ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ଶିକ୍ଷା ମାତୃଭାଷାକୁ ବ୍ୟବହାରିକ ରୂପ ଦେବ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:  ଓଡିଶା ଭାଷାଭିତିକ ରାଜ୍ୟ ଗଠନର ୧୦୦ ବର୍ଷ ପୂର୍ତି ହେବାକୁ ଆଗାମୀ ୧୫ ବର୍ଷ ଏବଂ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତି ହେବାକୁ ଥିବା ଆଗାମୀ ୨୫ ବର୍ଷର ମଧ୍ୟରେ ପିଲାମାନଙ୍କୁ ପୋଷଣ, ଭାଷା, ଶିକ୍ଷା ଏବଂ ରୋଜଗାରକୁ ଆମ ସମାଜର ଗୁରୁତ୍ୱ ଓଡିଆ ଜାତିକୁ ସ୍ୱାବଲମ୍ବୀ, ସ୍ୱାଭିମାନୀ ଏବଂ ଆତ୍ମନିର୍ଭର କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୋମବାର ଭୁବନେଶ୍ୱର ସ୍ଥିତ ଆଇଆଇଟି ଖଡ଼ଗପୁରରର ବର୍ଦ୍ଧିତ କ୍ୟାମ୍ପସ ଠାରେ ଓଡ଼ିଆ ଭାଷାରେ ଇଂଜିନିୟରିଂ ଶିକ୍ଷା ପ୍ରଦାନ କରିବା ପାଇଁ ଅଖିଳ ଭାରତୀୟ ଶିକ୍ଷା ପରିଷଦ(ଏଆଇସିଟିଇ) ଏବଂ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାନ(ଆଇଓଏସଆର) ମଧ୍ୟରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି।  ଏହି ଅବସରରେ ଶ୍ରୀ ପ୍ରଧାନ ଏଆଇସିଟିଇ ଓ ଆଇଓଏସଆରକୁ ଏହି ସାଧୁ ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଏମଓୟୁ ଅନୁସାରେ ଶିକ୍ଷାର ମାନ ଏବଂ ଛାତ୍ରଛାତ୍ରୀ ମାନଙ୍କ ବୁଝିବାର ସାମର୍ଥ୍ୟ ଅନୁସାରେ ଡିପ୍ଲୋମା, ବି.ଟେକ୍ ଭଳି ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଓଡ଼ିଆରେ ଅନୁବାଦ କରାଯିବା ସହ ମାତୃଭାଷାରେ ଶିକ୍ଷା ପ୍ରଦାନ ପାଇଁ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ଏବଂ ପୁସ୍ତକ ପ୍ରସ୍ତୁତିର ବ୍ୟବସ୍ଥା କରାଯିବ । ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ଶିକ୍ଷା ମାତୃଭାଷାକୁ ବ୍ୟବହାରିକ ରୂପ ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶା ଆଗାମୀ ୧୫ ବର୍ଷ ପରେ ୨୦୩୬ରେ ଭାଷାଭିତିକ ରାଜ୍ୟ ଭାବେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ସେହିପରି ଆଗାମୀ ୨୫ ବର୍ଷ ପରେ ୨୦୪୭ ସୁଦ୍ଧା ଦେଶ ସ୍ୱାଧୀନତାର ୧୦୦ବର୍ଷ ପୂରଣ କରିବ । ଏହି ସମୟରେ ୪ଟି ବିଷୟ ଯଥା ପୋଷଣ, ଭାଷା, ଶିକ୍ଷା ଓ ରୋଜଗାର ଆମ ସମାଜ ପାଇଁ ଆହ୍ୱାନ ହୋଇଛି । ପିଲାଙ୍କୁ ପୃଷ୍ଟିକରଣଯୁକ୍ତ ଖାଦ୍ୟ ସହ ମାତୃଭାଷାକୁ ଗୁରୁତ୍ୱ, ଗୁଣାତ୍ମକ ଶିକ୍ଷା ସହ ରୋଜଗାରକୁ ପ୍ରଧାନ୍ୟ ଦେବାକୁ ପଡ଼ିବ । ଏହାକୁ ଗୁରୁତ୍ୱ ଦେଲେ ହିଁ ଆମେ ସ୍ୱାବଲମ୍ବୀ, ସ୍ୱାଭିମାନୀ ଓ ଆତ୍ମନିର୍ଭର ହୋଇପାରିବା । ଅତୀତରେ ଗଭୀର ସମୁଦ୍ରରେ ବିଶାଳ ବୋଇତ ଚାଳନା, ଶିଳ୍ପୀ ବିଶୁ ମହାରଣାଙ୍କ ଦ୍ୱାରା ନିର୍ମିତ କୋଣାର୍କର
ସୂର୍ଯ୍ୟ ମନ୍ଦିର ମାନବ ସଭ୍ୟତାର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ଓଡ଼ିଆଙ୍କ ପରିପ୍ରକାଶର ପ୍ରମାଣ । ସେ ସମୟରେ ଏହିଭଳି ବୈଷୟିକ ଶିକ୍ଷା ବଳରେ ଆର୍ôଥକ ଓ ସାମାଜିକ ବିକାଶ ଓଡ଼ିଆ ଜାତିର ଅନନ୍ୟ ନିଦର୍ଶନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ନିଜ ଭାଷାରେ ଶିକ୍ଷା ଦ୍ୱାରା ବ୍ୟକ୍ତି ଓ ରାଷ୍ଟ୍ରର କିପରି ଆର୍ଥକ ବିକାଶ ଘଟିଥାଏ, ତାହାର ସର୍ବଶ୍ରେଷ୍ଠ ଦୃଷ୍ଟାନ୍ତ ୟୁରୋପୀୟ ଦେଶ ଜର୍ମାନୀ, ଫ୍ରାନ୍ସ ଏବଂ ଏସୀୟ ଦେଶ ଜାପାନରେ ଦେଖିବାକୁ ମିଳେ । ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣୟନ ହୋଇଥିବା ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦(ଏନଇପି)
ଅନୁସାରେ ଆମ ଦେଶର ଶିକ୍ଷା ବ୍ୟବସ୍ଥାକୁ ମାତୃଭାଷା ଆଧାରିତ କରିବା ଆବଶ୍ୟକ ।

ସୂଚନାଯୋଗ୍ୟ, ଏହି କାର୍ଯ୍ୟକ୍ରମରେ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନୀଲ ସହସ୍ରବୁଦ୍ଧେ, ଅବସରପ୍ରାପ୍ତ ରାଷ୍ଟ୍ରଦୂତ ତଥା ଆଇଓଏସଆରର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅବସର ବେଉରିଆ, ଆଇଆଇଟି ଖଡଗପୁରର ନିର୍ଦ୍ଦେଶକ ପ୍ରଫେସର ବୀରେନ୍ଦ୍ର କୁମାର ତିୱାରୀ, ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଆର.ଭି ରାଜକୁମାର, ଏଆଇସିଟିଇର ପରିଷଦର ମୁଖ୍ୟ ସଂଯୋଜକ ବୁଦ୍ଧ ଚନ୍ଦ୍ରଶେଖର, ଆଇଓଏସଆରର ସଦସ୍ୟ ସଚିବ ଡ଼ାକ୍ତର ସୁବ୍ରତ ପୃଷ୍ଟି ପ୍ରମୁଖ ଯୋଗଦେଇଥିଲେ ।

Spread the love