ପଶ୍ଚିମବଙ୍ଗରେ କୋଭିଡ୍ ସ୍ୱାସ୍ଥ୍ୟସେବା ଭିତିଭୂମିକୁ ସୁଦୃଢ଼ କରୁଛି ସେଲ୍ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ସେଲ୍‌ର ଦୁର୍ଗାପୁର ଏବଂ ବର୍ନପୁର ସ୍ଥିତ ଇସ୍ପାତ୍ କାରଖାନା ୨୦୦ ଲେଖାଏଁ ଗ୍ୟାସୀୟସ ଅକ୍ସିଜେନ୍ ସଂଯୁକ୍ତ ବିଶିଷ୍ଟ ବୃହତ ବେଡ୍ କୋଭିଡ୍ କେୟାର ସ୍ଥାପନ କରି ବର୍ତମାନର ମହାମାରୀ ସମୟରେ କୋଭିଡ୍ ସ୍ୱାସ୍ଥ୍ୟସେବା ଭିତିଭୂମିକୁ ସୁଦୃଢ଼ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋମବାର ଭର୍ଚୁଆଲ ପ୍ଲାଟଫର୍ମରେ ପଶ୍ଚିମବଙ୍ଗର ଦୁର୍ଗାପୁର ଠାରେ ୨୦୦ ଗ୍ୟାସୀୟସ ଅକ୍ସିଜେନ୍ ସଂଯୁକ୍ତ ବେଡ୍ ବିଶିଷ୍ଟ ବୃହତ କୋଭିଡ୍ କେୟାରର ଲୋକାର୍ପଣ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି ଯେ କୋଭିଡ୍ -୧୯ ବିରୋଧୀ ମୁକାବିଲାରେ ପଶ୍ଚିମବଙ୍ଗରେ ସେଲ୍‌ର ଉଦ୍ୟମ ପ୍ରଶଂସନୀୟ । ସେଲର ଦୁର୍ଗାପୁର ଇସ୍ପାତ୍ କାରଖାନା ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏହି କୋଭିଡ୍ କେୟାର ସ୍ଥାନୀୟ ଅଂଚଳରେ କୋଭିଡ ସ୍ୱାସ୍ଥ୍ୟସେବା ଭିତିଭୂମିକୁ ସୁଦୃଢ଼ କରିବ ଏବଂ ରୋଗୀଙ୍କୁ ଚିକିତ୍ସା ଯୋଗାଇବାରେ ସହାୟକ ହେବ। ଦୁର୍ଗାପୁର ଇସ୍ପାତ୍ କାରଖାନାରୁ ପାଇପ୍ ଜରିଆରେ ଏହି ହସ୍ପିଟାଲକୁ ଗ୍ୟାସୀୟସ ଅକ୍ସିଜେନ୍ ଯୋଗାଯିବ। ମୋଦି ସରକାର ‘ସବକା ସାଥ,୍ ସବକା ବିକାଶ ଏବଂ ସବକା ବିଶ୍ୱାସ’ ମନ୍ତ୍ରରେ କଲ୍ୟାଣକାରୀ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ସ୍ୱାସ୍ଥ୍ୟସେବାକୁ ଅଧିକ ପ୍ରାଥମିକତା ଦିଆଯାଇଛି । ସାମ୍ପ୍ରତିକ ସମୟରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନୁସାରେ ‘ଯେଉଁଠି ସମସ୍ୟା, ସେଇଠି ଚିକିତ୍ସା’ ହୋଇପାରୁଛି ।
ବର୍ତମାନ ମହାମାରୀ ବିରୋଧୀ ଯୁଦ୍ଧରେ ଭ୍ୟାକସିନ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଭାରତ ସର୍ବାଧିକଭ୍ୟାକସିନ୍ ଉତ୍ପାଦନକାରୀ ରାଷ୍ଟ୍ର ଭାବରେ ପରିଗଣିତ ହୋଇଛି। ଅପରପକ୍ଷରେ ଦେଶରେ ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନର ଯୋଗାଣରେ ମଧ୍ୟ ଦ୍ରୁତ ଅଭିବୃଦ୍ଧି ଘଟିଥିବା ଶ୍ରୀ ପ୍ରଧାନ କହିଛନ୍ତି। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ସେଲକୁ ଇସ୍ପାତ କାରଖାନାରେ କାମ କରୁଥିବା କର୍ମଚାରୀଙ୍କ ପରିବାର, ଶ୍ରମିକ ଏବଂ ଖଣି ଅଂଚଳରେ କାମ କରୁଥିବା ଲୋକଙ୍କୁ ଟିକା ଦେବା ପାଇଁ ଦାୟିତ୍ୱ ନେବା ଉପରେ ମତପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ, ଏହି ଭର୍ଚୁଆଲ ଲୋକାର୍ପଣ କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ୍ ରାଷ୍ଟ୍ର ମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ପଶ୍ଚିମବଙ୍ଗର ମନ୍ତ୍ରୀ ମୋଲୋୟ ଘାତକ, ବର୍ଦ୍ଧମାନ ଦୁର୍ଗାପୁର ସାଂସଦ ଏସ.ଏସ ଆଲୁୱାଲିଆ, ସେଲର ଅଧ୍ୟକ୍ଷା ସୋମା ମଣ୍ଡଳ ପ୍ରମୁଖ ସାମିଲ ହୋଇଥିଲେ ।

Spread the love