ଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସାମାଜିକ- ଆର୍ଥିକ ପରିବର୍ତନର ନୂଆ ମାଧ୍ୟମ-ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦୃଶ୍ୟପଟ୍ଟରେ ଜ୍ଞାନ ଏବଂ ଟେକ୍ନୋଲୋଜି ସାମାଜିକ- ଆର୍ଥିକ ପରିବର୍ତ୍ତନର ନୂଆ ମାଧ୍ୟମ ବୋଲି ଶୁକ୍ରବାର ସାମାଜିକ ଏବଂ ସାଂସ୍କୃତିକ ଅଧ୍ୟୟନ ପ୍ରତିଷ୍ଠାନ (ଆଇଏସସିଏସ) ର ନୂଆ ଦ୍ୱିଭାଷୀ ପତ୍ରିକା “ପୂର୍ବୋଦୟ- ଦ ରାଇଜ୍ ଅଫ୍ ଅପରଚ୍ୟୁନିଟି”ର ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଆମକୁ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରତି ଆମର ଦୃଷ୍ଟିକୋଣକୁ ପୁନଃବିଚାର କରିବାକୁ ହେବ ଏବଂ ପୂର୍ବ ଭାରତ ତଥା ଦେଶକୁ ଆତ୍ମନିର୍ଭର କରିବା ଓ ବିକାଶର ନୂଆ ଅଧ୍ୟାୟ ସୃଷ୍ଟି କରିବା ପାଇଁ ଥିବା ଆହ୍ୱାନ ଗୁଡ଼ିକୁ ସୁଯୋଗରେ ପରିଣତ କରିବାକୁ ହେବ। ଶ୍ରୀ ପ୍ରଧାନ ପୂର୍ବ ଭାରତର ସମୃଦ୍ଧ ସଂସ୍କୃତି ଏବଂ ଇତିହାସ ଉପରେ ଆଲୋକପାତ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପୂର୍ବ ରାଜ୍ୟ ସମୂହ ଗୁଡ଼ିକର ବିକାଶ ପାଇଁ ନିରନ୍ତର ଉଦ୍ୟମ କରାଯାଉଛି । ଦେଶର ପୂର୍ବ ଭାରତ ଅପାର ସମ୍ଭାବନାରେ ପରିପୂର୍ଣ୍ଣ । ଖଣିଜ, ଉର୍ବର ଜମି ଏବଂ ଅନ୍ୟ ସବୁ ପ୍ରାକୃତିକ ସମ୍ବଳର ଅଭାବ ନଥିବା ପୂର୍ବା ଭାରତର ବିକାଶ ଦିଗରେ ଆଗେଇବା ପାଇଁ ଆମେ ସକ୍ଷମ। ଏହାସହ ଏହି ଅଂଚଳରେ ସମୃଦ୍ଧ ସଂସ୍କୃତି ପୂର୍ବ କାଳରୁ ରହିଆସିଛି । ଦେଶର ଏହି ଗୌରବମୟ ସ୍ଥାନରେ ସମ୍ରାଟ ଅଶୋକ, ଖାରବେଳ ପ୍ରମୁଖ ଶାସନ କରୁଥିଲେ । ସାମ୍ପ୍ରତିକ ସମୟରେ ସୁଭାଷ ଚନ୍ଦ୍ର ବୋଷ, ସ୍ୱାମୀ ବିବେକାନନ୍ଦ, ରବିନ୍ଦ୍ର ନାଥ ଟାଗୋରଙ୍କ ବିଚାର ମାଧ୍ୟମରେ ଭାରତର ସଂସ୍କୃତି ଓ ପରମ୍ପରାକୁ ପୁନଃଜୀବିତ କରିବାକୁ ପଡ଼ିବ। ଟାଗୋରଙ୍କ ଆଧ୍ୟାତ୍ମିକ ଚେତନାକୁ ଉପଯୋଗ କରି ନୂଆ ଭାରତ ନିର୍ମାଣରେ ପୂର୍ବ ଭାରତକୁ ଆଗେଇ ନେବା ପାଇଁ ପଡ଼ିବ।
ପୂର୍ବୋଦୟକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ଆଲୋଚନା କରିବା ଦିଗରେ ବୁଦ୍ଧିଜୀବୀ, ଯୁବ ଗବେଷକଙ୍କୁ ଯୋଡ଼ି ପଦକ୍ଷେପ ନେଇଥିବାରୁ ଆଇଏସସିଏସକୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ।  କେବଳ ଦ୍ୱିଭାଷୀ ନୁହେଁ ବରଂ ପୂର୍ବୋୟ ପତ୍ରିକାକୁ ବହୁ ଭାଷାରେ ପ୍ରକାଶିତ କରିବାର ଆବଶ୍ୟକତା ରହିଛି । ଭାଷା ବିବିଧତା ହିଁ ଆମର ବଡ ଶକ୍ତି ଏବଂ ଏଥିପାଇଁ ଶିକ୍ଷାରେ ଆମର ମାତୃଭାଷାକୁ ପ୍ରାଥମିକତା ଦେବା ଉଚିତ୍ ବୋଲି କେନ୍ଦ୍ରମନ୍ତ୍ରୀ ମତପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଉତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ଡ଼ା.କିଶୋର କୁମାର ବସା, ଆଇଏସସିଏସର ନିର୍ଦ୍ଦେଶକ ଅରିନ୍ଦମ ମୁଖାର୍ଜୀ, ପୂର୍ବୋଦୟ ପତ୍ରିକାର ସମ୍ପାଦକ ଡ଼ାକ୍ତର ସୁଜିତ ପୃଷେଠ୍ ପ୍ରମୁଖ ଉପସ୍ଥିତ ରହିଥିଲେ ।

Spread the love