ଭାରତ ଆତ୍ମନିର୍ଭରଶୀଳ ହେବା ଦିଗରେ ବଡ ପଦକ୍ଷେପ: ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା ଏବଂ ଆଜି ଦେଶବାସୀଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହାର ବିସ୍ତୁତ ବିବରଣୀ ପ୍ରଦାନ କରିବାକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ଆତ୍ମନିର୍ଭରଶୀଳ ହେବା ଦିଗରେ ଏହା ବଡ ପଦକ୍ଷେପ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

କରୋନା ମହାମାରୀ ସମୟରେ ଏଭଳି ପଦକ୍ଷେପ ପାଇଁ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଅର୍ଥମନ୍ତ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶବାସୀଙ୍କ ଆବଶ୍ୟକତା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଏମଏସଏମଇ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଏହା ଦ୍ୱାରା ଦେଶର ଅର୍ଥନୀତି ମଜବୁତ ହେବ ।

ଏମଏସଏମଇ ପାଇଁ ୩ ଲକ୍ଷ କୋଟି ଟଙ୍କାର ବନ୍ଧକବିହୀନ ଋଣର ବ୍ୟବସ୍ଥା ହୋଇଛି । ଏମଏସଏମଇକୁ ବିସ୍ତାର କରିବା ପାଇଁ ୫୦ ହଜାର କୋଟି ଘୋଷଣା କରିଛନ୍ତି । ଏମଏସଏମଇ ପାଇଁ ୧୦ ହଜାର କୋଟିର ‘ଫଣ୍ଡସ୍ ଅଫ୍ ଫଣ୍ଡ’ର ବ୍ୟବସ୍ଥା କରିଛନ୍ତି । ଏହି ସବୁ ବ୍ୟବସ୍ଥା ଦେଶର ଅର୍ଥନୀତିକୁ ବଢାଇବା ସହ ଆତ୍ମନିର୍ଭର କରିବା ଦିଗରେ ବଡ ଭୂମିକା ନେବ ।

ଘରୋଇ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଓ ସେମାନଙ୍କ ନିଯୁକ୍ତିଦାତାଙ୍କ ପାଇଁ ୨୫୦୦ କୋଟିର ଇପିଏଫ ସହଯୋଗ ଦିଆଯାଇଛି । ଏହା ଦ୍ୱାରା ପ୍ରାୟ ୩.୬୭ ଲକ୍ଷ ପ୍ରତିଷ୍ଠାନ ଏବଂ ୭୨.୨୨ ଲକ୍ଷ କର୍ମଚାରୀ ଲାଭବାନ ହେବେ । ଏହାବ୍ୟତିତ ବିଶେଷଭାବରେ ବଡ ବଡ ପଦକ୍ଷେପ ଯଥା ବ୍ୟବସାୟକୁ ବଢାଇବା ପାଇଁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଦାୟିତ୍ୱପୂର୍ଣ୍ଣ ସରକାରର ଉଦାହରଣ ସୃଷ୍ଟି କରିଛନ୍ତି । ଏହି ଐତିହାସିକ ପଦକ୍ଷେପ କରୋନା ପରବର୍ତୀ ଭାରତର ବିକାଶକୁ ପ୍ରତ୍ସାହନ ଦେବ ଏବଂ ଏକ ଶକ୍ତିଶାଳୀ, ସ୍ଥିର ତଥା ପ୍ରଗତିଶୀଳ ଭାରତ ଗଠନ କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Spread the love