ଭାରତୀୟ ଅର୍ଥ ବ୍ୟବସ୍ଥାକୁ ମଜବୁତ୍ କରିବା ପାଇଁ ମୋଦି ସରକାର ନେଇଛନ୍ତି ଐତିହାସିକ ପଦକ୍ଷେପ : ଧର୍ମେନ୍ଦ୍ର ପ୍ରଧାନ

ଭାରତର ଅର୍ଥନୀତିକୁ ୫ ଟ୍ରିଲିୟନ ଆମେରିକୀୟ ଡଲାର ବିଶିଷ୍ଟ କରିବା ପାଇଁ ଏବଂ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ବିଗତ କିଛି ଦିନରେ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପର ପ୍ରଭାବ ସବୁ ସ୍ତରରେ ଅନୁଭୁତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଉଦବୋଧନ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଭାରତ ସରକାର ନେଇଥିବା ସକାରାତ୍ମକ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଏବେ ଏସିଆ ମହାଦେଶରେ କମ୍ପାନୀ ମାନଙ୍କ ଉପରେ ସବୁଠୁ କମ୍ ଟିକସ ଲାଗୁ କରୁଥିବା ଦେଶ ଭାବରେ ଭାରତ ଆଗକୁ ଆସିଛି l ଏବେ ଭାରତର କର୍ପୋରେଟ ଟ୍ୟାକ୍ସ ସିଙ୍ଗାପୁର ସହ ସମାନ ହୋଇଛି । ଏହା ମୋଦି ସରକାରଙ୍କର ଏକ ଐତିହାସିକ ନିର୍ଣ୍ଣୟl ଶ୍ରୀ ପ୍ରଧାନ କହିଛନ୍ତି ଯେ ୩୦ ପ୍ରତିଶତରେ ଥିବା କର୍ପୋରେଟ ଟ୍ୟାକ୍ସକୁ ୨୨ ପ୍ରତିଶତକୁ କମ୍ କରାଯାଇଛି । ଅତିରିକ୍ତ ଦେୟ ଓ ସେସକୁ ମିଶାଇଲେ ଏହି ଟିକସ ୨୫.୧୭ ପ୍ରତିଶତରେ ସୀମିତ ରହିବ ଯାହାକି ପୂର୍ବରୁ ୩୪.୯ ପ୍ରତିଶତ ଥିଲା ।

ସେ କହିଛନ୍ତି ଅକ୍ଟୋବର, ୨୦୧୯ ପରେ ପଂଜୀକୃତ ହୋଇଥିବା କମ୍ପାନୀ ଗୁଡିକର ଯାହା ବିନିର୍ମାଣ (ମାନୁଫାକ୍ଚରିଂ) କ୍ଷେତ୍ରରେ କାର୍ଯରତ, ସେମାନଙ୍କ ଆୟ କରକୁ ୧୫ ପ୍ରତିଶତରେ ସୀମିତ ରଖାଯାଇଛି । ଏହି ନୂଆ କମ୍ପାନୀ ଗୁଡିକୁ କୌଣସି ସର୍ବନିମ୍ନ ବିକଳ୍ପ ଟିକସ (ଏମଏଟି) ମଧ୍ୟ ଦେବାକୁ ପଡିବ ନାହିଁ । ଯେଉଁ ପୁରୁଣା କମ୍ପାନୀ ଗୁଡିକ ସର୍ବନିମ୍ନ ବିକଳ୍ପ ଟିକସ ୧୮. ୫ ପ୍ରତିଶତ ହାରରେ ଦେଉଥିଲେ ଏହାକୁ ମୋଦି ସରକାର ୧୫ ପ୍ରତିଶତରେ ସୀମିତ ରଖିବା ପାଇଁ ନିର୍ଣୟ କରିଛନ୍ତି । ଏହି