ବିପ୍ଳବୀ ଜନନେତା ଧରଣୀଧରଙ୍କ ଜୟନ୍ତୀ ପାଳିଲା ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ

ଭୁବନେଶ୍ୱର : ଆଜି ମହାନ୍‍ ବିପ୍ଳବୀ ନିଷ୍ପେସିତ, ଶୋଷିତ ମଣିଷର ଶାଣିତସ୍ୱର, ଆଦିବାସୀ ନେତୃତ୍ୱର ଆଦ୍ୟ ଓଁକାର ଧରଣୀଧର ଭୂୟାଁଙ୍କର ୧୫୮ତମ ଜୟନ୍ତୀ ପାଳନ କରିଛି ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ । ରାଜଧାନୀରେ ପ୍ରତିଷ୍ଠିତ ଏହି ବିପ୍ଳବୀ ଜନନେତାଙ୍କ ପୂର୍ଣ୍ଣାବୟବରେ ସର୍ବପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

ଏହି ବିପ୍ଳବୀ ସେ କାଳରେ ଗୋତି, ବେଗାରି ଓ ଚାଷୀର ଉତ୍ପୀଡନ ବିରୁଦ୍ଧରେ ଦୃପ୍ତ ସ୍ୱର ତୋଳି, ଫିରିଙ୍ଗି ତଥାକଥିତ ଜମିଦାରଙ୍କ ମନୋମୁଖୀ ଶାସନ ଆଗରେ ଠିଆ ହୋଇଥିଲେ । ପରେ ସେ ବନ୍ଦୀ ହୋଇଥିଲା ବେଳେ ଉତ୍କଳର ଅନ୍ୟତମ ବରପୁତ୍ର ଫକୀରମୋହନ ସେନାପତିଙ୍କ ଆବିର୍ଭାବ ଏକ ମଣିକାଞ୍ଚନ ସଂଯୋଗ ହୋଇଥିଲା ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ସଭାରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ, ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ସ୍ଥାନୀୟ କର୍ପୋରେଟର ଜୟନ୍ତୀ ସାହୁ, ସମାଜସେବୀ ରିନା ରାଉତରାୟ, ଡ. ଜୀବନ ଦୀକ୍ଷିତ, ସାମ୍ମୁଖ୍ୟର ଭୁବନେଶ୍ୱର ପ୍ରତିନିଧି ସତ୍ୟବ୍ରତ ଜେନା, କଳ୍ପତରୁ ସେନାପତି, ମନୋରଞ୍ଜନ ନାୟକ, ପ୍ରଭାତ ଜେନା, ଅଜିତ ଜେନା, ରଞ୍ଜିତ ଦଳେଇ, ପଦ୍ମିନୀ ବାରିକ, ରିନା ବରାଡ, ନୀଳକଣ୍ଠ ମିଶ୍ର, ଶକ୍ତି ମିଶ୍ର ପ୍ରମୁଖ ଯୋଗଦାନ କରି ସ୍ମୃତି ତର୍ପଣ କରିଥିଲେ ।

Spread the love