ରାଜ୍ୟରେ ଯୁବପିଢିଙ୍କ ମଧ୍ୟରେ ଚାଷ କାର୍ଯ୍ୟ ପ୍ରତି ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ପଡିବ – ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର : ଭେମ୍ବ ଦିନରେ ରାଜ୍ୟର ଯୁବପିଢିଙ୍କ ମଧ୍ୟରେ ଚାଷ କାର୍ଯ୍ୟ ପ୍ରତି ଆତ୍ମବିଶ୍ୱାସ ତିଆରି କରିବା ପାଇଁ ଓଡ଼ିଆ ସମାଜ ପରି ସାମାଜିକ ସଂଗଠନ ଦାୟିତ୍ୱ ନେବା ଦରକାର ବୋଲି ଶୁକ୍ରବାର ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ “ଓଡ଼ିଶାର କୃଷି ଓ ଆତ୍ମନିର୍ଭରତା” ଶୀର୍ଷକ ୱେବିନାରରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଓଡ଼ିଶାର ୮୦ଲକ୍ଷ ଘର ତଥା ପରିବାର ଚାଷ ତଥା ଜଙ୍ଗଲଜାତ, ମତ୍ସ୍ୟ ଓ ପଶୁପାଳନ, ପନିପରିବା ବିକ୍ରି କରିବା ଉପରେ ନିର୍ଭର କରିଥାନ୍ତି । ତେବେ ଏହି ଓଡ଼ିଶାର ୮୦ ଲକ୍ଷ
ଘରେ ମହୁ ଚାଷ, କିଚେନ୍ ଗାର୍ଡେନ୍ ଭଳି ଅନେକ କୃଷିଜାତ ସାମଗ୍ରୀ ଉତ୍ପାଦନ କରିବା ଭଳି ବ୍ୟବସ୍ଥା ହୋଇପାରିବ । ତେବେ ଘରେ ଯେଉଁ ସବୁ ଆବର୍ଜନା ପଡ଼ି ରହିଛି ତାହାକୁ ଉପଯୋଗ କରାଯାଇ ଏକ ‘ଉଦ୍ୟମୀ ମଡେଲ୍‌’ ତିଆରି କରିବାର ଆବଶ୍ୟକତା ରହିଛି । ଫଳରେ ଏହି ବ୍ୟବସାୟିକ ଲାଭରୁ ରାଜ୍ୟର ଅର୍ଥନୀତିକୁ ମଜବୁତ୍ କରାଯାଇପାରିବ । ନୂଆ ଟେକ୍ନୋଲୋଜିକୁ ଉପଯୋଗ କରାଯାଇ ବର୍ତ୍ତମାନ ଆଖୁ ରସ, ଚାଉଳରୁ ଇଥାନଲ ପ୍ରସ୍ତୁତ କରାଯାଉଛି । ତେବେ ଯଦି ଆଗାମୀ ଦିନରେ ମକାରୁ ଇଥାନଲ ତିଆରି କରିବା ପାଇଁ ଅନୁମତି ଦିଆଯିବ ତେବେ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ମକାରୁ ଇଥାନଲ ପ୍ରସ୍ତୁତ କଳକାରଖାନା ପ୍ରତିଷ୍ଠା କରାଯାଇପାରିବ । ଫଳରେ ସ୍ଥାନୀୟ ଚାଷୀମାନେ ଲାଭବାନ ହୋଇପାରିବେ । ଭାରତ ସରକାରଙ୍କ କୃଷି ନୀତି ଫଳରେ ରାଜ୍ୟର ଚାଷୀମାନେ କୃଷି ସାମଗ୍ରୀର ଉତ୍ପାଦନ, ବଜାରରେ ବିକ୍ରି ଏବଂ କୃଷି ସାମଗ୍ରୀକୁ ସଂରକ୍ଷଣ କରି ରଖିବାର ସ୍ୱାଧୀନତା ପାଇବେ । ନୂଆ କୃଷି ନୀତିରେ ଅଣସରକାରୀ ସଂସ୍ଥା ଗୁଡ଼ିକ କୃଷି କ୍ଷେତ୍ରରେ ପୁଞ୍ଜିନିବେଶ ମଧ୍ୟ କରିପାରିବେ । ନୂଆ କୃଷି ନୀତିରେ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନରେ ଥିବା ପ୍ରତିବନ୍ଧକ ଓ ଦ୍ୱନ୍ଦକୁ ଦୂର କରାଯାଇଛି । ବିଶ୍ୱର ଯେ କୌଣସି ବଜାରରେ ଜଣେ କ୍ଷୁଦ୍ର ଚାଷୀ ନିଜର ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବା ପାଇଁ ସାମର୍ଥ୍ୟ ହୋଇଛି । କୃଷି ଭିତ୍ତିଭୂମିକୁ ମଜବୁତ୍ ଓ କୃଷକଙ୍କୁ ସଶକ୍ତ କରିବା ପାଇଁ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଓ ଏଫପିଓର ବ୍ୟବସ୍ଥା ହୋଇଛି । ଏହା ଦ୍ୱାରା ଓଡ଼ିଶା ସମେତ ଭାରତବର୍ଷର ଚାଷୀମାନେ ଲାଭବାନ ହେବେ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସମାଜର ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନ, ସଫଲର ବ୍ୟବସାୟିକ ମୁଖ୍ୟ ପ୍ରଦୀପ୍ତ କୁମାର ସାହୁ, ଆଡମିନିଷ୍ଟ୍ରେଟିଭ୍ ଷ୍ଟାଫ କଲେଜ୍ ଅଫ୍ ଇଣ୍ଡିଆର ଅବସରପ୍ରାପ୍ତ ମହାନିର୍ଦ୍ଦେଶକ ଡ. ଏସ.କେ ପଟ୍ଟନାୟକ, ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ସଚିବ ଏବଂ ମହାନିର୍ଦ୍ଦେଶକ ଡ. ତ୍ରିଲୋଚନ ମହାପାତ୍ର, ଓଡ଼ିଶା ସରକାରର କୃଷି ଓ କୃଷକ ସଶକ୍ତକରଣର ପ୍ରମୁଖ ସଚିବ ଡ. ସୌରଭ ଗର୍ଗ, ଭାରତ ସରକାରଙ୍କ କୃଷି ସମବାୟ ଏବଂ କୃଷକ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଶ୍ରୀ ପିକେ ସ୍ୱାଇ, ନାଫେଡର ପ୍ରବନ୍ଧନ ନିର୍ଦ୍ଦେଶକ ଶ୍ରୀ ସଞ୍ଜୀବ କୁମାର ଚଢ଼ା, ପ୍ରମୁଖ ବକ୍ତା ଭାବେ ଯୋଗଦେଇ ଓଡ଼ିଶା କୃଷି ଓ କୃଷକକୁ ଆତ୍ମନିର୍ଭର କରିବା ଉପରେ ନିଜର ମତମନ୍ତବ୍ୟ ରଖିଥିଲେ । ରାଜ୍ୟର କୃଷକଙ୍କୁ ଆତ୍ମନିର୍ଭର କରିବା,ଯୁବପିଢିଙ୍କୁ କୃଷି କ୍ଷେତ୍ର ଓ କୃଷି ଉଦ୍ୟୋଗୀ ସହ ଯୋଡ଼ିବା,କୃଷି କ୍ଷେତ୍ରରେ ଥିବା ଆହ୍ୱାନକୁ ଚିହ୍ନଟ କରିବା ଓ ରାଜ୍ୟରେ କୃଷି କ୍ଷେତ୍ରରେ ଥିବା ସମ୍ଭାବନାକୁ ଉପଯୋଗ କରିବା ଉପରେ ଆଲୋଚନା ହୋଇଥିଲା ।

Spread the love