ପଦକ୍ଷେପ ମାନୁଫାକ୍ଚରିଂ ସେକ୍ଟରରେ ନୂଆ ପୁଂଜି ନିବେଶକୁ ପ୍ରୋତ୍ସାହିତ କରିବା ସହ ମୋଦି ସରକାରଙ୍କ ମେକ ଇନ ଇଣ୍ଡିଆ ପଦକ୍ଷେପକୁ ତ୍ୱରାନ୍ୱିତ କରିବ । ଏହି ଟିକସ ରିହାତି ଯୋଗୁ ପୁଂଜିନିବେଶକାରୀ ମାନେ ଭାରତର ଷ୍ଟକ ଏକ୍ସଚେଂଜରେ ସେୟାର କ୍ରୟ କରିବାକୁ ପ୍ରୋତ୍ସାହିତ ହୋଇଛନ୍ତି । ଏହି ଟ୍ୟାକ୍ସ ରିହାତି ଘୋଷଣା ପରେ ପରେ ବମ୍ବେ ଷ୍ଟକ ଏକ୍ସଚେଂର ସେନସେକ୍ସ ୩୬,୦୯୩ ପଏଂଟରୁ ୩୮,୦୧୭ ପଏଂଟରେ ପହଂଚି ପାରିଛି । ଏହି ୧୯୨୪ ପଏଂଟ ବୃଦ୍ଧି ଷ୍ଟକ୍ ଏକ୍ସଚେଂଜର ଇତିହାସରେରେ ଏକ ରେକର୍ଡ ସୃଷ୍ଟି କରିଛି । ଭାରତ ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକ ସେମାନଙ୍କର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସଆର) କାର୍ଯ୍ୟର ସୀମା ବଢାଇ ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅନୁସନ୍ଧାନ ସଂସ୍ଥା ମାନଙ୍କରେ ଇନକ୍ୟୁବେଟର ତଥା ରିସର୍ଚ ଏଣ୍ଡ ଡେଭଲପମେଂଟ କାମରେ ଦୁଇ ପ୍ରତିଶତ ଅର୍ଥ ବ୍ୟୟ କରି ପାରିବେ । ଦେଶର ୧୦ଟି ରାଷ୍ଟ୍ରାୟତ ବ୍ୟାଙ୍କକୁ ଏକୀକୃତ କରି ଚାରିଟି କରାଯାଇଛି । ସରକାର ରାଷ୍ଟ୍ରାୟତ ବ୍ୟାଙ୍କ ମାନଙ୍କୁ ୭୦ ହଜାର କୋଟି ଟଙ୍କାର ପୁଂଜି ପ୍ରଦାନ ନିମନ୍ତେ ନିଷ୍ପତି ନିଆ ଯାଇଛି । ଏହା ଦ୍ୱାରା ଛୋଟ ବ୍ୟବସାୟୀ ଠାରୁ କର୍ପୋରେଟ କମ୍ପାନୀ ପର୍ଯ୍ୟନ୍ତ ବ୍ୟାଙ୍କ ଗୁଡିକରୁ କମ ସୁଧରେ ଅଧିକ ଋଣ ସୁବିଧା ପାଇପାରିବେ । ଏହା ଦ୍ୱାରା ବଜାରରେ ଆର୍ଥିକ ଗତିବିଧି ଦୃତ ବୃଦ୍ଧି ପାଇବ ଓ ଏହାର ଫାଇଦା ଦେଶର ଗରୀବ ଓ ସାଧାରଣ ଲୋକ ମାନଙ୍କ ପାଖରେ ସିଧା ସିଧା ପହଂଚିବ । ବ୍ୟାଙ୍କମାନଙ୍କର ଅଧିକ ଋଣ ସୁବିଧା ଅର୍ଥନୀତିରେ ନିଜ ଗୋଡରେ ଠିଆ ହେବା ପାଇଁ ସଂଘର୍ଷ କରୁଥିବା ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପଦ୍ୟୋଗୀ ମାନଙ୍କୁ ବଡ ସାହାଯ୍ୟ ହେବ ।

