ରାଜ୍ୟର ୫ଟି ସ୍ଥାନରେ ବ୍ୟବହୃତ ରନ୍ଧନ ତୈଳରୁବାୟୋଡିଜେଲ ହେବ ପ୍ରସ୍ତୁତ – ଧର୍ମେନ୍ଦ୍ର ପ୍ରଧାନ

ଓଡିଶାର ୫ଟି ସ୍ଥାନରେ ବ୍ୟବହୃତ ରନ୍ଧନ ତୈଳ(ୟୁସିଓ)ରୁ ବାୟୋଡିଜେଲ ଉତ୍ପାଦନ କରିବା ପାଇଁ ତୈଳ ବିପଣନ କମ୍ପାନୀମାନଙ୍କ ପକ୍ଷରୁ ଏକ୍ସପ୍ରେସନ୍ ଅଫ୍ ଇନ୍ଟ୍ରେଷ୍ଟ୍(ଇଓଆଇ) ପ୍ରଦାନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଲୋକସଭାରେ ଲିଖିତ ଉତରରେ ସୂଚନା ଦେଇଛନ୍ତି ।
ସୂଚନାରୁ ଜଣାପଡିଛି ଯେ ଦେଶରେ ବାୟୋଡିଜେଲକୁ ପ୍ରୋତ୍ସାହନ ଦେବା ପାଇଁ ତୈଳ ବିପଣନ କମ୍ପାନୀମାନେ ବ୍ୟବହୃତ ରନ୍ଧନ ତୈଳରୁ ବାୟୋଡିଜେଲ ବାହାର କରିବା ପାଇଁ ପ୍ରଥମେ ଦେଶର ୧୦୦ଟି ସ୍ଥାନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।
ପରବର୍ତୀ ପର୍ଯ୍ୟାୟରେ ଏହାକୁ ଦେଶର ୨୦୦ ସ୍ଥାନକୁ ବୃଦ୍ଧି କରାଯାଇଛି । ଏଥିପାଇଁ ବାୟୋଡିଜେଲର ମୂଲ୍ୟ କ୍ରମାଗତ ୩
ବର୍ଷ ପାଇଁ ସ୍ଥିର ହୋଇଛି । ପ୍ରଥମ ବର୍ଷ ପାଇଁ ଲିଟର ପ୍ରତି ୫୧ ଟଙ୍କା, ଦ୍ୱିତୀୟ ବର୍ଷ ପାଇଁ ୫୨ ଟଙ୍କା ୭ ପଇସା ଓ ତୃତୀୟ
ବର୍ଷ ପାଇଁ ଯଥାକ୍ରମେ ୫୪ ଟଙ୍କା ୫ ପଇସା କରିବାକୁ ନିଷ୍ପତି ନିଆଯାଇଛି । ଏହି ମୂଲ୍ୟମାନଙ୍କରେ ଅତିରିକ୍ତ ଜିଏସଟି
ଏବଂ ପରିବହନ ଶୁଳ୍କ ମଧ୍ୟ ଲାଗିବ ।
ଓଡିଶାର ୫ଟି ଜାଗା ସମେତ ଉତରପ୍ରଦେଶର, ବିହାର, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ,
ତାମିଲନାଡୁ, କର୍ଣ୍ଣାଟକ, ଦିଲ୍ଲୀ, କେରଳ, ପଞ୍ଜାବ, ହରିୟାଣା, ଛତିଶଗଡ, ହିମାଚଳ ପ୍ରଦେଶ, ଆସାମ, ଗୋଆ, ଜାମ୍ମୁ
କାଶ୍ମୀର ଏବଂ ଉତରାଖଣ୍ଡ ଭଳି ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଏକାଧିକ ଏହିପରି ପ୍ରକଳ୍ପ ସ୍ଥାପନା
କରାଯିବ ।
ଏହାବ୍ୟତିତ ଶ୍ରୀ ପ୍ରଧାନ ସଂସଦରେ ଲିଖିତ ଉତରରେ କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫଏସଏସଆଇ) ସୂଚନାନୁସାରେ ଗତ ଅଗଷ୍ଟ ୧୦ ତାରିଖରେ ତୈଳ ବିପଣନ କମ୍ପାନୀମାନଙ୍କ ଦ୍ୱାରା
ବ୍ୟବହୃତ ରନ୍ଧନ ତୈଳରୁ ବାୟୋଡିଜେଲ ସଂଗ୍ରହ କରିବା ପରିପ୍ରେକ୍ଷୀରେ ଏକ୍ସପ୍ରେସନ୍ ଫର୍ ଇନଟ୍ରେଷ୍ଟ୍(ଇଓଆଇ)କୁ
ଉନ୍ମୋଚନ କରାଯାଇଥିଲା । ସେହିଦିନ ଆରୟୁସିଓ (ରିପ୍ରୋପୋଜ ୟୁଜଡ୍ କୁକିଂ ଅଏଲ୍)ର ଏକ ଷ୍ଟିକରର ଉନ୍ମୋଚନ
କରାଯିବା ସହ ସହ ୟୁସିଓର ସଂଗ୍ରହକୁ ତ୍ୱରାନ୍ୱିତ କରିବା ପାଇଁ ଏକ ମୋବାଇଲ ଆପର ମଧ୍ୟ ଶୁଭାରମ୍ଭ କରାଯାଇଥିଲା ।

Spread the love