ଓବିସି ଓ ଏସଇବିସି ବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପୁଣି କେନ୍ଦ୍ରମନ୍ତ୍ରୀଙ୍କ ଚିଠି

ଓବିସି ଓ ଏସଇବିସି ବର୍ଗ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ମାମଲାରେ ପୁଣି ଥରେ ପତ୍ର ଲେଖି ଏହି ଉଭୟ ବର୍ଗ ପାଇଁ ସ୍ଥାନ ସଂରକ୍ଷଣ କ୍ଷେତ୍ରରେ ତ୍ୱରିତ ପଦକ୍ଷେପ ନେବା ପାଇଁ ପୁଣି ଦୃଢ ଦାବୀ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମହାରାଷ୍ଟ୍ର ବିଧାନସଭାର ପ୍ରସ୍ତାବ ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ ୨୦୨୧ ଜନଗଣନା ସହିତ ରାଜ୍ୟର ଏସଇବିସି ବର୍ଗ ଅନ୍ତଭୃକ୍ତ ଜାତି ଗୁଡିକର ଗଣନା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହି ପଦକ୍ଷେପ ରାଜ୍ୟ ସରକାରଙ୍କର ଓବିସି ଓ
ଏସଇବିସି ବର୍ଗ ଅନ୍ତର୍ଗତ ଜନସାଧାରଣଙ୍କୁ ଉପଯୁକ୍ତ ସଂରକ୍ଷଣ ଅଧିକାର ନଦେବା ତଥା ଏହି ମାମଲାରେ ସରକାରଙ୍କର ଅପାରଗତା ଛୁପାଇ ରଖିବାର ଏକ ଉଦ୍ୟମ ବୋଲି ସେ ବର୍ଣ୍ଣନା କରିଛନ୍ତି । ଏହି ପ୍ରସଙ୍ଗକୁ ବିଚାର କରିବା ପାଇଁ ଉଦ୍ଦିଷ୍ଟ ରାଜ୍ୟରେ ବ୍ୟାକୁଆର୍ଡ କ୍ଲାସ କମିଶନ ଗଠନ ନକରି ଜନଗଣନାରେ ପଛୁଆ ଜାତି ଗଣନା କଥା କହିବା ରାଜ୍ୟ ସରକାରଙ୍କର ଓବିସି ଓ ଏସଇବିସି ବର୍ଗ ପାଇଁ ପ୍ରତିବଦ୍ଧତା ନଥିବାର ବଳିଷ୍ଠ ପ୍ରମାଣ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ କହିଛନ୍ତି ୨୦୯ଟି ଜାତି ବିଶେଷ ରାଜ୍ୟର ଏସଇବିସି ବର୍ଗରେ ସାମିଲ ହେବା ସହ ଐତିହାସିକ ଭାବେ ଦାରିଦ୍ୟ ଓ ଅଶିକ୍ଷାର ପୀଡିତ । ରାଜ୍ୟର ମୋଟ ଜନସଂଖ୍ୟାର ପ୍ରମୁଖ ଅଂଶ ହେଉଛନ୍ତି ଓବିସି ଓ ଏସଇବିସି ବର୍ଗ ।ଶ୍ରୀ ପ୍ରଧାନ କହିଛନ୍ତି ସମ୍ବିଧାନର ଧାରା ୧୫(୪) ଓ ୧୬(୪) ବଳରେ କେନ୍ଦ୍ର ସରକାର ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଛନ୍ତି । ଏହାକୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ମଧ୍ୟ ବୈଧ ଘୋଷଣା କରିଛନ୍ତି । ମାତ୍ର ଦେଶରେ ଦୀର୍ଘ ୩୦ ବର୍ଷ ଧରି ଏହା ଲାଗୁ ହେଲା ପରେ ମଧ୍ୟ ଓଡିଶା ସରକାର ଓବିସିଙ୍କୁ ନିଯୁକ୍ତି ଓ ଶିକ୍ଷା
କ୍ଷେତ୍ରରେ ଓ ଏସଇବିସିଙ୍କୁ ଶିକ୍ଷା କ୍ଷେତ୍ରରେ କଣ ପାଇଁ ସଂରକ୍ଷଣ ଦେଉନାହାନ୍ତି ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।
ଦେଶର ସବୁ ରାଜ୍ୟ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅନ୍ୟୁନ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରିଥିବା ବେଳେ କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ବିହାର ଆଦି ରାଜ୍ୟ ସେସବୁ ରାଜ୍ୟ ଗୁଡିକରେ ଏହି ଜାତି ଗୁଡିକର ଜନସଂଖ୍ୟାରେ ଅଧିକ ଭାଗ କାରଣରୁ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି ।
ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ତାମିଲନାଡୁ ଭଳି ରାଜ୍ୟରେ ୫୯ ପ୍ରତିଶତ ସ୍ଥାନ ସଂରକ୍ଷିତ ଥିବା ବେଳେ
ଏଥିରୁ ୫୦ ପ୍ରତିଶତ ପଛୁଆ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ମାତ୍ର ଓଡିଶା ଜନସଂଖ୍ୟାରେ ଓବିସି ଓ ଏସଇବିସି ସଂଖ୍ୟା ଯଥେଷ୍ଟ ଅଧିକ ଥିବାବେଳେ ଜନସଂଖ୍ୟା ଅନୁସାରେ ସେମାନେ ସଂରକ୍ଷଣ ସୁବିଧାରୁ ବଂଚିତ ଅଛନ୍ତି । ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ପ୍ରସଙ୍ଗରେ ଉଲ୍ଲେଖ କରି ଅଧିକ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ପ୍ରତିବନ୍ଧକ ନଥିବା ସ୍ପଷ୍ଟ କରିଛନ୍ତି । ଇନ୍ଦ୍ରା ସ୍ୱହନୀ ଓ ଭାରତ ସରକାରଙ୍କ କେସ୍ ମାମଲାରେ ମାନ୍ୟବର ସୁପ୍ରିମକୋର୍ଟ ବିଶେଷ
ପରିସ୍ଥିତିରେ ସ୍ଥାନ ସଂରକ୍ଷଣ ନିଦ୍ଦିଷ୍ଟ ସୀମା ଠାରୁ ଅଧିକ ହୋଇପାରିବ ବୋଲି ରାୟ ପ୍ରକାଶ କରିଥିଲେ ।
ମହାରାଷ୍ଟ୍ରର ଦେବେନ୍ଦ୍ର ଫଡନାବିସ ସରକାର ମରଠା କମ୍ୟୁନିଟି ପାଇଁ ୧୬ ପ୍ରତିଶତ ନିଯୁକ୍ତି ଓ ଶିକ୍ଷାରେ ବ୍ୟବସ୍ଥା କରିବାପରେ ମହାରାଷ୍ଟ୍ରର ସ୍ଥାନ ସଂରକ୍ଷଣ ୬୩ ପ୍ର ବୃଦ୍ଧି ପାଇଥିଲା ଓ ଏହା ମାନ୍ୟବର ବମ୍ବେ ହାଇକୋର୍ଟ ରାଜ୍ୟ ସରକାରଙ୍କର ସୀମା ଉପରେ ବିଶେଷ କାରଣ ଯୋଗୁଁ ସଂରକ୍ଷଣ ବଢାଇବାର ଅଧିକାରକୁ ସମ୍ମତି ପ୍ରଦାନ କରିଥିଲେ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।
ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ୧୯୯୩ ମସିହା ଠାରୁ ଓଡିଶା ଷ୍ଟେଟ୍ କମିଶନ ଫର୍ ବ୍ୟାକୁଆର୍ଡ କ୍ଲାସେସ୍ ଆକ୍ଟ ପାସ୍ ହୋଇଥିବା ପରେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନଥିବା ଦର୍ଶାଇ ତୁରନ୍ତ ଏହି ବ୍ୟାକୁଆର୍ଡ କ୍ଲାସ୍ କମିଶନ
ଗଠନ କରି ବୈଜ୍ଞାନିକ ଓ ତଥ୍ୟ ସମ୍ବଳିତ ରିପୋର୍ଟ ଆଧାରରେ ଜନସଂଖ୍ୟ।।ରେ ଭାଗ ଅନୁସାରେ ଅଧିକ ପ୍ରତିଶତ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଏହି ପଦକ୍ଷେପ ସଂରକ୍ଷଣ ସୁବିଧା ପାଉନଥିବା ଯୋଗ୍ୟ ବ୍ୟକ୍ତି ମାନଙ୍କର ମଙ୍ଗଳ କରିବା ସହ ଜନସଂଖ୍ୟାର ସବୁ ବର୍ଗଙ୍କର ରାଜ୍ୟକୁ ଉପଯୁକ୍ତ ସେବା ଦେବାର ସୁଯୋଗ ପାଇପାରିବେ । ଶ୍ରୀ ପ୍ରଧାନ ଏହି ପତ୍ରରେ ମୁଖ୍ୟମନ୍ତ୍ରୀ ତୁରନ୍ତ ଓ ସକାରତ୍ମକ ପଦକ୍ଷେପ ନେବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।

Spread the love