ଏହି ବ୍ୟବସ୍ଥା ସହ ଦେଶର ଜିଏସଟିରେ ମଧ୍ୟ ଆହୁରି ସରଳୀକୃତ କରାଯାଇ ଜିଏସଟି ହାରକୁ ହ୍ରାସ କରା ଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ବ୍ୟାଙ୍କ ଋଣର ଏକ ପ୍ରମୁଖ ଭାଗ ୨୦ ହଜାର କୋଟି ଟଙ୍କାର ଗରିବ, ମଧ୍ୟବିତ ଓ ଉଚ୍ଚ ମଧ୍ୟବିତଙ୍କ ପାଇଁ ଗୃହ ଋଣ ଦ୍ୱାରା ବଜାରରେ ସୃଷ୍ଟି ହେଉଥିବା ଆର୍ଥିକ ଗତିବିଧି ଦେଶର ବଜାରକୁ ବେଶ୍ ମଜବୁତ୍ କରିବାରେ ସହାୟକ ହେବ \nବୋଲି ଶ୍ରୀ ପ୍ରଧାନ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ୧ ହଜାରେ ଟଙ୍କାରୁ କମ ଭଡା ବିଶିଷ୍ଟ ହୋଟେଲ ରୁମ୍କୁ ଜିଏସଟି କର ମୁକ୍ତ କରାଯାଇଥିବା ବେଳେ ହଜାରେ ଟଙ୍କାରୁ ଉଦ୍ଧ୍ୱର୍ ଓ ୭ ହଜାର ୫ ଶହ ଟଙ୍କା ମଧ୍ୟରେ ଲାଗୁଥିବା ଜିଏସଟିକୁ ୧୮ ପ୍ରତିଶତରୁ କମ କରା ଯାଇ ୧୨ ପ୍ରତିଶତ କରାଯାଇଛି । ସେହିପରି ୭ ହଜାର ୫ ଶହ ଟଙ୍କାରୁ ଉଦ୍ଧ୍ୱର୍ ହୋଟେଲ ରୁମ ଭଡାରେ ଜିଏସଟିକୁ ୨୮ ପ୍ରତିଶତରୁ କମ କରି ୧୮ ପ୍ରତିଶତ କରା ଯାଇଛିା କୃଷି ଉତ୍ପାଦ ଯଥା ଡାଲି, ଚାଉଳ, ଚା, କଫି, ପନିପରିବା ଆଦିକୁ ପଣ୍ୟାଗାରରେ ସଂରକ୍ଷଣକୁ ଜିଏସଟି ପର୍ଯ୍ୟାୟକ୍ରମେ ହ୍ରାସ କରା ଯିବାକୁ ନିଷ୍ପତି ଗ୍ରହଣ କରା ଯାଇଛି । ବିଦ୍ୟୁତ ଚାଳିତ ବାହନ କ୍ରୟରେ ଜିଏସଟି ହାର ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରା ଯାଇଥିବା ବେଳେ ଇଲେକ୍ଟ୍ରିକ ଯାନ ଚାର୍ଜର ଏବଂ ଚାର୍ଜିଂ ପଏଂଟ ଉପରେ ଟିକସକୁ ମଧ୍ୟ ୧୮ ପ୍ରତିଶତରୁ ୫ ପ୍ରତିଶତ କମ କରା ଯାଇଛି । ସେ କହିଛନ୍ତି ଯେ ଉପରୋକ୍ତ ପଦକ୍ଷେପ ଗୁଡିକ ଦ୍ୱାରା କମ୍ପାନୀ ମାନଙ୍କ ଅଧିକ ଆୟ ବୃଦ୍ଧି ହେବା ସହ କମ୍ପାନୀ ମାନେ ଅଧିକ ପୁଂଜିନିବେଶ କରିବେ । ଯାହାଦ୍ୱାରା କି ଦେଶରେ ଅଧିକ ରୋଜଗାର ସୃଷ୍ଟି ହେବା ସହ ଅର୍ଥନୀତି ଦୃତ ଗତିରେ ବିକଶିତ ହେବ । ଏହି ସବୁ ଟିକସ ରିହାତି କାରଣରୁ ଭାରତ ସରକାରଙ୍କୁ ୧.