ଖର୍ଚ୍ଚ ନହୋଇ ପଡିରହିଛି ରାଉରକେଲା ସ୍ମାର୍ଟ ସିଟି ପ୍ରକଳ୍ପ ଅର୍ଥ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲା ସ୍ମାର୍ଟ ସିଟି ପ୍ରକଳ୍ପରେ ମଞ୍ଜୁର ହୋଇଥିବା ଗଚ୍ଛିତ ଅର୍ଥ ସହରର ବିକାଶ କାର୍ଯ୍ୟରେ ଖର୍ଚ୍ଚ ନହୋଇ ପଡି ରହିବା ନେଇ ଗଭୀର ଚିନ୍ତାବ୍ୟକ୍ତ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସହରାଂଚଳ ବିକାଶ ଏବଂ ଗୃହ ନିର୍ମାଣ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ପୃଥକ ପୃଥକ ପତ୍ର ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କାମ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସହରାଂଚଳ ବିକାଶ ମନ୍ତ୍ରୀଙ୍କ ବକ୍ତିଗତ ହସ୍ତକ୍ଷେପ ଦାବୀ କରିଛନ୍ତି ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସୂଚନା ଅଧିକାର ନିୟମରେ ମିଳିଥିବା ତଥ୍ୟ ଅନୁସାରେ କେନ୍ଦ୍ର ଓ ରାଜ୍ୟ ସରକାର ୨୦୧୫-୧୬ରୁ ୨୦୧୭-୧୮ ଆର୍ଥିକ ବର୍ଷରେ ରାଉରକେଲାର ବିକାଶ ପାଇଁ ୩୭୬ କୋଟି ଟଙ୍କା ଅନୁଦାନ ଦେଇଛନ୍ତିା ମାତ୍ର ଏହି ମୋଟ ଅର୍ଥରୁ ୨୨.୨୩ କୋଟି ଟଙ୍କା ଖର୍ଚ୍ଚ ହୋଇପାରିଛି ।

ଏହି ଅର୍ଥରୁ କନସଲଟାନ୍ସି ଓ ଦରମା ବାବଦରେ ୧୬.୩୭ କୋଟି ଟଙ୍କା ବ୍ୟୟ ହୋଇଥିବା ସୂଚନା ଅଧିକାରରେ ମିଳିଥିବା ତଥ୍ୟରେ ଉଲ୍ଲେଖ ଥିବା ଦର୍ଶାଇ ଶ୍ରୀ ପ୍ରଧାନ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ପ୍ରଚୁର ଅର୍ଥ ବ୍ୟୟବରାଦ କରାଯାଇଥିବା ବେଳେ ରାଉରକେଲା ସ୍ମାର୍ଟ ସିଟି ପ୍ରକଳ୍ପର ଉଦ୍ଦିଷ୍ଟ ଅର୍ଥକୁ ଖର୍ଚ୍ଚ ନକରିବା ମାମଲା ଚିନ୍ତାର ବିଷୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Spread the love