ବରୁଣେଇ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଠାରେ ପ୍ରସ୍ତୁତିର ସମୀକ୍ଷା କଲେ ଧର୍ମେନ୍ଦ୍ର ପ୍ରଧାନ

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡିଶା ଗସ୍ତର ଅବ୍ୟବହିତ ପୂର୍ବରୁ ଶନିବାର ଖୋର୍ଦ୍ଧା ବରୁଣେଇ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ଠାରେ ସଭାସ୍ଥଳ ପରିଦର୍ଶନ କରିବା ସହ ସୁରକ୍ଷା ଓ ଅନ୍ୟାନ୍ୟ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆସନ୍ତାକାଲି ସମସ୍ତ ଓଡିଆଙ୍କ ପାଇଁ ଗୌରବର ଦିନ ।

ଆସନ୍ତାକାଲି ଐତିହାସିକ ବରୁଣେଇର ପାଦଦେଶରେ ରାଷ୍ଟ୍ରପତିଙ୍କ ଦ୍ୱାରା ଓଡିଆ ଜାତିର ମହାସଂଗ୍ରାମର ୨୦୦ ବର୍ଷର ସ୍ମୃତିର ଶୁଭାରମ୍ଭ କରାଯିବ । ଏହି କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହପଟେଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ, ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓ ସ୍ୱାଧୀନତା ସଂଗ୍ରାମର ପରିବାରର ଦାୟଦମାନେ ପ୍ରମୁଖ ଉପସ୍ଥିତ ରହିବେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ଶତାବ୍ଦୀର ଓଡିଆ ଜାତିର ଲଢେଇ, ସଂଗ୍ରାମ, ତ୍ୟାଗ ତଥା ବଳିଦାନର କୀର୍ତିଗାଥାର ଏହା ପ୍ରତୀକ ହେବ । ରାଜ୍ୟ ସରକାର ମଧ୍ୟ ଏଥିପାଇଁ ଜାଗା ଉପଲବ୍ଧ କରେଇଛନ୍ତି । ବରଣେଇ ପାହାଡର ପାଦଦେଶରେ ଯେଉଁଠାରୁ ଓଡିଶାର ପୂର୍ବଜମାନେ ବ୍ରିଟିଶ ଶାସନ ବିରୋଧରେ ଲଢେଇ କରିଥିଲେ ତାର ସ୍ମୃତିର ଏକ ସ୍ମାରକୀ ନିର୍ମାଣ ହେବା ସୌଭାଗ୍ୟର ବିଷୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଅନ୍ୟ ଏକ ପୃଥକ ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଥିପାଇଁ ଅନେକ କଳ୍ପନା କରାଯାଇଥିବା ବେଳେ ଗୋଟିଏ ଉଚ୍ଚସ୍ତରୀୟ ସମିତି କେନ୍ଦ୍ର ଓ  ରାଜ୍ୟ ଉଭୟ ସରକାରଙ୍କୁ ସଂଶ୍ଲିଷ୍ଟ କରି ଗଠନ କରାଯାଇଛି । ଏହାର କ୍ରିୟାନ୍ୱୟନ ପାଇଁ ଭାରତୀୟ ତୈଳ ମହାସଂଘକୁ ଦାୟିତ୍ୱ ଦିଆଯାଇଛି । ଓଡିଆ ଲୋକଙ୍କ ପରାମର୍ଶରେ ସମସ୍ତଙ୍କର ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଓଡିଆ ଜାତିର ସଭ୍ୟତାର ବୀରଗାଥାକୁ ମନେପକାଇଲା ଭଳି ଏଠାରେ ସ୍ମତିସ୍ଥଳ ତିଆରି କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Spread the love