ୟୁପି ନିର୍ବାଚନରେ ମୋଦୀ-ଯୋଗୀଙ୍କୁ ପ୍ରଶଂସା, କିନ୍ତୁ ବିଜୟର ମାଷ୍ଟର ବ୍ରେନ୍ ଧର୍ମେନ୍ଦ୍ର

ନୂଆଦିଲ୍ଲୀ ୧୪/୦୩: ଉତ୍ତର ପ୍ରଦେଶରେ କାମ କଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରଣନୀତି । ଧର୍ମେନ୍ଦ୍ରଙ୍କ ଗୋଟି ଚାଳନାରେ ଫେଲ୍ ମାରିଲେ କଂଗ୍ରେସ, ସପା ଓ ବିଏସପି ଭଳି ବିରୋଧୀ । ପୁଣି ସରକାର ଗଠନ କଲା ଭାରତୀୟ ଜନତା ପାର୍ଟି । ରଚିଲା ଇତିହାସ । ଏହାସହ ପୁଣି ଶାସନ ଗାଦିରେ ବସିବେ ଯୋଗୀ ଆଦିତ୍ୟନାଥ । ଏହାରି ମଧ୍ୟରେ ଓଡିଆ ପୁଅ ଧର୍ମେନ୍ଦ୍ରଙ୍କ ଗୋଟି ଚାଳନାକୁ ସମସ୍ତେ କରୁଛନ୍ତି ପ୍ରଶଂସା । ଦକ୍ଷତାକୁ ମିଳୁଛି ବାହାବା ।

ଦେଶର ସବୁଠାରୁ ଚର୍ଚ୍ଚିତ ବିଧାନସଭା ନିର୍ବାଚନ ହୋଇଥିବା ଉତ୍ତରପ୍ରଦେଶରେ । ଏଠାରେ ରହିଛି ସବୁଠୁ ଅଧିକ ଆସନ । ଗୋଟିଏ ପଟେ ବିଜେପି, ଅନ୍ୟ ପଟେ ସବୁ ବିରୋଧୀ । କୃଷକଙ୍କ ଧାରଣା, ଖେରି ଘଟଣା ପାଇଁ ବିଜେପି ବ୍ୟାକଫୁଟରେଥିବା ବିରୋଧି ଅଭିଯୋଗ କରୁଥିଲେ । ଏହାମଧ୍ୟରେ ଘୋଷଣା ହୋଇଥିଲା ନିର୍ବାଚନ ତାରିଖ । ଦଳ ଆରମ୍ଭ କରିଦେଇଥିଲା ରଣନୀତି । ଗତ ସେପ୍ଟେମ୍ବରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ୟୁପିର ପ୍ରଭାରୀ ଦାୟିତ୍ୱ ଦେଇଥିଲା ଦଳ । ୬ ମାସ ହେଲା ଯୋଗୀଙ୍କ ପାଇଁ ପ୍ରଚାର କରିଥିଲେ କେନ୍ଦ୍ରମନ୍ତ୍ରୀ । ଯାହାର ଫଳ ନିର୍ବାଚନରେ ଦେଖିବାକୁ ମିଳିଥିଲା । ବିଜେପି ଏକାକି ହାସଲ କରିଥିଲା ମ୍ୟାଜିକ୍ ନମ୍ବର । ୪୦୩ ଆସନରୁ ୨୫୦ରୁ ଅଧିକ ଆସନରେ ଚାଖିଥିଲା ବିଜୟର ସ୍ୱାଦ ।

ଏହାକୁ ନେଇ ଓଡିଶା ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଧର୍ମେନ୍ଦ୍ର ୟୁପି ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଭିଜନ୍ ବା ଦୂରଦୃଷ୍ଟିକୁ ଲୋକଙ୍କ ପାଖରେ ପହଁଚାଇବାରେ ସଫଳ ହୋଇଛନ୍ତି ।

ବିଜେପି ଜିତିବା ପରେ ଧର୍ମେନ୍ଦ୍ର ମଧ୍ୟ ଟ୍ୱିଟ୍ କରିଥିଲେ ।ମୋଦୀଙ୍କ ଦୂରଦୃଷ୍ଟି, ଅମିତ ଶାହଙ୍କ ମାର୍ଗଦର୍ଶନ ଓ ଜାତୀୟ ସଭାପତି ଜେପି ନଡ୍ଡାଙ୍କ ସାଙ୍ଗଠନିକ ଦକ୍ଷତା ସହ ଯୋଗୀଙ୍କ ସୁଶାସନ ପାଇଁ ଦଳ ବିଜେତା ହୋଇଥିବା ସେ ଲେଖିଥିଲେ । ଜନତା ବିକାଶକୁ ଭୋଟ ଦେଇଥିବା କହିଥିଲେ ଧର୍ମେନ୍ଦ୍ର ।

Spread the love