କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧମକ ଅଭିଯୋଗ

ପିପିଲି ବିଧାୟକ ପ୍ରଦୀପ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଗଣଦୁଷ୍କର୍ମ ଶୀକାର ହୋଇଥିବା ପୀଡ଼ିତାର ପରିବାରକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରିଛନ୍ତି। ପରିବାର ସଦସ୍ୟମାନଙ୍କ ସହ ଆଲୋଚନା ପରେ ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିଛନ୍ତି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ପିପିଲିରୁ ଫେରିବା ବେଳେ ତାଙ୍କୁ ଧମକ ମିଳିଛି ।  ଭାବପ୍ରବଣ ହୋଇ ନିଜର ଅସହାୟତା ପ୍ରକଟ କରିବା ସହ ସେ ଗଣମାଧ୍ୟମର ଶରଣ ପଶୁଛନ୍ତି ଓ ସୁରକ୍ଷା ଚାହୁଁଛନ୍ତି ବୋଲି କହିଥିଲେ। ସେ କହିଥିଲେ ଯେ, ଗଣତନ୍ତ୍ରରେ ଶାସକ ଦଳର ଶକ୍ତିଶାଳୀ ଲୋକମାନେ ପ୍ରଭାବୀ ହେଲାବେଳେ ଗଣମାଧ୍ୟମର ଶରଣକୁ ଯିବାକୁ ପଡ଼େ। ଗଣମାଧ୍ୟମର ବହୁତ ବଡ଼ ଭୂମିକା ରହିଛି। ଏ ରାଜ୍ୟରେ ଛବିରାଣୀ ହତ୍ୟାକାଣ୍ଡ ଲୋକଙ୍କ ମଧ୍ୟରେ ଭାବନାତ୍ମକ ପରିବର୍ତନ କରିଥିବାବେଳେ ଅଞ୍ଜନା ମିଶ୍ର ଧର୍ଷଣ ଘଟଣା ରାଜ୍ୟର ରାଜନୀତିକ ପଟ୍ଟ ପରିବର୍ତ୍ତନ କରିଛି। 

ତେବେ ସେ ପୀଡ଼ିତା ପରିବାରକୁ ଭେଟି ଫେରୁଥିବାବେଳେ ଦୟା ନଦୀ କୂଳରେ ଶାସକ ଦଳର କର୍ମୀମାନେ ଖୋଲାଖୋଲି ଭାବେ ପୁଲିସ ଆଗରେ ତାଙ୍କୁ ବି ଖୋଲା ଧମକ ଦେବାକୁ ପଛାଇ ନାହାନ୍ତି। ଆମେ ପୁଣି କ୍ଷମତାକୁ ଫେରିବୁ ଓ କେତେଦିନ ପର୍ଯ୍ୟନ୍ତ ପୀଡ଼ିତାର ପରିବାରକୁ ସୁରକ୍ଷା ଯୋଗାଇବ ବୋଲି ସେମାନେ ଧମକ ଦେଇଛନ୍ତି। ତାଙ୍କର ପ୍ୟାଟ୍ରୋଲିଂ ଦାୟିତ୍ୱରେ ଥିବା ପୁଲିସ ମଧ୍ୟ ଏକଥା ଶୁଣିଛି । ତାଙ୍କ ସହ ଥିବା ରାଜନୀତିକ ବ୍ୟକ୍ତିମାନେ ବି ଶୁଣିଛନ୍ତି।

Spread the love