୪୫ ଲକ୍ଷ କୋଟି ଟଙ୍କାର ଟିକସ ଆୟ କ୍ଷତି ସହିବାକୁ ପଡିଲା । ମାତ୍ର ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ଏହି ବଡ ନିର୍ଣ୍ଣୟ ମୋଦି ସରକାର ନେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହା ସହ ମୋଦି ସରକାର ଚଳିତ ବଜେଟରେ କିଛି ଯୁଗାନ୍ତକାରୀ ନିଷ୍ପତି ନେଇଛନ୍ତି । ୧.୫ କୋଟି ଟଙ୍କାରୁ କମ୍ବେ ପାର କରୁଥିବା ଖୁଚୁରା ବେପାରୀ ମାନଙ୍କୁ ସ୍ୱେଚ୍ଛାକୃତ ପେନସନ ଯୋଜନାରେ ସାମିଲ କରାଯିବା ସାମାଜିକ ସୁରକ୍ଷା କ୍ଷେତ୍ରରେ ଏକ ବଡ ପଦକ୍ଷେପ । ଚଳିତ ବଜେଟର ଭିତିଭୂମି ବିକାଶକୁ ପ୍ରାଥମିକତା ଦିଆଯାଇଛି । ଆଗାମୀ ୫ ବର୍ଷରେ ୧୦୦ ଲକ୍ଷ କୋଟି ଟଙ୍କାର ପୁଂଜି ଭିତିଭୂମି ବିକାଶ ଯଥା, ରାସ୍ତା, ରେଳ, ଜଳ ଓ ଆକାଶପଥରେ ସଂଯୋଗ ତଥା ଟେଲି ଯୋଗାଯୋଗ କ୍ଷେତ୍ରରେ ରେ ବିନିଯୋଗ ହେବ । ଏହା ତୃଣମୂଳ ସ୍ତରରେ ଅର୍ଥନୀତିକୁ ମଜବୁତ କରିବ । ଏ ସବୁ ଭାରତକୁ ପାଂଚ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାର ପଥକୁ ସୁଗମ କରିବ । ଶ୍ରୀ ପ୍ରଧାନ କହିଛନ୍ତି ଆମେରିକା, ଚାଇନା ବ୍ୟବସାୟିକ ଲଢେଇ ୟୁଏଇ ଭଳି ବଡ ତୈଳ ପ୍ରତିଷ୍ଠାନ ଉପରେ ଆକ୍ରମଣ ଓ ଉତ୍ପାଦନ କମ୍ କରିବା ବିଶ୍ୱ ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ଆଣିଛି । ବିଶ୍ୱରେ ଅର୍ଥ ବ୍ୟବସ୍ଥାର ପ୍ରତିକୂଳ ପରିସ୍ଥିତି ସତ୍ୱେ ମୋଦିଙ୍କ ଅର୍ଥନୀତିର ସୁପ୍ରବନ୍ଧନ ଯୋଗୁଁ ଭାରତର ମୁଦ୍ରାସ୍ପିତି ନିୟନ୍ତ୍ରଣରେ ରହିଛି । ଦେଶରେ ସାଧାରଣ ଗରିବ ଲୋକଙ୍କ ଦୈନନ୍ଦିନ ଆବଶ୍ୟକିୟ ଦ୍ରବ୍ୟ ଡାଲି, ଚାଉଳ, ତେଲ ମୂଲ୍ୟ ସ୍ଥିର ରଖିବାରେ ମୋଦି ସଫଳ ହୋଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହିସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ରାଜ୍ୟ ଉପଭାପତି ସମୀର ମହାନ୍ତି ଏବଂ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love