷ କିମ୍ବା ଅସ୍ତ୍ର କିଣିବା ଅନୁଚିତ। ଯେପରିକି ଛୁରୀ, କଇଁଚି, ଖଣ୍ଡା ଭଳି ଜିନିଷ କିଣିବା ଉଚିତ ନୁହେଁ। ଧନତେରସରେ ଧାରୁଆ ଜିନିଷ କିଣିବା ଅଶୁଭ ବୋଲି କୁହାଯାଏ।

ଧନତେରସ ଦିନ ଲୁହାରେ ତିଆରି ଜିନିଷ କିଣିବା ଅଶୁଭ ହୋଇଥାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ, ଯଦି କେହି ଏହି ଦିନ ଲୁହାରେ ତିଆରି ଜିନିଷ ଯେପରିକି କଣ୍ଟା, ଲୁହା ଛଡ଼ କିମ୍ବା ଲୁହାରେ ତିଆରି ଯେକୌଣସି ଜିନିଷ ଘରକୁ ଆଣିଲେ ପରିବାର ଉପରେ ରାହୁ ଗ୍ରହର ଅଶୁଭ ଛାଇ ପଡିଥାଏ। 

ଧନତେରସ ଦିନ କଳା ଜିନିଷ ମଧ୍ୟ କିଣିବା ଉଚିତ ନୁହେଁ। ଯେପରିକି କଳା କପଡା, କଳା ଜୋତା, କୋଇଲା ଇତ୍ୟାଦି। ଏହି ଦିନ ଏହିସବୁ ଜିନିଷ ଘରକୁ ଆଣିବା ଅଶୁଭ ବୋଲି କୁହାଯାଏ। ସେଥିପାଇଁ ଧନତେରସ ଦିନ ଭୁଲରେ ବି ଏସବୁ ଜିନିଷ କିଣିବା କିମ୍ବା ଘରକୁ ଆଣିବା ଉଚିତ ନୁହେଁ।

Spread the love