ଚୀନ, ଜାପାନ ଏବଂ ସାଉଥକୋରିଆରେ ଥିବା ଓଡିଆଙ୍କୁ ରାଜ୍ୟର ଆମ୍ବାସେଡର ହେବା ପାଇଁ ଆହ୍ୱାନ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର : ଚୀନ, ଜାପାନ ଏବଂ ସାଉଥକୋରିଆରେ ଥିବା ଓଡିଆ ସମୁଦାୟର ୨୪ରୁ ଉର୍ଦ୍ଧ୍ୱ ଲୋକଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ତିନୋଟି ଦେଶରେ ରହୁଥିବା ଓଡିଆ ଲୋକ ମାନଙ୍କୁ ରାଜ୍ୟର ଆମ୍ବାସେଡର ହେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିବା ବେଳେ ଏହିମାନେ ହିଁ ବାହାର ଦେଶ ମାନଙ୍କରେ ଓଡିଶାର ପରିଚୟକୁ ତିଆରି କରିପାରିବେ ଏବଂ ଗ୍ଲୋବାଲ ଆଇଡିଆ ମାଧ୍ୟମରେ ଓଡିଶାକୁ ପଞ୍ଜିନିବେଶର ପେଣ୍ଠସ୍ଥଳି କରିପାରିବେ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ନିଜ ନିଜର ଭୂମିକାକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଏକବିଂଶ ଶତାବ୍ଦୀରେ ଓଡିଶାକୁ ଆଗକୁ ନେବା ସହ ରାଜ୍ୟର ପୁଞ୍ଜିନିବେଶ ବଢାଇ ଅର୍ଥନୀତିକୁ ମଜବୁତ୍ କରିବା ପାଇଁ କାମ କରିବାକୁ ପଡିବ । ଓଡିଶାରେ ଅମାପ ଖଣିଜ ସମ୍ପଦ ଭରପୂର ହୋଇ ରହିଥିବା ବେଳେ ଏହାର ସୁଯୋଗ ନେବାର ଆବଶ୍ୟକତା ରହିଛି।

ବର୍ତମାନ ସମୟରେ ଚୀନ, ଜାପାନ ଏବଂ ସାଉଥକୋରିଆରେ ରହୁଥିବା ଲୋକମାନେ ବିଶ୍ୱ ଆଇଡିଆ ସମ୍ବଳକୁ ସୁଦୂପଯୋଗ କରି ଓଡିଶାକୁ ଆଗକୁ ନେବା ଦରକାର । ପୃଥିବୀରେ ଆଗାମୀ ଦିନରେ ଓଡିଶାର ଅର୍ଥନୀତି ପରିବର୍ତନ ହେବା ନିଶ୍ଚିତ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଆ ଲୋକ ପ୍ରଗତିଶୀଳ, ବୁଦ୍ଧିମାନ, ପରିଶ୍ରମୀ ସମାଜ । ପୂର୍ବ ଭାରତର ପ୍ରବେଶ ଦ୍ୱାର ହେଉଛି ଓଡିଶା । ପରିସ୍ଥିତି ହିଁ ଲୋକମାନଙ୍କୁ ପରିବର୍ତନ କରେ ଏବଂ ଏଭଳି ସମୟରେ ସମସ୍ତେ ମିଶି ନିଜ ରାଜ୍ୟ ଓ ଦେଶ ପାଇଁ କାମ କରିବା ଏବଂ ସମ୍ଭାବନାକୁ ସୁଯୋଗରେ ପରିଣତ କରିବାର ସମୟ । ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡିଆ ଲୋକମାନେ ହିଁ ଓଡିଶାକୁ ପୁନନିର୍ମାଣ କରିବାର ଦାୟିତ୍ୱ ନେବା ଦରକାର ବୋଲି ସେ ମତବ୍ୟକ୍ତ କରିଛନ୍ତି । କଳିଙ୍ଗ ଯୁଦ୍ଧରେ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତନ ହୋଇଥିଲେ । ଓଡିଆ ଲୋକଙ୍କ ଭଲପାଇବା, ସାହାସ ଦ୍ୱାରା ହିଁ ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ।

ମଙ୍ଗୋଲିଆର ଚେଙ୍ଗିଜ୍ ଖାଁ ମଧ୍ୟ ଏକ ଛୋଟ ସମ୍ରାଜ୍ୟରୁ ଆସି ଏକ ସମ୍ରାଜ୍ୟରେ ଆଧିପତ୍ୟ ଗ୍ରହଣ କରିଥିଲେ । ସମଗ୍ର ଭାରତବର୍ଷରେ ବାତ୍ୟା ପ୍ରବଣ ଅଂଚଳ ପାଲଟିଥିବା ଓଡିଶା ମଧ୍ୟ ବଡ ବଡ ପ୍ରାକୃତିକ ବିପର୍ଯ୍ୟକୁ ସାମ୍ନା କରୁଛି । ତେଣୁ ଓଡିଶାକୁ ବିଶ୍ୱରେ ଆଗକୁ ନେବାର ଅନେକ ସମ୍ଭାବନା ରହିଛି ।

Spread the love