କର୍ଣ୍ଣାଟକରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କର୍ଣ୍ଣାଟକ ସମେତ ସମଗ୍ର ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ପକ୍ଷରୁ କୋଭିଡ୍‌-୧୯କୁ ମୁକାବିଲା କରିବା ତଥା ଦେଶବାସୀଙ୍କ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ପାଇଁ ସବୁପ୍ରକାର ଉଦ୍ୟମ କରାଯାଉଥିବା ବେଳେ ଦେଶରେ ମାଗଣା ଟିକାକରଣ ଅଭିଯାନ ଆରମ୍ଭ କରାଯାଇଛି । ଅନେକ ସ୍ଥାନରେ ଟିକାକୁ ନେଇ ଦ୍ୱନ୍ଦ ଉପୁଜିଥିବା ବେଳେ ସମସ୍ତ ଷ୍ଟେକ୍ ହୋଲଡରମାନେ ଏହି ଟ୍ୱିକା ଦ୍ୱନ୍ଦକୁ ଦୂର କରିବା ଦିଗରେ କାମ କରିବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମଙ୍ଗଳବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ କର୍ଣ୍ଣାଟକ ଠାରେ ବିଭିନ୍ନ ସମାଜିକ ଏବଂ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବା ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରଧାନ କର୍ଣ୍ଣାଟକର ମାଣ୍ଡ୍ୟା ଠାରେ ଅକ୍ସିଜେନ୍ ଉତ୍ପାଦନ ପ୍ଲାଂଟ୍‌, ମୁଦବିଦ୍ରି ଠାରେ କୋଭିଡ୍ ରୋଗୀଙ୍କ ପାଇଁ ୫୦ ହସ୍ପିଟାଲ ବେଡର ଲୋକାର୍ପଣ କରିଛନ୍ତି। କେଆଇଓସିଏଲର ସହଯୋଗରେ ଏହି ଉଭୟ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଇଥିବା ବେଳେ ଏହା କର୍ଣ୍ଣାଟକକୁ କୋଭିଡ୍ ମହାମାରୀ ବିରୋଧରେ ଲଢ଼ିବାକୁ ସହାୟକ ହେବ ବୋଲି ସେ କହିଛନ୍ତି ।

ସେହିପରି ତୁମକୁର ଜିଲ୍ଲା କାଥ୍ରୀକେହାଲ ଗ୍ରାମରେ କେଆଇଓସିଏଲ ଦ୍ୱାରା ୨୪.୪୪ କୋଟି ଟଙ୍କାରେ ପ୍ରତିଷ୍ଠା ହୋଇଥିବା ୫ ମେଗାୱାଟ ସୋଲାର ପାୱାର ପ୍ଲାଂଟକୁ ମଧ୍ୟ ଉତ୍ସର୍ଗ କରାଯାଇଛି । ଏଥି ସହ କେଆଇଓସିଏଲର ମାଙ୍ଗାଲୋର ପେଲେଟ ପ୍ଲାଣ୍ଟ ଠାରେ ଘଣ୍ଟା ପ୍ରତି ୧୦୦୦ ଟନ୍ କ୍ଷମତା ବିଶିଷ୍ଟ ବାରେଲ୍ ଟାଇପ୍ ବ୍ଲେଣ୍ଡର ରିକ୍ଲେମରର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ପ୍ରକଳ୍ପର ମୂଲ୍ୟ ରହିଛି ୧୭ କୋଟି ୫୦ ଲକ୍ଷ ଟଙ୍କା ।

ଏହି ଅବସରରେ ପ୍ରଧାନ କହିଛନ୍ତି ଯେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମାଗଣା ମେଗା ଟିକାକରଣ କାର୍ଯ୍ୟକ୍ରମରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୮୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଟିକା ନେଇଛନ୍ତି । କର୍ଣ୍ଣାଟକ ସରକାର ମଧ୍ୟ ଏହି ଟିକାକରଣ ଅଭିଯାନରେ ସାମିଲ ହୋଇଥିବାରୁ ଅଭିନନ୍ଦନ । ଆମକୁ ଏହିଭଳି ଶାନ୍ତି ବଜାୟ ରଖିବାକୁ ହେବ । କେନ୍ଦ୍ରମନ୍ତ୍ରୀ ସାମାଜିକ ସଂଗଠନ, ସ୍ୱାସ୍ଥ୍ୟକର୍ମୀ ବିଶେଷଜ୍ଞ, ପଲିସି ମେକରଙ୍କ ସମେତ ସମସ୍ତ ଷ୍ଟେକହୋଲଡରଙ୍କୁ ମିଳିତ ଭାବେ ଏକାଠି ହୋଇ ସମାଜରେ ଥିବା ଟିକା ଦ୍ୱନ୍ଦକୁ ଦୂର କରିବା ଦିଗରେ କାମ କରିବା ପାଇଁ ଆହ୍ୱାନ କରିଥିଲେ ।

ସୂଚନାଯୋଗ୍ୟ, ଏହି ଭର୍ଚୁଆଲ ଲୋକାର୍ପଣ କାର୍ଯ୍ୟକ୍ରମରେ କେନ୍ଦ୍ର ରାଷ୍ଟ୍ର ଇସ୍ପାତ୍ ମନ୍ତ୍ରୀ ଓ କର୍ଣ୍ଣାଟକର ମନ୍ତ୍ରୀ, ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love