ମୋଦି ସରକାରଙ୍କ କୃଷି ନୀତି ଦେଶର କୃଷକଙ୍କୁ ସ୍ୱାବଲମ୍ବୀ କରିଛି: ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ କୃଷି ନୀତି ଦେଶର କୃଷକଙ୍କୁ ଆତ୍ମନିର୍ଭର ସହ ସ୍ୱାବଲମ୍ବୀ କରିଛି । ମୋଦି ସରକାରଙ୍କ ଦ୍ୱାରା କୃଷି କ୍ଷେତ୍ରରେ ଅଣାଯାଇଥିବା ନୂତନ ସଂସ୍କାର କାରଣରୁ ପ୍ରଥମ ଥର ପାଇଁ କର୍ପୋରେଟ୍ ଫାଇନାନ୍ସ କୃଷି କ୍ଷେତ୍ରରେ ମଧ୍ୟ ଲାଗିବ । ଫଳରେ ଦେଶରେ କୃଷି ଉତ୍ପାଦନ ବଢିବ ଓ ଚାଷୀ ଉତ୍ପାଦିତ ସାମଗ୍ରୀର ଉପଯୁକ୍ତ ମୂଲ୍ୟ ପାଇପାରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତି ଅବସରରେ ବିଜେପି ପକ୍ଷରୁ ଆୟୋଜିତ ହିମାଚଳପ୍ରଦେଶ ଜନସମ୍ବାଦ ଭର୍ଚୁଆଲ ରାଲିରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ନରେନ୍ଦ୍ର ମୋଦି ସରକାରଙ୍କ ନୂତନ ନିୟମରେ ହିମାଚଳର କୃଷକ ମାନଙ୍କୁ ଅର୍ଥନୈତିକ ସ୍ୱାବଲମ୍ବୀ କରିଛନ୍ତି । ଗରିବ କଲ୍ୟାଣ ଯୋଜନାରେ ତିନିମାସ ପାଇଁ ହିମାଚଳ ପ୍ରଦେଶ ସମେତ ଦେଶର କୃଷକଙ୍କୁ କୃଷକ ସମ୍ମାନ ନିଧିରେ ସିଧାସଳଖ ଟଙ୍କା ଦିଆଯାଇଛି ।ମୋଦି ସରକାର କୃଷକଙ୍କ କଲ୍ୟାଣ ପାଇଁ ସର୍ବଦା ଚେଷ୍ଟିତ । ମୋଦି ସରକାରରେ ବିଗତ ୬ ବର୍ଷରେ କୃଷି କ୍ଷେତ୍ରରେ ଅନେକ ସଂସ୍କାର ଅଣାଯାଇଛି । ଦେଶରେ କୃଷି ଆଧାରିତ ବଜାରର ବ୍ୟବସ୍ଥା ତିଆରି କରିବା ପାଇଁ ୧ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଛି । କୋରନା ଭଳି ଘଡିସନ୍ଧି ମୁହୂର୍ତରେ ଚାଷ କାର୍ଯ୍ୟକୁ ସ୍ୱୀକୃତି ଦିଆଯାଇଛି । ଆଗାମୀ ଦିନରେ ସମଗ୍ର ଭାରତବର୍ଷର ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଯୋଜନା କରାଯାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଏକ ଉତମ ସୁଶାସନ ପ୍ରତିଷ୍ଠା ହୋଇପାରିଛି । ଗ୍ରାମରୁ ସହର ପର୍ଯ୍ୟନ୍ତ ଗରିବ, ମହିଳା, ଉଦ୍ୟୋଗୀ, ଦିବ୍ୟାଙ୍ଗ, କୃଷକ, ଯୁବପିଢି ତଥା ସବୁ ବର୍ଗଙ୍କ ପାଖରେ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ପହଁଚିପାରିଛି । ଅପରପକ୍ଷରେ ଆମେରିକା ଭଳି ବଡ ବଡ ରାଷ୍ଟ୍ର କରୋନା ମହାମାରୀ ଯୋଗୁଁ ଧରାଶାୟୀ ହୋଇଛନ୍ତି । ମାତ୍ର ଦେଶରେ ନରେନ୍ଦ୍ର ମୋଦିଙ୍କ ସଫଳ ନେତୃତ୍ୱ କାରଣରୁ ଦେଶ କରୋନା ମହାମାରୀର ସଫଳ ମୁକାବିଲା କରିପାରୁଛି । ଏହି ସଫଳ ୧୩୦ କୋଟି ଭାରତୀୟଙ୍କ ବିଶ୍ୱାସ କାରଣରୁ ସଫଳ

ହୋଇପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Spread the love